ଅଜଣା ଗାଡ଼ି ଧକ୍କାରେ ଦମ୍ପତି ମୃତ

ଲାଠିକଟା: ରାଉରକେଲାକୁ ଲାଗିଥିବା ଲାଠିକଟା ବ୍ଲକରେ ୧୪୩ ନଂ ଜାତୀୟ ରାଜପଥର କୁଚେଇତା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଶ୍ରମଜୀବୀ ସ୍ୱାମୀ ଓ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ କ୍ଷତିପୂରଣ ଦାବି କରି ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିଲେ। ତେବେ ବୁଝାସୁଝା ପରେ ଅବରୋଧ ହଟିଥିଲା।

ଚାନ୍ଦିପୋଷ ଥାନା ଅନ୍ତର୍ଗତ ହାତୀଓଡା ଗ୍ରାମର ବାସିନ୍ଦା ପାଉଲସ ଡାଙ୍ଗ(୪୦) ଓ ତାଙ୍କ ପତ୍ନୀ ଆଶ୍ରିତା ଡାଙ୍ଗ(୩୮) ଆଜି ବାଙ୍କିସ୍ଥିତ ଏକ ବ୍ୟାଙ୍କକୁ କିଛି ଟଙ୍କା ଉଠାଇବାକୁ ଯାଇଥିଲେ। ଅପରାହ୍ନ ପ୍ରାୟ ଗୋଟାଏ ‌ସମୟରେ ଉଭୟ ଏକ ସାଇକଲରେ ବ୍ୟାଙ୍କରୁ ଘରକୁ ଫେରୁଥିଲେ। ସେତିକି ବେଳେ କୁଚେଇତା ନିକଟରେ କୌଣସି ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଫଳରେ ଘଟଣାସ୍ଥଳରେ ସାଇକଲଟି ଚୂରମାର ହେବା ସହ ଉଭୟଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ସଂପର୍କରେ ଜଣାପଡ଼ିବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ  ଲୋକେ କ୍ଷତିପୂରଣ ଦାବି କରି ରାସ୍ତା ଅବରୋଧ କରିଥିଲେ। ଚାନ୍ଦିପୋଷ ଥାନାର ଭାରପ୍ରାପ୍ତ ଅଧିକାରୀ ରାଜେଶ ନାୟକ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ। ଏହି ସମୟରେ ରାଉରକେଲା ଯାଉଥିବା ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଦୁର୍ଘଟଣା ଦେଖି ଅଟକିଥିଲେ। ସେ ନିଜେ ତୁରନ୍ତ ମୃତ ଦମ୍ପତିଙ୍କ ସଂପର୍କୀୟଙ୍କୁ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଓ ନିୟମ ଅନୁଯାୟୀ ସରକାରଙ୍କ  ଠାରୁ ଯାହା ସାହାଯ୍ୟ ମିଳିବା କଥା ତାହା ମିଳିବ ବୋଲି ପ୍ରତିଶ୍ରୁତି ଦେବା ପରେ ପ୍ରାୟ ଦେଢ଼ଘଣ୍ଟା ପରେ ରାସ୍ତା ଅବରୋଧ ହଟିଥିଲା। ଘଟଣାସ୍ଥଳରେ କୁଚେଇତା ସରପଞ୍ଚ ଅର୍ଜୁନ ମୁଣ୍ଡାରୀ ଓ ସମିତି ସଭ୍ୟ ଧାନ କୁମାର ଧାନୁଆର ମଧ୍ୟ ଉପସ୍ଥିତ ଥିଲେ।  ଚାନ୍ଦିପୋଷ ପୁଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ  ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଧରିବାକୁ ତନାଘନା ଚଳାଇଛି। ମୃତ ଦମ୍ପତିଙ୍କର ନାବାଳକ ତିନି ଝିଅ ଓ ଗୋଟିଏ ପୁଅ ଅଛନ୍ତି।

ସମ୍ବନ୍ଧିତ ଖବର