ବହଲବାହାଲ ହତ୍ୟାକାଣ୍ତ ଘଟଣା, ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ପଦ୍ମପୁର,୧୨ା୧୧(ଇମିସ): ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ସୋହେଲା ଥାନା ଅଧୀନସ୍ଥ ବହଲବାହାଲ ଗ୍ରାମରେ ୨୦୧୫ ମସିହା ଅକ୍ଟୋବର ୨୭ ତାରିଖ ଘଟିଥିବା ହତ୍ୟାକାଣ୍ତର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ନୀଳଗିରି ଜେନା ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଓ ପାଞ୍ଚ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟରେ ଅତିରିକ୍ତ ଏକ ବର୍ଷ ଜେଲଦଣ୍ତ  ଭୋଗିବାକୁ ହେବ।

ସୂଚନାଯୋଗ୍ୟ, ବହଲବାହାଲ ଗ୍ରାମର ଅର୍ଜ୍ଜୁନ ଭୁଏ ଓ ଚୂଡ଼ାମଣି ମେହେର କୌଣସି ଏକ କାମରେ ବିଜେପୁର ଯାଇଥିଲେ। ସନ୍ଧ୍ୟାରେ ଗାଁକୁ ଫେରୁଥିବା ବେଳେ ନାରାୟଣ ମନ୍ଦିର ପାଖରେ ହରେକୃଷ୍ଣ ବର୍ଗେ, ଚନ୍ଦ୍ରଶେଖର, ରାହାସ, ପ୍ରମୋଦ, କେଶବ ଓ ଶରତ କାଠ ଫାଳିଆରେ ଅର୍ଜ୍ଜୁନଙ୍କୁ ଆକ୍ରମଣ କରିଥିଲେ। ଖବରପାଇ ଅର୍ଜ୍ଜୁନଙ୍କ ବଡ଼ଭାଇ  ଜ୍ୟୋତିରାଜ ପହଂଚି ଗଣ୍ତଗୋଳ ନ କରିବାକୁ ଅନୁରୋଧ କରିଥିଲେ। ତଥାପି ଆକ୍ରମଣକାରୀମାନେ ଶୁଣିନଥିଲେ। ଗ୍ରାମବାସୀ ପହଂଚିବା ଦେଖି ଅଭିଯୁକ୍ତମାନେ ଫେରାର ମାରିଥିଲେ।

ଅର୍ଜ୍ଜୁନଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସୋହେଲା ଓ ପରେ ବୁର୍ଲାକୁ ସ୍ଥାନାନ୍ତରିତ  କରାଯାଇଥିଲା। ସେଠାରୁ କଟକ ବଡ଼ମେଡିକାଲ୍‌ ନିଆଗଲା। ୨୦୧୫ ଡିସେମ୍ବର ୯ ତାରିଖ ତାଙ୍କ ମୃତ୍ୟୁ ହୋଇଥିଲା। ସରକାରୀ ଓକିଲ ରଜନୀ ଦାଶ ମୃତକଙ୍କ ପରିବାର ପକ୍ଷରୁ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର