ଚଣ୍ଡିଖୋଲ: ମୂର୍ତ୍ତି ନିର୍ମାଣରେ ମଗ୍ନ ପତିପତ୍ନୀ ସୁନୀଲ ଓ ରୁବିନା। ବଡ଼ଚଣା ବ୍ଲକ ସାଉଡ଼ିଆ ପଞ୍ଚାୟତ ମୂଷାଟିକିରି ଗ୍ରାମର ଏହି ଶିଳ୍ପୀ ଦମ୍ପତି ହାତ ସ୍ପର୍ଶରେ ସୁନ୍ଦର କାରୁକାର୍ଯ୍ୟ ସୃଷ୍ଟି ହୋଇଛି। ନିଖୁଣ ମୂର୍ତ୍ତି ତିଆରି କରି ଉଭୟ ନିଜ ପାଇଁ ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ସୁନୀଲ ମାଟ୍ରିକ ପାସ ପରେ ଫାଇନ ଆର୍ଟରେ ପାଞ୍ଚବର୍ଷ ଶିକ୍ଷା ଲାଭ କରି ଡିଗ୍ରି ହାସଲ କରିଛନ୍ତି। ଏହି କଳା ଶିକ୍ଷା ଲାଭ କରିବା ପରେ ସେ ମୂର୍ତ୍ତି ଗଢ଼ିବା ଆରମ୍ଭ କରିଥିଲେ। ଏଥିରେ ସେ ବେଶ୍‌ ସଫଳ ହେବା ସହିତ ଜଣେ ଭାସ୍କର୍ଯ୍ୟ ଶିଳ୍ପୀର ମାନ୍ୟତା ପାଇଛନ୍ତି। ଗତ ୧୬ ବର୍ଷ ହେବ ସେ ମୂର୍ତ୍ତି ନିର୍ମାଣ କରିଆସୁଛନ୍ତି। ତାଙ୍କ କାରୁକାର୍ଯ୍ୟର ବେଶ୍‌ ଚାହିଦା ରହିଛି। ସେ ଅଦ୍ୟାବଧି ୩୦୦ ରୁ ଅଧିକ ମୂର୍ତ୍ତି ନିର୍ମାଣ କରି ସାରିଛନ୍ତି। ନିଜ ବାସଗୃହ ସମ୍ମୁଖରେ ସେ ଏସବୁ ତିଆରି କରୁଛନ୍ତି।

Advertisment

ତାଙ୍କ ହାତଗଢ଼ା ବହୁ ବରପୁତ୍ରଙ୍କ ମୂର୍ତ୍ତି ସବୁ ରାଜ୍ୟର ବିଭିନ୍ନ ସ୍କୁଲ କଲେଜ ଓ ଛକ ବଜାରରେ ଶୋଭା ପାଉଛି। ଭୁବନେଶ୍ୱରସ୍ଥିତ ଜାତୀୟ ତଥା ରାଜ୍ୟ ସଂଗ୍ରହାଳୟ ଓ ଜିଲ୍ଲା ସଂଗ୍ରହାଳୟରେ ସୁନୀଲଙ୍କ କଳାକୃତି ସ୍ଥାନ ପାଇଛି। ତାଙ୍କ ମୂର୍ତ୍ତି ସବୁ ପଶ୍ଚିମବଙ୍ଗ, ନୂଆଦିଲ୍ଲୀ, ଉତ୍ତରପ୍ରଦେଶ ଓ ବୃନ୍ଦାବନ ଧାମରେ ମଧ୍ୟ ଶୋଭା ପାଉଛି। ପ୍ରଥମେ ସେ ମାଟିରେ ମୂର୍ତ୍ତି ସବୁ ନିର୍ମାଣ କରିଥାନ୍ତି। ପରେ ସେ ସେହି ମୂର୍ତ୍ତିରୁ ଫାଇବର, ବ୍ରୋଞ୍ଜ ଓ ଅଦରକାରୀ ସାମଗ୍ରୀରେ ମୂର୍ତ୍ତି ନିର୍ମାଣ କରିଥାନ୍ତି। ଯାହା ଜୀବନ୍ତ ହୋଇଥାଏ ଓ ଗ୍ରାହକଙ୍କର ବେଶ୍‌ ପସନ୍ଦ ହୋଇଥାଏ ବୋଲି ସେ କୁହନ୍ତି। ‘ମାଟିର ବନ୍ଧନ’ ନାମକ ଏକ କଳାତ୍ମକ ଚଳଚ୍ଚିତ୍ରରେ ସେ କଳା ନିର୍ଦେଶନା ଦେଇଥିଲେ। ସେ ଷଷ୍ଠ-ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ନିଜ ହାତରେ ଚିତ୍ର ଆଙ୍କି ନିଜ କଳାକାର ପ୍ରତିଭାର ପରିଚୟ ଦେଇଥିଲେ। ସେହି ସମୟରେ ଚିତ୍ରକଳା ପ୍ରତିଯୋଗିତାରେ ଭାଗ ନେଇ ନୂଆଦିଲ୍ଲୀଠାରେ ‘ଜାତୀୟ ବାଲଶ୍ରୀ’ ପୁରସ୍କାର ପାଇଥିଲେ।

ସୁନୀଲ ଏବେ ନିଜ ଘର ନିକଟ ରଇପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ କଳା ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ବିଦ୍ୟାଳୟ କାର୍ଯ୍ୟ ସାରିବା ପରେ ଅବଶିଷ୍ଟ ସମୟରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ନିଜକୁ ହଜାଇ ଦେଇଥାନ୍ତି। ସେ ତାଙ୍କ କର୍ମଶାଳାରେ ୫ ଜଣ ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି। ତାଙ୍କ ଧର୍ମପତ୍ନୀ ରୁବିନା ଦାସ ମଧ୍ୟ ଫାଇନ ଆର୍ଟରେ ଡିଗ୍ରି ହାସଲ କରିଛନ୍ତି। ସେ ମଧ୍ୟ ଜଣେ ତୈଳଚିତ୍ର ଶିଳ୍ପୀ ଭାବେ ସୁନାମ ଅର୍ଜନ କରିଛନ୍ତି। ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ସେ ସ୍ୱାମୀଙ୍କୁ ସହଯୋଗ ଯୋଗାଇ ଦେବା ସହିତ ହାତରେ ତୂଳି ଧରି କାନଭାସରେ ଆଙ୍କୁଛନ୍ତି ବିଭିନ୍ନ ତୈଳଚିତ୍ର। ଉଭୟ ପତିପତ୍ନୀ ଏବେ ମୂର୍ତ୍ତି ଆଉ ଚିତ୍ର ଆଙ୍କି ଶିଳ୍ପୀ ଦମ୍ପତି ଭାବେ ପରିଚୟ ସୃଷ୍ଟି କରିଛନ୍ତି। ଏହି କାର୍ଯ୍ୟରେ ଉଭୟ ଆହୁରି ଆଗକୁ ଯାଇ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଉଭୟ ସୁନୀଲ ଆଉ ରୁବିନା ‘ସମ୍ବାଦ’କୁ କହିଛନ୍ତି।