ଜାଗର ଯାତ୍ରା ଉପରେ କଟକଣା ଲଗାଇଲା ଯାଜପୁର ଜିଲ୍ଲା ପ୍ରଶାସନ, ୫ଟି ମନ୍ଦିରରେ ୧୪୪ ଧାରା ଲାଗୁ

ଯାଜପୁର: କରୋନା କଟକଣା ପାଇଁ ଚଳିତ ବର୍ଷର ଜାଗର ଯାତ୍ରାକୁ କଟକଣା ସହିତ ଆୟୋଜନ କରିବାକୁ ଯାଜପୁର ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।  ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଜିଲ୍ଲାରେ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ତେବେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆସନ୍ତାକାଲି କଟକଣା ଭିତରେ ସାରା ଜିଲ୍ଲାରେ ଜାଗର ଯାତ୍ରା ପାଳନ କରିବାକୁ ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।

 

କେବଳ ନୀତିନିୟମ ଅନୁସାରେ ମନ୍ଦିରର ପୂଜା କାର୍ଯ୍ୟ ଅନୁଷ୍ଠିତ ହେବାକୁ ଅନୁମତି ମିଳିଥିବା ବେଳେ ଶ୍ରଦ୍ଧାଳୁମାନେ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର କରି ପୂଜା କରିପାରିବେ। କୌଣସି ସ୍ଥାନରେ ଭଜନ, କୀର୍ତନ ଓ ଅନ୍ୟାନ୍ୟ ସାଂସ୍କୃତି କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି।  ନିୟମ ଉଲଘଂନ ହେଲେ ମନ୍ଦିର କମିଟି ଦାୟୀ ରହିବ ବୋଲି ଜିଲ୍ଲାପାଳ ଚେତାବନୀ ଦେଇଛନ୍ତି। ସମସ୍ତ ତହସିଲଦାର ନିଜ ନିଜ ଅଞ୍ଚଳରେ ଥିବା ମନ୍ଦିରକୁ ସ୍ଥାନୀୟ ପୁଲିସର ସହଯୋଗରେ ପରିଦର୍ଶନ କରି  ନିର୍ଦ୍ଦେଶ ପାଳନ କରାଯାଉଛି କି ନାହିଁ ସେ ନେଇ ତଦାରଖ କରିବାକୁ ଜିଲ୍ଲାପାଳ ସବୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିୟମ ଉଲଘଂନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ଅନ୍ୟପଟେ ଯାଜପୁର ତହସିଲ ପକ୍ଷରୁ ୫ଟି ପ୍ରମୁଖ ଶିବ ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି। ଏନେଇ ସବୁ ମନ୍ଦିର ପରିସରରେ ତହସିଲ ପକ୍ଷରୁ ୧୪୪  ଜାରିର ପୋଷ୍ଟର ଲଗାଯାଇଛି।  ଯାହାକି  ଯାଜପୁର ସହରର  ସଂଲଗ୍ନ ଲଳିତେଶ୍ବର ଶିବ ମନ୍ଦିର, ବେଲେଶ୍ବର ଠାରେ ଥିବା ବେଲେଶ୍ବର ଶିବ ମନ୍ଦିର,ତ୍ରିଲୋଚନାପଡାର ତ୍ରିଲୋଚେନେଶ୍ବର ମନ୍ଦିର, ନୁନୁପୁରର ଲୋକନାଥ ମନ୍ଦିର ଓ ମତାବାଦର ଉତ୍ତରେଶ୍ବର ଶିବ ମନ୍ଦିରରେ କଟକଣା ଜାରି କରାଯାଇଛି। ଏନେଇ ତହସିଲ ପକ୍ଷରୁ ଯାଜପୁର ଟାଉନ ଓ ଯାଜପୁର ସଦର ଥାନାକୁ ଅବଗତ କରାଯାଇଛି।

ସମ୍ବନ୍ଧିତ ଖବର