୫ କୁଇଣ୍ଟାଲ ପନିପରିବା ଦାନ କଲେ ଦମ୍ପତି

ବାଲେଶ୍ୱର: କରୋନା ପାଇଁ ଚାରିଆଡ଼େ ଦୋକାନବଜାର ବନ୍ଦ। ଲକଡାଉନ କଟକଣା ଯୋଗୁଁ ବାହାରକୁ ବାହାରି ହେଉନି। ଏପଟେ ଚଳିବା ପାଇଁ ଗରିବ ଓ ସାଧାରଣ ଲୋକମାନେ ନାହିଁ ନଥିବା ହଇରାଣ ହେଲେଣି। ଏଭଳି ଦୁର୍ଦିନ ପରିସ୍ଥିତିରେ ନିଜ ବାଡ଼ି କ୍ଷେତରୁ ଅମଳ ହୋଇଥିବା ପାଖାପାଖି ୫ କୁଇଣ୍ଟାଲ ପନିପରିବା ସେମାନଙ୍କୁ ଦାନ କରିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ଲୁଙ୍ଗା ପଂଚାୟତ କୁରୁଦା ଗ୍ରାମର ଚାଷୀ ଦମ୍ପତି ସର୍ବେଶ୍ୱର ସାହୁ ଓ ଛାୟାରାଣୀ ସାହୁ।

ଆଜି ସକାଳେ ସର୍ବେଶ୍ୱର, ପତ୍ନୀ ଛାୟା, ପୁଅ ସନ୍ତୋଷ, ମାନସ ଓ ଗ୍ରାମର କିଛି ଯୁବକ ଏକ ଗାଡ଼ିରେ ତାଙ୍କ କ୍ଷେତରୁ ବାଇଗଣ, ଜହ୍ନି, ଟମାଟୋ, କାକୁଡ଼ି, କଲରା, ବୋଇତାଳୁ ଭଳି ବିଭିନ୍ନ ପନିପରିବା ନିଜ ଗାଁ ଓ ଆଖପାଖ ଦୁଇତିନିଟି ଗାଁରେ ଥିବା ଗରିବ ଲୋକଙ୍କୁ ବାଣ୍ଟିଥିଲେ। ତା’ ସହ ନିଜ ଘରେ ପାଳିଥିବା ଗାଈମାନଙ୍କ ଠାରୁ ଅମଳ ହୋଇଥିବା ପ୍ରାୟ ୨୦ ଲିଟର କ୍ଷୀର ମଧ୍ୟ ସ୍ଥାନୀୟ ଥାନାରେ ଯେଉଁ ପୁଲିସ ଓ ସୁରକ୍ଷାକର୍ମୀମାନେ ଦିନରାତି ଅନିଦ୍ରା ହୋଇ ଅହରହ ଆମ ପାଇଁ କରୋନା ଯୁଦ୍ଧ ଲଢ଼ୁଛନ୍ତି, ସେମାନଙ୍କୁ ବଣ୍ଟାଯାଇଥିଲା। ସାଧାରଣ ଚାଷୀ ପରିବାରର ଏହି ମହାନତାକୁ ସ୍ଥାନୀୟ ବାସିନ୍ଦାଙ୍କ ସମେତ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର