ଭାରତୀୟ ମଜଦୁର ସଂଘ ପକ୍ଷରୁ କରୋନା ଟିକାକରଣ ପାଇଁ ସଚେତନତା

ମାଲକାନଗିରି: ସାରା ବିଶ୍ବରେ ଏବେ କରୋନା ମହାମାରୀ ସହ ସଂଗ୍ରାମ କରୁଛି। ଆଉ କରୋନା ମହାମାରୀକୁ ନିୟନ୍ତ୍ରଣକୁ ଆଣିବାକୁ ହେଲେ ଟିକାକରଣ ହେଉଛି ଏକମାତ୍ର ଉପାୟ। ସାରା ଦେଶ ତଥା ରାଜ୍ୟରେ ଟିକାକରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ବେଳେ ଏବେ ବି ସଚେତନତା ଅଭାବ ଯୋଗୁଁ ଲୋକମାନେ ଟିକାକରଣ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି।

ମାଲକାନଗିରି ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ସାଧାରଣତଃ ଲୋକମାନଙ୍କ ମନରେ କରୋନା ଟିକାକରଣକୁ ନେଇ ବିଭିନ୍ନ ଭ୍ରାନ୍ତ ଧାରଣା ରହିଛି। ଏଠାରେ ବସବାସ କରୁଥିବା ଅଧିକାଂଶ ଆଦିବାସୀ ସଂପ୍ରଦାୟର ଲୋକମାନଙ୍କ ମନରେ ଟିକାକରଣକୁ ନେଇ ଏକ ଅଜଣା ଡର ରହିଛି। ମାଲକାନଗିରି ଜିଲ୍ଲାର ଭାରତୀୟ ମଜଦୁର ସଂଘ ଏବଂ ନିଖିଳ ଓଡିଶା ବିଦ୍ୟୁତ ମଜଦୁର ସଂଘ ପକ୍ଷରୁ ଏମଭି-୧୧ ଅନ୍ତର୍ଗତ କିରକିଲଗୁଡା ଗ୍ରାମରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଘର କର୍ମକର୍ତ୍ତାମାନେ ଘର ଘର ବୁଲି ଗ୍ରାମବାସୀମାନଙ୍କୁ ମାସ୍କ ତଥା ସାନିଟାଇଜର ବଣ୍ଟନ ସହ କରୋନା ଟିକା ନେବା ପାଇଁ ସଚେତନତା କରାଇଥିଲେ। ଗ୍ରାମବାସୀମାନଙ୍କ ସମସ୍ତ ପ୍ରଶ୍ନର ଉତ୍ତର ସହ ବିଭିନ୍ନ ଉଦାହରଣ ଦେଇ ସେମାନଙ୍କ ମନରେ ଟିକାକରଣକୁ ନେଇ ଥିବା ଭ୍ରାନ୍ତ ଧାରଣାକୁ ଦୂର କରିବା ସହ ଟିକାକରଣ ପାଇଁ ସେମାନଙ୍କ ମନରେ ବିଶ୍ବାସ ଜାଗ୍ରତ କରାଯାଇଥିଲା। ଟିକାକରଣର ବିଭିନ୍ନ ପ୍ରକ୍ରିୟା ବୁଝାଇବା ସହ ସଂଘ ପକ୍ଷରୁ ଯେଉଁମାନେ ଟିକା ନେଇନାହାନ୍ତି ସେମାନଙ୍କ ଏକ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି।

Sambad

ତେବେ ପ୍ରତି ରବିବାର ଦିନ ଗୋଟିଏ ଗୋଟିଏ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ କରାଯାଇ ଲୋକମାନଙ୍କୁ କରୋନା ଟିକାକରଣ ପାଇଁ ଉତ୍ସାହିତ କରାଯିବ ବୋଲି ନିଖିଳ ଓଡିଶା ବିଦ୍ୟୁତ ମଜଦୁର ମହାସଂଘର ସାଧାରଣ ସଂପାଦକ ସତ୍ୟବ୍ରତ ପରିଡା ସୂଚନା ଦେଇଛନ୍ତି। ଏଥିସହ ଏହି କାର୍ଯ୍ୟକ୍ରମରେ ବିଶ୍ବ ଜନସଂଖ୍ୟା ଦିବସ ଅବସରରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ପକ୍ଷରୁ ସଭାପତି ହରପ୍ରସାଦ ଖାଡାଙ୍ଗା ଜନସଂଖ୍ୟା ବିସ୍ଫୋରଣ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରେବା ବିଶ୍ବାସ, ସୀତାରାମ ସାମନ୍ତରାୟ, ବିକାଶ ମହାନ୍ତି, ରମଣ ସେନାପତି, ଚକ୍ରଧର ଗୌଡ, ଗଗନ କୁମାର ସାହୁ ଓ ଆୟୁଷ୍ମାନ ସିଂହ ଲୋହାର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର