ନୀଳଗିରି: ଧର୍ମ ପରିବର୍ତ୍ତନ ନେଇ ଅଭିଯୋଗ ହୋଇଥିବା ବେଳେ ଦମ୍ପତି ଅଟକ ଅଛନ୍ତି। ବାଲେଶ୍ବର ଜିଲ୍ଲା ବରହମପୁର ଥାନା ଅଧୀନ ଛତ୍ରପୁର ବଜାର ନିକଟରେ ରାଇବଣିଆ ଅଞ୍ଚଳର ଜଣେ ଯୁବକ ପତ୍ନୀଙ୍କ ସହ ରହନ୍ତି। ତେବେ ଯୁବକ ଜଣକ ଟ୍ୟୁସନ୍‌ କରିବା ସହ ସଂପୃକ୍ତ ଛାତ୍ରଛାତ୍ରୀଙ୍କ ପରିବାରକୁ ଖ୍ରୀଷ୍ଟଧର୍ମ ଗ୍ରହଣ କରିବାକୁ ପ୍ରବର୍ତ୍ତାଉଥିଲେ। ସେହିପରି ନାନା ପ୍ରଲୋଭନ ଦେଖାଇ ସ୍ଥାନୀୟ ମାଙ୍କିଡ଼ିଆ ଓ ଗରିବ ଆଦିବାସୀଙ୍କୁ ମଧ୍ୟ ଖ୍ରୀଷ୍ଟଧର୍ମ ଗ୍ରହଣ କରିବାକୁ କହୁଥିଲେ। ଏନେଇ କିଛିଦିନ ହେବ ଅଭିଯୋଗ ହୋଇ ଆସୁଥିଲା। ଏପରି ସମୟରେ ଆଜି ସ୍ଥାନୀୟ ମା’ ମଙ୍ଗଳା କ୍ଲବ୍‌ର ସଦସ୍ୟମାନେ ଭଡ଼ାଘରେ ସଂପୃକ୍ତ ଯୁବକ ଓ ତାଙ୍କ ପତ୍ନୀଙ୍କୁ ଅଟକ ରଖି ପଚରାଉଚରା କରିଥିଲେ। ହେଲେ ସେମାନେ ଠିକ୍‌ ଉତ୍ତର ଦେଇ ପାରି ନଥିଲେ। ଫଳରେ ବରହମପୁର ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ ପହଞ୍ଚି ଅଟକ ଯୁବକ ଓ ତାଙ୍କ ପତ୍ନୀଙ୍କୁ ଉଦ୍ଧାର କରିବା ସହ ଥାନା ନେଇଯାଇଥିବା ଜଣାପଡ଼ିଛି।