କୋଭିଡ୍‌ ସଚେତନତା ରଥର ଶୁଭାରମ୍ଭ

ଖୋର୍ଦ୍ଧା: ଆସନ୍ତା ୩ ତାରିଖରୁ ଜିଲ୍ଲାର ମଠ, ମନ୍ଦିର ଓ ଦେବାଳୟ ଖୋଲିବ। ମନ୍ଦିରକୁ ଯିବା ସମୟରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ନିୟମିତ ହାତ, ଗୋଡ଼କୁ ସାନିଟାଇଜ୍‌ କରିବା, ଭିଡ଼ ଠାରୁ ଦୂରେଇ ରହିବା ଆଦି ଆବଶ୍ୟକ ଏନେଇ ସଚେତନତା ସୃଷ୍ଟି କରିବାକୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସଚେତନତା ରଥକୁ ଜିଲ୍ଲାପାଳ ସନତ କୁମାର ମହାନ୍ତି ଶୁଭାରମ୍ଭ କରିଛନ୍ତି।

ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା, ଲୋକ ସମ୍ପର୍କ ବିଭାଗ ଓ ୟୁନିସେଫ୍‌ର ମିଳିତ ସହାୟତାରେ ଏହି ରଥ ପ୍ରସ୍ତୁତ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଏହି ରଥକୁ ଜିଲ୍ଲାପାଳ ଶୁଭାରମ୍ଭ କରିବା ଅବସରରେ କହିଛନ୍ତିି ଯେ ଏହି ରଥ ଆସନ୍ତା ୩୦ ତାରିଖ ଯାଏଁ ବିଭିନ୍ନ ଅଂଚଳ ଓ ବ୍ଲକ ଭ୍ରମଣ କରି ଲୋକଙ୍କୁ ସଚେତନ କରାଇବ। କୋଭିଡ୍‌ ସଚେତନତା ରଥରେ ଲୋକକଳା ଦଳ ସାମିଲ ହୋଇ କୋଭିଡ୍‌ ସଚେତନତା ବାର୍ତା ବାଂଟିବେ।

ଆଜି ପ୍ରଥମ ଦିନରେ ରଥ ଖୋର୍ଦ୍ଧା ଓ ଟାଙ୍ଗୀ ବ୍ଲକ ପରିକ୍ରମା କରିଥିଲା। ୨୬ ତାରିଖରେ ଚିଲିକା ଓ ବାଣପୁର ବ୍ଲକ, ୨୭ ତାରିଖରେ ବୋଲଗଡ଼ ଓ ବେଗୁନିଆ ବ୍ଲକ, ୨୮ ତାରିଖରେ ବାଲିପାଟଣା ଓ ବାଲିଅନ୍ତା ବ୍ଲକ, ୨୯ ତାରିଖରେ ଜଟଣୀ ବ୍ଲକ ଓ ଭୁବନେଶ୍ୱର ବ୍ଲକ ପରିକ୍ରମା କରିବ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ମାନସ ରଂଜନ ବିଶ୍ୱାଳ, ଖୋର୍ଦ୍ଧା ଜିଲ୍ଲା କଳା, ସଂସ୍କୃତି ସଂଘର ଉପସଭାପତି ରାମଚନ୍ଦ୍ର କର ଓ ଅନ୍ୟ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର