ପାରାଦୀପଗଡ଼: ପ୍ରେମ ଶାଶ୍ବତ। ପ୍ରେମ ଚିରନ୍ତନ। ପ୍ରେମ ପବିତ୍ର ଆଉ ପ୍ରେମ ଅସୀମ। ପ୍ରେମ ପାଖରେ ଜାତି ପତି କିମ୍ବା ବୟସ ସବୁ କିଛି ତୁଚ୍ଛ। କେତେବେଳେ ଆଉ କେଉଁ ମୂହୂର୍ତ୍ତରେ କେଉଁ ସ୍ଥାନରେ ବି ପ୍ରେମ ହୋଇଯାଏ ତା କହିବା ମୁସ୍କିଲ। ତାର ଜ୍ବଳନ୍ତ ଉଦାହରଣ ହେଉଛି ହେତ୍ରାଜ ଓ ମୀନାଙ୍କ ପ୍ରେମ ସମ୍ପର୍କ। ଯିଏ ଦେଖୁଛି, ସିଏ କହୁଛି ଏଇ ବୋଧେ ପ୍ରେମ...। ହେତ୍ରାଜତ କୁସୁୱାହ। ଘର ତାଳଚେର। ବୟସର ଅପରାହ୍ନରେ ସେ ପହଞ୍ଚି ଗଲେଣି। ପାଚିଲା ଚୁଟି ସାଙ୍ଗକୁ ଫଟା ଗାମୁଛା, କୋଚଟିଆ ଲୁଙ୍ଗି। ଦୃଷ୍ଟିହୀନ ହୋଇଥିବାରୁ ତାଙ୍କ ଆଖି ଦୁଇଟିକୁ କିଛି ବି ଦେଖାଯାଉ ନାହିଁ। ତାଙ୍କ ପ୍ରେମିକା ଜଣକ ହେଲେ ମୀନା ବାଇ କୁସୁୱାହ। ତାଙ୍କ ଘର ମଧ୍ୟ ତାଳଚେର। ତାଙ୍କୁ ମଧ୍ୟ ବୟସ ୬୦ ଟପିଲାଣି। ଦୁଇ ଜଣ ଯାକ ଭିକ୍ଷା ବୃତ୍ତି କରି ପେଟ ପୋଷୁଥିବା ବେଳେ ପାରାଦୀପରେ ଉଭୟଙ୍କର ଭେଟ ହୋଇଥିଲା। ପ୍ରତ୍ୟେକ ଦିନ ଏମିତି ଭେଟଘାଟରୁ ଦୁହେଁ ଦୁଇ ଜଣଙ୍କୁ ଭଲ ପାଇ ବସିଥିଲେ। ହେତ୍ରାଜ ମଧ୍ୟପ୍ରଦେଶରୁ ପେଟ ପୋଷିବା ପାଇଁ ପାରାଦୀପ ଚାଲି ଆସି ଏକ କମ୍ପାନିରେ କାମ କରୁଥିବା ବେଳେ ଆଖି ଦୁଇଟିକୁ ନଷ୍ଟ ହୋଇଗଲା ଓ ସେ ସବୁଦିନ ପାଇଁ ଦୃଷ୍ଟିଶକ୍ତି ହରାଇ ବସିଥିଲେ।

Advertisment

କେହି ଜଣଙ୍କୁ ସାହାରା ଖୋଜୁଥିବା ବେଳେ ତାଳଚେରରୁ ନିଜ ପୁଅର ନିର୍ଯାତନାକୁ ସହ୍ୟ ନ କରିପାରି ରାଗରେ ପାରାଦୀପ ପଳାଇ ଆସିଥିବା ମୀନାଙ୍କ ସହ ତାଙ୍କର ଭେଟହୁଏ। ଦୁହେଁ ଭିକ୍ଷାବୃତ୍ତି କରି ପେଟ ପୋଷୁଥିବା ବେଳେ ସୁଖ ପାଇଁ ନୁହେଁ ବରଂ ପରସ୍ପରକୁ ସାହାଯ୍ୟ କରିବାକୁ ଉଭୟ ଦୀର୍ଘ ୧୧ ବର୍ଷ ହେଲା ସାଥୀ ହୋଇ ରହୁଛନ୍ତି। ପାର୍କ, ହୋଟେଲ କିମ୍ବା ସପିଂ ମଲର ସେମାନେ କେବେ ପ୍ରେମ ପସରା ମେଲାଇ ନାହାନ୍ତି। ବରଂ ଭଙ୍ଗା ଟ୍ରାଇ ସାଇକଲ ହିଁ ତାଙ୍କ ପ୍ରେମର ମରୁଦ୍ୟାନ ପାଲଟିଛି। ଗଡ଼ି ଚାଲୁଛି ଜୀବନର ସେହି ସୁମଧୁର ରଥ ପାରାଦୀପର ଏ ଗଳିରୁ ସେଗଳିକୁ। ଯାହା ଉପାର୍ଜନ ହେଉଛି ଦୁହେଁ ଖୁସିରେ ଚଳିଯାଉଛନ୍ତି। ପାରାଦୀପରେ ଏହି ପ୍ରେମ କାହାଣୀ ପ୍ରତି ବର୍ଷ ଭାଲେଣ୍ଟାଇନ୍‌ଡେରେ ନବୀକରଣ ହୋଇ ଚର୍ଚ୍ଚାର ଖୋରାକ୍‌ ହୋଇଥାଏ।