ସୁମିତ-ତପସ୍ବିନୀଙ୍କୁ ଏକାଠି ରହିବାକୁ ନିର୍ଦ୍ଦେଶ, ଆସିକାରେ ଖୋଜା ହେବ ଭଡ଼ାଘର

ପରବର୍ତ୍ତୀ ଶୁଣାଣି ୧୭ତାରିଖକୁ ଧାର୍ଯ୍ୟ

ବ୍ରହ୍ମପୁର : ନ୍ୟାୟ ପାଇଁ ବୋହୂ ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ରୁଜୁ କରିଥିବା ପିଟିସନ୍‌ ଶୁଣାଣି ପାଇଁ ଆଜି ତାରିଖ ଧାର୍ଯ୍ୟ ହୋଇଥିଲା। ବୋହୂ ତପସ୍ବିନୀଙ୍କ ତରଫରୁ ରୁଜୁ ହୋଇଥିବା ପିଟିସନ୍‌ ଉପରେ ଉତ୍ତର ରଖିବା ପାଇଁ ଶ୍ବଶୁର ପ୍ରମୋଦ ସାହୁଙ୍କ ଓକିଲ ୭ଦିନ ସମୟ ମାଗିଥିଲେ। ଏସ୍‌ଡିଜେଏମ୍‌ ଏହାକୁ ଗ୍ରହଣ କରିଛନ୍ତି। ସେହିପରି ଡାକ୍ତର ସ୍ବାମୀ ସୁମିତ ସାହୁ ଓ ତପସ୍ବିନୀଙ୍କୁ ଏକ ଭଡ଼ାଘରେ ଏକାଠି ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଡା. ସୁମିତଙ୍କ କାର୍ଯ୍ୟସ୍ଥଳ ଆସିକା ଅଞ୍ଚଳରେ ଭଡ଼ାଘର ଖୋଜା ହେବ। ଡା. ସୁମିତ ତାଙ୍କର ପତ୍ନୀ ତପସ୍ବିନୀଙ୍କ ସମସ୍ତ ଦୈନନ୍ଦିନ ଖର୍ଚ୍ଚ ବହନ କରିବେ। ତାଙ୍କର ରହଣି ସମୟରେ ୭ଦିନରେ ଥରେ ଆସିକା ଥାନା ଅଧିକାରୀ ଓ ସୁରକ୍ଷା ଅଧିକାରୀ କୋର୍ଟରେ ତାଙ୍କର ରିପୋର୍ଟ ଦାଖଲ କରିବେ। ଏହି ରହଣି ସମୟରେ ସୁମିତ ଓ ତପସ୍ବିନୀ ତାଙ୍କର ସମ୍ପର୍କୀୟଙ୍କ ସହିତ ଦେଖା କରି ପାରିବେ ଓ କଥା ହୋଇ ପାରିବେ। ଏହା ସହିତ ପୁଲିସର ସୁରକ୍ଷା ବ୍ୟବସ୍ଥା ମଧ୍ୟ ରହିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିବା ତପସ୍ବିନୀଙ୍କ ଓକିଲ ରଂଜନ ଉପାଧ୍ୟାୟ, ପ୍ରଦୀପ ବେହେରା ସୂଚନା ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ତାରିଖକୁ ଧାର୍ଯ୍ୟ କରାଯାଇଛି ।

ଛତ୍ରପୁରର ତପସ୍ବିନୀ ଓ ବ୍ରହ୍ମପୁରର ଜଣେ ଯୁବ ଡାକ୍ତର ସୁମିତଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟେ ଗତବର୍ଷ କୋର୍ଟରେ ବିବାହ କରିବା ସହ ଏକାଠି ରହିଥିଲେ। ଗତ କିଛି ମାସ ହେବ ସ୍ବାମୀ, ଶାଶୂ ଓ ଶ୍ବଶୁର ମିଶି ତାଙ୍କୁ ନିର୍ଯାତନା ଦେଇଥିବା ନେଇ ତପସ୍ବିନୀ ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ଡାକ୍ତରଙ୍କ ପରିବାର ଲୋକେ ମାମଲା ଉଠାଇବା ପାଇଁ ବୋହୂକୁ ମନାଇବା ସହ ବାହଘର କରାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଗତ ୨୨ତାରିଖରେ ବାହାଘର ଲଗ୍ନ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଶ୍ବଶୁର ଘର ଲୋକ କୌଣସି ଆୟୋଜନ କରି ନଥିବାରୁ ତପସ୍ବିନୀ ବଧୂ ବେଶରେ ସଜେଇ ହୋଇ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହାୟତାରେ ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗର ସ୍ଥିତ ଶ୍ବଶୁର ଘର ଆଗରେ ଧାରଣା ଜାରି ରଖିଥିଲେ। ନ୍ୟାୟ ନମିଳିବାରୁ ଶେଷରେ ତପସ୍ବିନୀ କୋର୍ଟରେ ଆଶ୍ରୟ ନେଇଥିଲେ। ସ୍ବାମୀଙ୍କ ସହିତ ରହିବା ପାଇଁ ନିର୍ଦ୍ଦେଶ ଦେବାକୁ ସେ ପିଟିସନ୍‌ରେ ଆବେଦନ କରିଥିଲେ। ଗତ ୨ତାରିଖରେ ଏହାର ଶୁଣାଣି କରି ଏସ୍‌ଡିଜେଏମ୍‌ ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଡା. ସୁମିତଙ୍କ କର୍ମସ୍ଥଳ ଆସିକାରେ ଏକାଠି ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ପୁଅ କି ଝିଅର ପରିବାରବର୍ଗ କେହି ସେମାନଙ୍କ ସହିତ ଦେଖା କରି ପାରିବେ ନାହିଁ କି ଫୋନ୍‌ରେ କଥା ହେବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆସିକା ପୁଲିସ ହେପାଜତରେ ଉଭୟ ସ୍ବାମୀ-ସ୍ତ୍ରୀ ଆସିକା ଚିନିକଳ ସ୍ଥିତ ଆଇବିରେ ରହୁଛନ୍ତି ।

ଆଜି ପୂର୍ବାହ୍ନରେ ଆସିକା ଥାନା ଅଧିକାରୀ ପ୍ରଶାନ୍ତ ସାହୁ ଓ ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର କୋର୍ଟରେ ତାଙ୍କର ରିପୋର୍ଟ ଦାଖଲ କରିଥିଲେ। ଏହି ରିପୋର୍ଟକୁ ତର୍ଜମା କରି କୋର୍ଟ ତାଙ୍କର ନିର୍ଦ୍ଦେଶ ଦେଇଛନ୍ତି। ଏଣୁ ଆସନ୍ତା କାଲିଠାରୁ ସୁମିତ ଓ ତପସ୍ବିନୀ ଏକ ଭଡ଼ାଘର ନେଇ ରହିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର