ଭଞ୍ଜନଗର : ନିଜର ବିବାହ ବାର୍ଷିକୀ ପାଇଁ ଆଡ଼ମ୍ବର ଆୟୋଜନ ନକରି ଦୁର୍ଗମ ଇଲାକାର ଗରିବ ଗ୍ରାମବାସୀଙ୍କ ଗହଣରେ ପାଳି ଏହାକୁ ସ୍ମରଣୀୟ କରିଛନ୍ତି। ଏହାସହ ସମସ୍ତଙ୍କ ପାଇଁ ନୂଆ ଉଦାହରଣ ସୃଷ୍ଟି କରିପାରିଛନ୍ତି। ଏମିତି ଏକ ଦମ୍ପତି ହେଉଛନ୍ତି, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ଜିତେନ୍ଦ୍ର କୁମାର ଦୋରା ଏବଂ ପତ୍ନୀ ପ୍ରିୟଙ୍କା। ଉଭୟ ସେମାନଙ୍କ ୧୩ତମ ବିବାହ ବାର୍ଷିକୀକୁ ନିଜ ଘରେ ପରିବାର ଲୋକଙ୍କ ଗହଣରେ ପାଳନ କରିବା ପରିବର୍ତ୍ତେ ଭଞ୍ଜନଗର ବ୍ଲକ୍ ଉପାନ୍ତ ବାଇବାଲି ପଞ୍ଚାୟତର ଦୁର୍ଗମ ଗ୍ରାମ ଭାବେ ପରିଚିତ ତଡ଼ମା ଗ୍ରାମରେ ପାଳନ କରିଛନ୍ତି। ଜିତେନ୍ଦ୍ର ଏବଂ ପ୍ରିୟଙ୍କା ସ୍ବେଚ୍ଛାସେବୀ ଅନୁଷ୍ଠାନ 'ବିପଦର ବନ୍ଧୁ'ର ସକ୍ରିୟ ସଦସ୍ୟ। ପୂର୍ବରୁ ସେମାନେ ‘ସମ୍ବାଦ’ ଓ ଆମ ଓଡ଼ିଶା ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଆୟୋଜିତ ଶିବିରରେ ବହୁବାର ରକ୍ତଦାନ କରିଛନ୍ତି।
/sambad/media/post_attachments/wp-content/uploads/2022/04/BNJ-BJ-bipadara-bandhu-1-1-e1650450909416.jpg)
ମଙ୍ଗଳବାର ଦିନ ସେମାନେ ବିବାହ ବାର୍ଷିକୀକୁ ତଡ଼ମା ଗ୍ରାମରେ ରହୁଥିବା ଗ୍ରାମବାସୀଙ୍କ ଗହଣରେ ନିଆରା ଢଙ୍ଗରେ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ସକାଳେ ଅନୁଷ୍ଠାନର ସଦସ୍ୟଙ୍କ ସହଯୋଗରେ ଗ୍ରାମକୁ ଯାଇଥିଲେ। କିନ୍ତୁ ଗାଁକୁ ଯିବା ପାଇଁ ଭଲ ରାସ୍ତା ନଥିବାରୁ ସେମାନେ କିଛି ବାଟ ବାଇକ୍ରେ ଓ କିଛି ବାଟ ଚାଲି ଚାଲି ଯାଇଥିଲେ। ଏହାସହ ସମସ୍ତ ଗ୍ରାମବାସୀଙ୍କ ପାଇଁ ରନ୍ଧାଖାଦ୍ୟ ନେଇଥିବା ବେଳେ ଏହାକୁ ବାଣ୍ଟିବା ସହ ସମସ୍ତଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କରିଥିଲେ। ପରେ ଛୋଟ ପିଲାଙ୍କୁ ବିସ୍କୁଟ୍ ଓ ପାଠ୍ୟ ଉପକରଣ ଏବଂ ବୃଦ୍ଧବୃଦ୍ଧାଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା। ଗ୍ରାମବାସୀ ଉଭୟଙ୍କୁ ଦେଖି ବେଶ୍ ଖୁସି ପ୍ରକଟ କରିବା ସହ ଆଶୀର୍ବାଦ ଦେଇଥିଲେ। ଅନୁଷ୍ଠାନର ପ୍ରଣୟ କୁମାର ଦାଶ, ଅରକ୍ଷିତ ପରିଚ୍ଛା, ଶୁଭମ ପ୍ରଧାନ, ମହନ୍ତ ଗୌଡ଼, ମହେନ୍ଦ୍ର ସାହୁ, ଅମିତ୍ ସାବତ, ଶାନ୍ତନୁ ଭୂୟାଁ, ପପୁ ପାତ୍ର ଓ ମାନସ ରାଉଳ ପ୍ରମୁଖ ସହଯୋଗ କରିଥିଲେ। ଏଥିସହ ଗ୍ରାମରେ ଥିବା କିଛି ସମସ୍ୟା ସଂର୍ପକରେ ପ୍ରଶାସନକୁ ଅବଗତ କରି ସରକାରୀ ସହାୟତା ପ୍ରଦାନ ଦିଗରେ ପ୍ରୟାସ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।