ମରିଗଲା ମାନବିକତା! ବୁଢ଼ା ବାପାଙ୍କୁ ବସାଇଦେଇ ଚାଲିଗଲେ ପୁଅବୋହୂ

କିଶନନଗର: କିଶନନଗର ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ତିର୍ତ୍ତୋଲ୍‌ ଅଞ୍ଚଳର ଜଣେ ବରିଷ୍ଠ ନାଗରିକ ଆଜି ଅସହାୟ ଭାବେ କିଶୋରନଗର ବିଶ୍ୱାଳପଡ଼ା ଅଞ୍ଚଳରେ ବୁଲୁଥିବା ଦେଖା ଯାଇଥିଲା। ପଚରାଉଚରା କରିବାରୁ ବୁଢ଼ା ବାପାଙ୍କୁ ପୁଅବୋହୂ ଗୋଟିଏ ଜାଗାରେ ବସାଇ ଦେଇ ଚାଲି ଯାଇଥିବା ଜଣାପଡ଼ିଥିଲା। ଅସହାୟ ବୃଦ୍ଧଙ୍କୁ ଉତ୍କଳ ବିକାଶ ପରିଷଦ କର୍ମକର୍ତ୍ତା ଉଦ୍ଧାର କରି ପୁଲିସ ସହାୟତାରେ ଜରା ନିବାସକୁ ନେଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଆଜି ପ୍ରବଳ ବର୍ଷାରେ ଜଣେ ବୃଦ୍ଧ ବିଶ୍ୱାଳପଡ଼ାସ୍ଥିତ ଏକ କୋଚିଂ ସେଣ୍ଟର ବାରଣ୍ଡାରେ ବସିଥିଲେ। କୋଚିଂ ସେଣ୍ଟର୍‌ର ଶିକ୍ଷକ ତଥା ଉତ୍କଳ ବିକାଶ ପରିଷଦର ସଦସ୍ୟ ଅଶୋକ ସାମଲ ଏହା ଦେଖିଥିଲେ। ୭୦ବର୍ଷ ବୟସ୍କ ଏହି ବୃଦ୍ଧଜଣକ ତାଙ୍କ ନାମ ଧୂଳି ବିଶ୍ୱାଳ ଓ ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ସାନସାରଳା ଗ୍ରାମ ବୋଲି ପରିଚୟ ଦେଇଥିଲେ। ସେ ପୁଅ ଓ ବୋହୂଙ୍କ ସହ ଏଠାକୁ ଆସିଥିଲେ। ସେମାନେ ତାଙ୍କୁ ଗୋଟିଏ ସ୍ଥାନରେ ବସାଇଦେଇ ଗାଡ଼ି ସଜାଡ଼ି ଆସୁଛନ୍ତି ବୋଲି କହି ଚାଲିଯାଇଥିଲେ। ପାଞ୍ଚଦିନ ହେବ ସେ ଏହି ଅଞ୍ଚଳରେ ବୁଲୁଥିବା ବୃଦ୍ଧଜଣକ କହିଥିଲେ।

୬ବର୍ଷ ତଳେ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିଥିଲା। ଏହାପରଠାରୁ ସେ ନିଜେ ରୋଷେଇ କରି ଖାଉଛନ୍ତି। ତାଙ୍କର ୧ଏକର ୮ଗୁଣ୍ଠ ଜମି ରହିଥିଲା ବେଳେ ଦୁଇଟି ପୁଅ ଅଛନ୍ତି। ବଡ଼ପୁଅ ଠିକା କାମ କରୁଛନ୍ତି। ହାଇଦ୍ରାବାଦରେ କାମ କରୁଥିବା ସାନ ପୁଅ ଦୁଇମାସ ତଳେ ଘରକୁ ଆସିଥିଲା। ପାଞ୍ଚଦିନ ତଳେ ସାନପୁଅ ଓ ବୋହୂ ତାଙ୍କୁ ଆଣି ଏଠାରେ ଛାଡ଼ି ଚାଲି ଯାଇଥିଲେ ବୋଲି ବୃଦ୍ଧ ଧୂଳି କହିଥିଲେ। ଉତ୍କଳ ବିକାଶ ପରିଷଦର ସଦସ୍ୟ ଶ୍ରୀ ସାମଲ ବୃଦ୍ଧଙ୍କୁ ଖାଇବାକୁ ଦେବା ସହ ଅନୁଷ୍ଠାନର କର୍ମକର୍ତ୍ତାମାନଙ୍କୁ ଖବର ଦେଇଥିଲେ। ଏହାପରେ ପରିଷଦର ସଭାପତି ଇଂଜିନିୟର ପ୍ରକାଶ ସେଠୀ କିଶନନଗର ପୁଲିସକୁ ଖବର ଦେଇଥିଲେ। ଅପରାହ୍ନରେ ପୁଲିସ ପହଞ୍ଚି ତାଙ୍କୁ ଈଶାଣୀବ୍ରହ୍ମପୁରସ୍ଥିତ ‘ଆଶ୍ରା’ ଜରା ନିବାସକୁ ନେଇଥିବା ଜଣାପଡ଼ିଛି। ଅନ୍ୟପଟେ, ବୃଦ୍ଧଙ୍କ ନିଖୋଜ ସମ୍ପର୍କରେ ତିର୍ତ୍ତୋଲ କିମ୍ବା କିଶନନଗର ଥାନାରେ କେହି ଅଭିଯୋଗ କରି ନ ଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର