ଆକାଉଣ୍ଟ ଜରିଆରେ ଭତ୍ତା ପ୍ରଦାନ, ସମସ୍ୟା ଭୋଗୁଛନ୍ତି ହିତାଧିକାରୀ

ମହାକାଳପଡ଼ା: ସାମାଜିକ ମନ୍ତ୍ରାଳୟ ପକ୍ଷରୁ ଅସହାୟ, ବିଧବା, ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ସରକାର ପ୍ରତି ମାସରେ ଭତ୍ତା ପ୍ରଦାନ ଆକାଉଣ୍ଟ ଜରିଆରେ  କରିଥାନ୍ତି। କିନ୍ତୁ କେତେକ କାରଣକୁ ଦୃଷ୍ଟିରେ ରଖି ସରକାର ପ୍ରତ୍ୟେକ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଭତ୍ତା ଟଙ୍କା ପଠାଉଛନ୍ତି। ପ୍ରଥମ କରି ଗତ ୩ ମାସ ହେବ ଏପରି ବ୍ୟବସ୍ଥା ଲାଗୁ କରାଯିବା ଫଳରେ ଏଥିରେ କେତେକ ତ୍ରୁଟି ପରିଲକ୍ଷିତ ହୋଇଛି। ସ୍ୱଚ୍ଛତା ରକ୍ଷା ପାଇଁ ଆକାଉଣ୍ଟ ଜରିଆରେ ଭତ୍ତା ପ୍ରଦାନ କରିବାର ମୂଳ ଲକ୍ଷ୍ୟ ହୋଇଥିବା ବେଳେ ଅନେକ ହିତାଧିକାରୀଙ୍କ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡୁଛି। ବିଶେଷକରି ଗାଁଗଣ୍ଡାରେ ଅନେକ ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମ ବ୍ୟକ୍ତି ଅଛନ୍ତି ଯେଉଁମାନେ କେବେ ବି ବ୍ୟାଙ୍କକୁ ଯାଇ ଟଙ୍କା ଉଠାଇବା ପାଇଁ ସକ୍ଷମ ନୁହଁନ୍ତି। ପୂର୍ବରୁ ପଞ୍ଚାୟତ ମାଧ୍ୟମରେ ସେମାନଙ୍କୁ ନିଜ ଘରେ ଆଣି ଭତ୍ତା ଦିଆଯାଉଥିଲା। ଏବେ କିନ୍ତୁ ତାହା ସମ୍ଭବ ନ ହେବା ହେତୁ ୩ ମାସ ଧରି ଅନେକ ହିତାଧିକାରୀ ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି। ଏହାଛଡା ଅନେକ ହିତାଧିକାରୀ ଅଛନ୍ତି ଯେଉଁମାନଙ୍କ ଆକାଉଣ୍ଟକୁ ଭତ୍ତା ଟଙ୍କା ପଠାଯାଇଥିଲେ ମଧ୍ୟ ତାହା କୌଣସି କାରଣରୁ ତାଙ୍କ ବ୍ୟାଙ୍କ ଖାତାରେ ପହଞ୍ଚି ପାରିନାହିଁ। ଏହାର କେତେକ ନମୁନା ଦେଖିବାକୁ ମିଳିଛି। ମହାକାଳପଡ଼ା ପଞ୍ଚାୟତ ଶିଖର ଗ୍ରାମର ସତ୍ୟଭାମା ଦାସ(୮୦), ଗୋଲାପ ଜେନା(୭୫) ପ୍ରମୁଖ ହିତାଧିକାରୀ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡୁଥିଲେ ମଧ୍ୟ ତାଙ୍କ ଆକାଉଣ୍ଟକୁ ଭତ୍ତା ଟଙ୍କା ଯାଇଛି ବୋଲି କହି ସେମାନଙ୍କୁ ଫେରାଇ ଦିଆଯାଉଛି।

