ଲୋକେ କୋଭିଡ ନିୟମ ମାନୁଥିବାରୁ ସଂକ୍ରମଣ ହାର ହ୍ରାସ ପାଇଛି: ସିଏମ୍‌ସି କମିସନର

କଟକ: କରୋନା ଭାଇରସ କଟକ ସହରରେ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି । ସହରବାସୀ କୋଭିଡ ନିୟମ ମାନୁଥିବାରୁ ସଂକ୍ରମଣ କମ ହୋଇଛି । ରାଜ୍ୟ ସରକାରଙ୍କ କୋଭିଡ ସଚେତନତାମୂଳକ କାର୍ଯ୍ୟକ୍ରମରେ କଟକ ମହାନଗର ନିଗମର କମିସନର ଅନନ୍ୟା ଦାସ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗତ ମାର୍ଚ୍ଚ ୧୫ରୁ ସଂକ୍ରମଣ ବଢ଼ିବାରେ ଲାଗିଥିଲା । ମେ’ ମାସ ୧୫ ତାରିଖରେ ସର୍ବାଧିକ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଥିଲେ । କିନ୍ତୁ ମେ’ ମାସ ଶେଷ ସପ୍ତାହରେ ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଲା । ଗତ ସପ୍ତାହ ଠାରୁ କଟକ ସହରରେ ଦୈନିକ ସଂକ୍ରମଣ ୨୦୦ ତଳକୁ ରହୁଛି ।

ସ୍ୱାସ୍ଥ୍ୟ ଭିତ୍ତିଭୂମି ନେଇ ସିଏମ୍‌ସି କମିସନର କହିଛନ୍ତି, ଆମ ପାଖରେ ଆବଶ୍ୟକ ଅନୁଯାୟୀ ବେଡ୍ ମହଜୁଦ ରହିଛି ।  କଟକରେ ଅକ୍ସିଜେନ୍ ବେଡ ବହୁତ ଖାଲି ରହିଛି । ଏତଦ ବ୍ୟତୀତ ଅନ୍ୟ ବେଡ ସଂଖ୍ୟା ମଧ୍ୟ ଖାଲି ରହିଛି । କେବଳ ଏସ୍‌ସିବିରେ ୬୦୦ ବେଡ ରହିଛି । ଅକ୍ସିଜେନ ମୁକାବିଲା ପାଇଁ ନିକଟରେ ଏସସିବିରେ ୨ଟି ପ୍ରକଳ୍ପ ଶିଳାନ୍ୟାସ ହୋଇଛି । ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଭଲ କାମ କରୁଛନ୍ତି । ଏଥିରେ କଟକବାସୀ ସହଯୋଗ କରିଛନ୍ତି ।

ସିଏମ୍‌ସି କମିସନର କହିଛନ୍ତି ଯେ, କଟକରେ ଟିକାକରଣ ଜାରି ରହିଛି । ଏପର୍ଯ୍ୟନ୍ତ ସାଢ଼େ ୩ ଲକ୍ଷ ଡୋଜ ଟିକାକରଣ କରାଯାଇଛି । ଅନ୍‌ଲାଇନ୍ ବ୍ୟତୀତ ଅଫ୍‌ଲାଇନ୍‌ରେ ମଧ୍ୟ ଟିକାକରଣ କରାଯାଉଛି । ଦିବ୍ୟାଙ୍ଗମାନଙ୍କ ଟିକାକରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେହିଭଳି ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି । ପିକ୍‌ଅପ୍ ଭ୍ୟାନ୍ ଓ ଟିକାକରଣ ପାଇଁ ଆମେ ସ୍ୱତନ୍ତ୍ର ସୁବିଧା ଦେଉଛୁ । ଏହି ସୁବିଧାରୁ ଲାଭ ଉଠାଇବା ପାଇଁ ଲୋକଙ୍କୁ ଟୋଲ ଫ୍ରି ନମ୍ବରରେ ଫୋନ୍ କରିବାକୁ ହେବ । କରୋନା ସଂକ୍ରମଣ କମୁଥିଲେ ବି ଆମକୁ ସତର୍କ ରହିବାକୁ ପଡ଼ିବ । ଆଗାମୀ ଦିନରେ ରଜ ଓ ଅନ୍ୟ ପର୍ବପର୍ବାଣୀ ଆସୁଛି । ଏହି ସମୟରେ ଆମେ ଭିଡ ନକରି କରୋନା ପ୍ରତି ସତର୍କ ରହିବା ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର