ବୈପାରିଗୁଡା: ନିଜକୁ ଶ୍ରମ ଅଧିକାରୀ ପରିଚୟ ଦେଇ ଲୋକଙ୍କୁ ନକଲି ଶ୍ରମ କାର୍ଡ ପ୍ରଦାନ କରୁଥିବା ବେଳେ ଲୋକଙ୍କ ହାତରେ ଧରାପଡ଼ିବା ପରେ ପୁଲିସ ୨ ଜଣ ଯୁବକଙ୍କୁ ଗତକାଲି ଅଟକ ରଖି ତଦନ୍ତ କରିବା ପରେ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ବୈପାରିଗୁଡା ପୁଲିସ। ପ୍ରକାଶଥାଉକି, କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଥାନା ଅଞ୍ଚଳର ସିନ୍ଧିକଲିଆରି ଗ୍ରାମର କର୍ଣ୍ଣ କୁମାର ପାତ୍ର ଏବଂ ବିକାଶ ସାହୁ ନାମକ ଦୁଇ ଜଣ ଯୁବକ ବୈପାରିଗୁଡା ବ୍ଲକର ରାମଗିରି, ଚିପାକୁର ଏବଂ ହଳଦୀକୁଣ୍ଡ ଭଳି ଆଭ୍ୟନ୍ତରୀଣ ପଞ୍ଚାୟତର ଗ୍ରାମାଞ୍ଚଳ ଗୁଡ଼ିକରେ ପହଞ୍ଚି ନିଜକୁ ଶ୍ରମ ଅଧିକାରୀ ରୂପେ ପରିଚୟ ଦେଇ ଶ୍ରମ କାର୍ଡ ଯୋଗାଇବା ପାଇଁ ଆସିଥିବା କହି ସରଳ ଆଦିବାସୀଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ। କାର୍ଡ ପିଛା ଅଗ୍ରୀମ ୧୫୦ ଟଙ୍କା କାର୍ଡ ଯୋଗାଇ ଦେବା ପରେ ୬୦୦ ଟଙ୍କା ଆଦାୟ କରୁଥିଲେ। ତେବେ ଚିପାକୁର ପଞ୍ଚାୟତର ଝୁଲଣି ଗ୍ରାମରେ କାର୍ଡ ବାଣ୍ଟୁଥିବା ବେଳେ ପୂର୍ବରୁ ଶ୍ରମ କାର୍ଡ ପାଇଥିବା ଜନୈକ ଯୁବକ ଉଭୟ କାର୍ଡ କୁ ମେଳ କରିବା ପରେ ତାହା ନକଲି ବୋଲି ଜାଣି ପାରିଥିଲେ।
କର୍ଣ୍ଣ ଏବଂ ବିକାଶ ଧରାପଡ଼ି ଯାଇଥିବା ଜାଣି ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଦୁହିଁଙ୍କୁ କାବୁ କରିଥିଲେ। ଶ୍ରମ କାର୍ୟ୍ୟାଳୟକୁ ସୂଚନା ଦିଆଯିବାରୁ ସହକାରୀ ଶ୍ରମ ଅଧିକାରୀ ଚୈତନ୍ୟ ମାଝୀ ବୈପାରିଗୁଡା ଥାନାରେ ପହଞ୍ଚି କାର୍ଡ ସବୁକୁ ଯାଞ୍ଚ କରି ସେସବୁ ନକଲି ବୋଲି ଜାଣି ବୈପାରିଗୁଡା ଥାନା ଆଇଆଇସି ଅଶ୍ବିନ ପଟ୍ଟନାୟକଙ୍କୁ ଜଣାଇଥିଲେ। ବୈପାରିଗୁଡା ପୁଲିସ ଦୁଇ ନକଲି ଶ୍ରମ ଅଧିକାରୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲେ। କର୍ଣ୍ଣ ଏବଂ ବିକାଶ ଗତ ତିନିମାସ ତଳେ କୁନ୍ଦୁରା ବ୍ଲକର ଖଟଲାପଦର ଗ୍ରାମରେ ରହି ପୂଜା ସାମଗ୍ରୀ ବିକ୍ରି କରୁଥିବା ଜାଣି ସେଠାରେ ପହଞ୍ଚି ଘର ଯାଞ୍ଚ କରି ଗୋଟିଏ ରଙ୍ଗିନ ପ୍ରିଣ୍ଟର, ୧୩୩ଟି ନକଲି ଶ୍ରମ କାର୍ଡ ସହ ତିନୋଟି ମୋବାଇଲ ମଧ୍ୟ ଜବତ କରିଥିଲେ। ଏଥିସହ ସେମାନେ ବ୍ୟବହାର କରୁଥିବା ନମ୍ବର ବିହୀନ ବାଇକ ମଧ୍ୟ ଜବତ କରିଥିଲେ। ଆଜି ଜୟପୁର ଏସଡିପିଓ ଅରୂପ ଅଭିଷେକ ବେହେରା ବୈପାରିଗୁଡା ପହଞ୍ଚି ଘଟଣାର ତଦନ୍ତ କରିବା ପରେ କର୍ଣ୍ଣ ଏବଂ ବିକାଶକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବୈପାରିଗୁଡା ଥାନା ଆଇଆଇସି ଅଶ୍ବିନ ପଟ୍ଟନାୟକ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/WhatsApp-Image-2022-12-22-at-8.27.50-PM.jpeg)