ହେଲେ ଏ ପର୍ଯ୍ୟନ୍ତ ସେମାନଙ୍କ ବ୍ୟାଙ୍କ ଖାତାକୁ ଭତ୍ତା ଟଙ୍କା ଆସୁନାହିଁ। ସେହିପରି ଅଳାଇଲୋ ପଞ୍ଚାୟତ ବବକରପୁର ଗ୍ରାମର ଚୈତନ୍ୟ ମଳିକ(୮୦)ଙ୍କ ବ୍ୟାଙ୍କ ଖାତାକୁ ଭତ୍ତା ଟଙ୍କା ଆସିଥିଲେ ମଧ୍ୟ ବୟସାଧିକ୍ୟ ଅସୁସ୍ଥତା କାରଣରୁ ବ୍ୟାଙ୍କକୁ ଯାଇ ଟଙ୍କା ଉଠାଇବା ତାଙ୍କ ପକ୍ଷେ ସମ୍ଭବ ନୁହେଁ ବୋଲି ସେ ପ୍ରକାଶ କରିଛନ୍ତି। ଡିଆଁରାଜଗଡ଼ ଗ୍ରାମର ବୃଦ୍ଧ ଦମ୍ପତି ଅର୍ଜୁନ ବେହେରା ଓ ସୌଦାମିନୀ ବେହେରାଙ୍କ ସହିତ ମାଳତି ଓଝାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ଭୁଲ ଭାବେ ପ୍ରଦତ୍ତ କରାଯାଇଥିବାରୁ ସେମାନଙ୍କ ଭତ୍ତା ଟଙ୍କା କେଉଁ ଆଡେ ଚାଲିଯାଉଛି। ଫଳରେ ସେମାନେ ଗତ ୩ମାସ ହେବ ଭତ୍ତା ଟଙ୍କା ନ ପାଇ ବହୁ ହଇରାଣ ହରକତ ହେଉଛନ୍ତି। ଏଥିସହ ବବକରପୁର ଗ୍ରାମର ସାଇବନ ବିବି(୭୫)ଜଣେ ବିଧବା ଓ ଦୃଷ୍ଟିହୀନ ବୃଦ୍ଧା। ବ୍ୟାଙ୍କକୁ ଯାଇ ଟଙ୍କା ଉଠାଇବା ତାଙ୍କ ପକ୍ଷେ ଆଦୌ ସମ୍ଭବ ହେଉନାହିଁ। କେବଳ ଏତିକି ହିତାଧିକାରୀ ନୁହଁନ୍ତି ବରଂ ସମଗ୍ର ବ୍ଲକରେ ଏମିତି ଅନେକ ଅସହାୟ ବୃଦ୍ଧ, ବୃଦ୍ଧା ଓ ଭିନ୍ନକ୍ଷମ ହିତାଧିକାରୀ ଅଛନ୍ତି ଯେଉଁମାନେ କି ଭତ୍ତା ଟଙ୍କାକୁ ଅନାଇ ରହିଥିବା ବେଳେ ଆଉ କେତେକ ହିତାଧିକାରୀ ବ୍ୟାଙ୍କକୁ ଯାଇ ଟଙ୍କା ଉଠାଇବାରେ ସକ୍ଷମ ହୋଇପାରୁନାହାନ୍ତି। ଫଳରେ ଯେଉଁ ଉଦ୍ଦେଶ୍ୟ ନେଇ ଅସହାୟ ବ୍ୟକ୍ତିମାନଙ୍କୁ ବ୍ୟାଙ୍କ ଜରିଆରେ ଭତ୍ତା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଥିଲା ତାହା ଏପରି ହିତାଧିକାରୀଙ୍କ ପାଇଁ ଦୁଃଖ ପାଲଟିଛି। ତେଣୁ ସେମାନଙ୍କୁ ଚି଼ହ୍ନଟ କରି ସେମାନଙ୍କୁ ନିଜ ଘର ପାଖରେ ଭତ୍ତା ପ୍ରଦାନ କରାଗଲେ ସେମାନେ ଉପକୃତ ହୋଇପାରନ୍ତେ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର