ଖଣ୍ଡପଡା: ଖଣ୍ଡପଡା ବ୍ଲକ ବୋଦସା ଗୋଲାସାହି ବୃଦ୍ଧ ଦମ୍ପତି ମୃତ୍ୟୁ ଘଟଣାରେ ନୂଆମୋଡ଼ ଆସିଛି ବୋଦସା ଗ୍ରାମର ବୃଦ୍ଧ ଦମ୍ପତି ଭାଗିରଥୀ ସ୍ୱାଇଁ ଓ କୌଶଲ୍ୟା ସ୍ୱାଇଁଙ୍କୁ ଦୀର୍ଘ ଦିନର ଜମି ବିବାଦରୁ ଭାଇ ବୋହୁ ନର୍ମଦା ସ୍ୱାଇଁ(୪୫) ନିଜ ଭଉଣୀ ସୁକାନ୍ତି ପ୍ରଧାନ(୫୬) ତାଙ୍କ ସ୍ୱାମୀ ଅବସରପ୍ରାପ୍ତ ଶିକ୍ଷକ ହରିହର ପ୍ରଧାନ(୬୨)ଙ୍କ ସହ ମିଶି ହତ୍ୟା କରିଥିବା ଖଣ୍ଡପଡା ଥାନାଧିକାରୀ ବିମଳ କୁମାର ମଲ୍ଲିକଙ୍କ ଠାରୁ ସୂଚନା ମିଳିଛି।ଗତ ୧୫ ତାରିଖରେ ବୃଦ୍ଧ ଦମ୍ପତିଙ୍କୁ ଖାଦ୍ୟରେ ବିଷଦେଇ ମାରିଥିବା ତିନି ଅଭିଯୁକ୍ତ ସ୍ୱୀକାର କରିଥିବା ଜଣାପଡ଼ିଛି।ମୃତ ଭାଗିରଥୀଙ୍କ ପୁଅ ସୁବାଷ ଚନ୍ଦ୍ର ସ୍ୱାଇଁଙ୍କ ଏତଲା କ୍ରମେ ଖଣ୍ଡପଡା ଥାନା ପକ୍ଷରୁ କେସନଂ୧୬୨/୨୦ରେ ଦଫା୩୦୨,୧୨୦/ବି ଏବଂ ୩୪ ଅନୁଯାୟୀ ତିନି ଅଭିଯୁକ୍ତଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

Advertisment

ଶନିବାର ରାତିରେ ବୋଦାସା ଗୋଲାସହି ଗ୍ରାମବାସୀ ବୈଠକ କରି ଏସମ୍ପର୍କରେ ଖୋଲତାଡ଼ କରିବାରୁ ତିନି ଅଭିଯୁକ୍ତ ହତ୍ୟା ସମ୍ପର୍କରେ ମାନିବା ପରେ ଗ୍ରାମବାସୀ ଖଣ୍ଡପଡା ଥାନାକୁ ଖବରଦେଇଥିଲେ।ଅନ୍ୟପକ୍ଷରେ ସାମାନ୍ୟ ବଚସାରୁ ଏକ ସୁପରିକଳ୍ପିତ ହତ୍ୟା କାଣ୍ଡ କରିଥିବା ଅଭିଯୁକ୍ତଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ଗ୍ରାମରେ ଚାପାଉତ୍ତେଜନା ଲାଗି ରହିଛି।ସେହିପରି ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ସହ ଘଟଣାରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ୧୫ ତାରିଖରେ ଖାଦ୍ୟ ଖାଇବା ପରେ ଉଭୟ ବୟସ୍କ ଦମ୍ପତି ହଠାତ ଅସୁସ୍ଥ ହୋଇ ପଡିଥିଲେ।ଉଭୟଙ୍କୁ ପ୍ରଥମେ ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିକରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ରହିଥିଲା।ପରେ ଉଭୟ ଭାଗିରଥୀ ଓ କୌଶଲ୍ୟାଙ୍କର ଭୁବନେଶ୍ୱରରେ ମୃତ୍ୟୁ ହୋଇଥିଲା।

ଘଟଣାର ପୃଷ୍ଠଭୂମି:-

ମୃତ ଭାଗିରଥୀ ଓ କୌଶଲ୍ୟାଙ୍କର ଏକ ଘରଡ଼ିହ ଅଭିଯୁକ୍ତ ନର୍ମଦା ସ୍ୱାଇଁଙ୍କ ଭଉଣୀ ସୁକାନ୍ତି ପ୍ରଧାନ ଓ ହରିହର ପ୍ରଧାନଙ୍କର ଘରକୁ ଲାଗି ରହିଛି।ଉକ୍ତ ଜାଗାକୁ ହରିହର ପ୍ରଧାନ ସବୁ ସମୟରେ ଅଳିଆ ଆବର୍ଜନା ପକାଇବା ସହ ଘରର ଡ୍ରେନ ପାଣି ମଧ୍ୟ ଛାଡ଼ନ୍ତି। ଏହାକୁ ମୃତ ନିରୀହ ଦମ୍ପତି ବିରୋଧ କରିବାରୁ ଦମ୍ପତିଙ୍କୁ ସବୁ ସମୟରେ ଅଭିଯୁକ୍ତ ସ୍ଵାମୀ, ସ୍ତ୍ରୀଙ୍କ ସହ ଭାଇ ବୋହୁ ନର୍ମଦା ଧମକ ଚମକ ଦିଅନ୍ତି।

ଗତ ୧୪ ତାରିଖରେ ମୃତ ଭାଗିରଥୀ ଓ କୌଶଲ୍ୟା ଅସନ୍ତୋଷ ପ୍ରକାଶ କରିବାରୁ ଅଭିଯୁକ୍ତ ହରିହର ନିଜସ୍ତ୍ରୀ ସହ ଉଭୟଙ୍କୁ ଧମକ ଦେଇଥିବା ଜଣାପଡିଛି। ଘଟଣା ବିଷୟରେ ହରିହର ନର୍ମଦାଙ୍କୁ ଜଣାଇବା ପରେ ଦମ୍ପତିଙ୍କୁ ରାସ୍ତାରୁ ହଟାଇବାର ସାଙ୍ଘାତିକ ଷଡଯନ୍ତ୍ର କରିଥିଲେ ତିନି ଅଭିଯୁକ୍ତ।ଯୋଜନା ଅନୁଯାୟୀ ମୃତ ଦମ୍ପତିଙ୍କ ଘରେ କେହି ନଥିବାର ସୁଯୋଗ ନେଇ ନର୍ମଦା ଖାଦ୍ୟରେ ବିଷ ମିଶାଇ ଦେଇଥିଲା ଯାହାକୁ ଖାଇବା ପରେ ଭାଗିରଥୀ ଓ କୌଶଲ୍ୟା ମୃତ୍ୟୁବରଣ କରିଥିଲେ। ତେବେ ଦମ୍ପତି ସରଳ ଓ ମିଷ୍ଟଭାଷୀ ହୋଇଥିବା ଏବଂ ଘଟଣା ଦିନ ଘରେ କେହି ନଥିବାରୁ ହଠାତ ଅଭିଯୁକ୍ତମାନଙ୍କ ପ୍ରତିକାହାରି ସନ୍ଦେହଜାତ ହୋଇନଥିଲା।