ଶିଶୁ ମଂଗଳ ସମିତିର ଭ୍ରାମ୍ୟମାଣ ଅଦାଲତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମାଥିଲି ବ୍ଲକର ପାଙ୍ଗାମ ଠାରେ ଜିଲ୍ଲା ଶିଶୁ ମଂଗଳ ସମିତିର ଭ୍ରାମ୍ୟମାଣ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ଏବଂ ମାଥିଲି ସିଡିପିଓଙ୍କ ଦ୍ବାରା ଆୟୋଜନ କରାଯାଇଥିଲା। ପାଙ୍ଗାମ, ଚାଉଳମେନ୍ଦି, କାଲିଆଗୁଡା ସେକ୍ଟରର ଅନାଥ ପିଲା କିମ୍ବା ଜଣେ ଅଭିଭାବକଙ୍କ ଦ୍ବାରା ରହିଥିବା ପିଲାମାନଙ୍କୁ ନେଇ ଏହି ଅଦାଲତ ଅନୁଷ୍ଠିତ ହୋଇଥିଲା। ଯେଉଁ ପିଲାମାନଙ୍କର ବାପା ମାଆ ନାହାନ୍ତି ସେମାନେ ବିଭିନ୍ନ ପ୍ରକାର ହଇରାଣ ହେଉଥିବା ଏବଂ ଯେଉଁ ପିଲାମାନଙ୍କର ଜଣେ ବାପା କିମ୍ବା ମାଆ ରହିଛନ୍ତି ଏବଂ ସେମାନେ ପିଲାମାନଙ୍କୁ ପୋଷିବାରେ ଅସୁବିଧା ହେଉଛି, ସେହି ପିଲାମାନଙ୍କୁ ଏହି ଅଦାଲତରେ ଉପସ୍ଥିତ କରାଯାଇଥିଲା। ଏହି ଅଂଚଳର ପ୍ରାୟ ୨୫୦ ଜଣ ପିଲା ଉପସ୍ଥିତ ରହି ନିଜର ଅଭିଯୋଗ କରିଥିଲେ।

ଏମାନଙ୍କର ଯାଞ୍ଚ କରିବା ପାଇଁ ଶିଶୁ ମଂଗଳ ସମିତିର ଅଧ୍ୟକ୍ଷ ଅଶୋକ ପଟନାୟକ ସହିତ ସଭ୍ୟ ଚୁମକି ବେହେରା, ଦୀନବନ୍ଧୁ ଦାସ, ରାମ ଗୋବିନ୍ଦ ପଣ୍ଡା, ଶଂକର ପଲ ପ୍ରମୁଖ ଉପସ୍ଥିତ ଥିଲେ। ସମିତି ତରଫରୁ ଆସିଥିବା ଅସହାୟ ପିଲାମାନଙ୍କୁ ଠିକ ସ୍ଥାନରେ ରଖିବା, ସେମାନଙ୍କର ଯତ୍ନ ନେବା, ପାଠ ପଢାରେ ଅସୁବିଧା ନହେବା ଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏଭଳି କାର୍ୟ୍ୟକ୍ରମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ ବୋଲି କୁହାଯାଇଛି। ଜିଲ୍ଲାରେ ହୋଇଥିବା ସର୍ଭେ ଅନୁସାରେ ଜିଲ୍ଲାରେ ମୋଟ ୧୧ ହଜାର ୮୭୦ ଜଣ ପିଲାଙ୍କର ବାପାମାଆ ନାହାନ୍ତି କିମ୍ବା ଜଣେ ବାପା ଓ ମାଆଙ୍କ ପାଖରେ ଅତି କଷ୍ଟରେ ରହିଛନ୍ତି। ରାଜ୍ୟ ସରକାର ଏହି ପିଲାମାନଙ୍କ ପାଇଁ ରହିବା, ଖାଇବା ଏବଂ ପାଠ ପଢିବାରେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର