ନାବାଳକଙ୍କ ନାଁରେ ପତିତ୍ ଜମି ମାଲିକାନାସତ୍ତ୍ୱ ଅନୁମତି ଦେବା ମାମଲାରେ ରାଜସ୍ବ ନିରୀକ୍ଷକଙ୍କୁ ୨ବର୍ଷ ଜେଲ୍

ଜୟପୁର: ନାବାଳକଙ୍କ ନାଁରେ ଜବରଦଖଲରେ ଥିବା ପତିତ ଜମିର ମାଲିକାନା ସତ୍ତ୍ବ ଦେବା ମାମଲାର ବିଚାର କରି ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା ଅଭିଯୁକ୍ତ ରାଜସ୍ବ ନିରୀକ୍ଷକଙ୍କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆଉ ୬ମାସ ସଶ୍ରମ କାରାଦଣ୍ଡ ନିମନ୍ତେ ରାୟରେ ଉଲ୍ଲେଖ କରିଛନ୍ତି। ସୂଚନା ଅନୁଯାୟୀ, ନାରାୟଣପାଟଣା ତହସିଲର ପୋଡାପଦର ଗାଁର ଚନ୍ଦନ ବିଡିକା ଗାଁ ନିକଟରେ ଥିବା ନାରାୟଣପାଟଣା ମୌଜା ଖାତା ନଂ ୭୧, ପ୍ଲଟ ନଂ ୧୪୦ରେ ଏକ ଏକର ରାଜସ୍ବ ବିଭାଗର ପତିତ ଜମି ତାଙ୍କ ଦଖଲରେ ରଖିଥିଲେ।

ଏହି ଜମିର ମାଲିକାନା ସତ୍ତ୍ବକୁ ତତ୍କାଳୀନ ନାରାୟଣପାଟଣା ରାଜସ୍ବ ନିରୀକ୍ଷକ ପ୍ରେମ ଚନ୍ଦ୍ର ସୁନା ଚନ୍ଦନଙ୍କ ନାଁରେ ମାଲିକାନାସତ୍ତ୍ବ ଦେଇଥିଲେ। ଏନେଇ ଜୟପୁର ଭିଜିଲାନସ୍ ଏସପିଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଭିଜିଲାନସ୍ ପକ୍ଷରୁ ଗତ ୨୦୦୩ ମସିହା ସେପ୍ଟେମ୍ବର ୨୨ତାରିଖ ଦିନ ଯାଂଚ କରିଥିଲେ। ଯାଂଚ ସମୟରେ ଚନ୍ଦ ବିଡିକାଙ୍କୁ ୧୫ବର୍ଷ ୩ ମାସ ୧୬ଦିନ ହୋଇଥିବା ଜାଣିବାକୁ ପାଇ ରାଜସ୍ବ ନିରୀକ୍ଷକଙ୍କ ନାଁରେ ମାମଲା ରୁଜୁ କରିଥିଲେ। ଏହି ମାମଲାର ବିଚାର ଆଜି କରି ତତ୍କାଳୀନ ରାଜସ୍ବ ନିରୀକ୍ଷକ ପ୍ରେମ ଚନ୍ଦ୍ର ସୁନାଙ୍କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର