ଦୁଇଟି ଭିନ୍ନ ମାମଲାରେ ଗୋଟିଏ ଦିନରେ ଦୁଇ ନାବାଳିକା ଦୁଷ୍କର୍ମକାରୀଙ୍କୁ ଜେଲଦଣ୍ଡ 

ବାରିପଦା: ଦୁଇ ଭିନ୍ନ ମାମଲାରେ ଆଜି ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ମହେନ୍ଦ୍ର କୁମାର ସୂତ୍ରଧର ଦୁଇ ଅଭିଯୁକ୍ତଙ୍କୁ ସଶ୍ରମ କାରାଦଣ୍ଡାଦେଶ ରାୟ ଶୁଣାଇଛନ୍ତି। ଜଣଙ୍କୁ ୫ ବର୍ଷ ଜେଲ୍ ଦଣ୍ଡ ରାୟ ହୋଇଥିବାବେଳେ ଆଉ ଜଣଙ୍କୁ ୩ ବର୍ଷ ଜେଲଦଣ୍ଡ ହୋଇଛି। ଝାରପୋଖରିଆ ଥାନା ଅଞ୍ଚଳରେ ୩ ଫେବ୍ରୁୟାରୀ, ୨୦୧୭ରେ ନବକୁଞ୍ଜ ମହୋତ୍ସବ ଦେଖିବାକୁ ଯାଇ ଏକୁଟିଆ ଘରକୁ ଫେରୁଥିବା ଜଣେ ନାବାଳିକା(୧୨)ଙ୍କୁ ଅଭିଯୁକ୍ତ ମିଥୁନ ମହାନ୍ତ(୨୬) ଦୁଷ୍କର୍ମ କରିଥିଲା। ଝାରପୋଖରିଆ ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡି ଅଞ୍ଚଳର ଅଭିଯୁକ୍ତ ମିଥୁନ ପୀଡିତାଙ୍କୁ ବଳପୂର୍ବକ ପାଟିକୁ ଚାପି ଧରି ଦୁଷ୍କର୍ମ କରିବା ସହିତ କାହାକୁ ଏସମ୍ପର୍କରେ କହିଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିଲା ଅଭିଯୁକ୍ତ। ତେବେ ଘରକୁ ଫେରି ସବୁ କଥା କହିବା ପରେ ପରଦିନ ଏନେଇ ଥାନାରେ ମାମଲା ରୁଜୁ ହୋଇଥିଲା।

ଏହି ମାମଲାର ବିଚାର କରି ବିଚାରପତି ସୂତ୍ରଧର ୨୩ଜଣ ସାକ୍ଷୀ ଏବଂ ଅନ୍ୟାନ୍ୟ ପ୍ରମାଣକୁ ଭିତ୍ତି କରି ଆସାମୀକୁ ୮ ପୋକ୍ସୋ ଆକ୍ଟରେ ୫ ବର୍ଷ ଜେଲଦଣ୍ଡ ସହିତ ୫ହଜାର ଟଙ୍କା ଜରିମାନା, ୩୫୪ ଧାରାରେ ଏକ ବର୍ଷ ଜେଲଦଣ୍ଡ ସହିତ ୧ହଜାର ଟଙ୍କା ଜରିମାନା ଏବଂ ୫୦୬ ଦଫାରେ ଏକ ବର୍ଷ ଏବଂ ୬ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଆସାମୀ ଜଣଙ୍କ ୫ ବର୍ଷ ଜେଲଦଣ୍ଡ ଭୋଗିବା ସହିତ ଜରିମାନା ଅନାଦେୟ ଅତିରିକ୍ତ ୩ ମାସ ଜେଲରେ ରହିବାକୁ ରାୟ ହୋଇଛି। ସେହିପରି ବେତନଟୀ ଥାନା ଅଞ୍ଚଳରେ ୨୦ ସେପ୍ଟେମ୍ବର, ୨୦୧୮ରେ ଘଟିଥିବା ଏକ ଦୁଷ୍କର୍ମ ଉଦ୍ୟମ ମାମଲାରେ ଅଭିଯୁକ୍ତ କନ୍ଦା ମୁଖୀ(୨୬)କୁ ବିଚାରପତି ମହେନ୍ଦ୍ର କୁମାର ସୂତ୍ରଧର ୧୩ ସାକ୍ଷୀ ଏବଂ ପ୍ରମାଣକୁ ଭିତ୍ତି କରି ୮ ପୋକ୍ସୋ ଆକ୍ଟରେ ୩ ବର୍ଷ ଜେଲଦଣ୍ଡ ସହିତ ୫ହଜାର ଟଙ୍କା ଜରିମାନା, ୩୫୪(ଖ)ରେ ୩ ବର୍ଷ ଜେଲ୍ ସହିତ ୫ ହଜାର ଜରିମାନା ଏବଂ ଆଇପିସି ୪୫୧ରେ ୬ ମାସ ଜେଲ୍ ଏବଂ ଜରିମାନା ୨ହଜାର ଟଙ୍କାରେ ଦଣ୍ଡିତ କରାଯାଇଛି।

ଅଭିଯୁକ୍ତକୁ ସର୍ବମୋଟ ୧୨ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରାଯାଇଛି। ଅଭିଯୁକ୍ତ କନ୍ଦା ମୁଖୀକୁ ୩ ବର୍ଷ ଜେଲ୍ ସହିତ ଜରିମାନା ଅନାଦେୟ ଅତିରିକ୍ତ ୬ମାସ ଜେଲଦଣ୍ଡ ରାୟ ହୋଇଛି। ଶୁଳିଆପଦା ଥାନା ଅନ୍ତର୍ଗତ ନୁହାମାଳିଆ ଗ୍ରାମର ଆସାମୀ କନ୍ଦା ମୁଖୀ ବେତନଟୀ ଥାନା ଅଞ୍ଚଳରେ ଘରେ କେହି ନଥିବାରୁ ସୁଯୋଗ ନେଇ ପୀଡିତାଙ୍କୁ ଦୁଷ୍କର୍ମ କରିବାର ଉଦ୍ୟମ କରୁଥିଲା। ତେବେ ଜଣେ ବ୍ୟକ୍ତି ଅଭିଯୁକ୍ତର ଏପରି ଉଦ୍ୟମକୁ ପଣ୍ଡ କରିବା ସହିତ ପୀଡିତାଙ୍କ ବାପା ମା’ଙ୍କୁ ଖବର ଦେଇଥିଲେ। ଅଭିଯୁକ୍ତକୁ ୨୧ ସେପ୍ଟେମ୍ବର,୨୦୧୮ରେ ଗିରଫ କରାଯାଇଥିଲା। ସେବେଠାରୁ ସେ ଜେଲରେ ଅଛି। ଉଭୟ ମାମଲାକୁ ସ୍ବତନ୍ତ୍ର ସରକାରୀ ଓକିଲ ଅଭିନ୍ନ କୁମାର ପଟ୍ଟନାୟକ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର