କୋଭିଡ୍ ଚିନ୍ତା: ଦୋକାନବଜାର ବୁଲି ସଚେତନ କରାଇଲେ ଅଧିକାରୀ

୯୦୫ ନମୁନା ପରୀକ୍ଷଣ, ୫ ନୂଆ କରୋନା ଆକ୍ରାନ୍ତ

ଖୋର୍ଦ୍ଧା: ରାଜ୍ୟରେ କରୋନା ଭୂତାଣୁର ନୂତନ ଷ୍ଟ୍ରେନ ପାଇଁ ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । ଏହି ସଂକ୍ରମଣରେ ଖୋର୍ଦ୍ଧା ଜିଲ୍ଲା ଆଗରେ ରହିଛି । ଆଜି ଗୋଟିଏ ଦିନରେ ଖୋର୍ଦ୍ଧା ଗ୍ରାମାଂଚଳରେ ୯୦୫ଟି ସ୍ୱାବ ନମୁନା ପରୀକ୍ଷଣ କରାଯାଇଥିବା ବେଳେ ୫ଜଣ ନୂତନ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଆଜି ନିଜେ ଉପଜିଲ୍ଲାପାଳ ଓ ନିର୍ବାହୀ ଅଧିକାରୀ ସହରର ବିଭିନ୍ନ ଦୋକାନବଜାର ବୁଲି ଦୋକାନୀ ଓ ଲୋକଙ୍କୁ କରୋନା ଗାଇଡଲାଇନ ମାନିବାକୁ ସଚେତନତା କରିଛନ୍ତି ।

ଆଜି ସକାଳେ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେଉରିଆ ଓ ଖୋର୍ଦ୍ଧା ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥୀ ସହରର ବିଭିନ୍ନ ଦୋକାନବଜାର ବୁଲି ସାମାଜିକ ଦୂରତା, ପୂର୍ବଭଳି ୩ଫୁଟ ଦୂରରେ ଚିହ୍ନିତ କରି ଲୋକଙ୍କୁ ସାମଗ୍ରୀ ଦେବା, ଦୋକାନରେ ଗହଳି ନକରିବା, ସାନିଟାଇଜର, ମାସ୍କ ଆଦି ବାଧ୍ୟତାମୂଳକ କରିବା ଆଦି ସମ୍ପର୍କରେ ବୁଝାଇଥିଲେ । ଅଧିକାରୀଙ୍କ ବୁଝାଇବା କେତେକ ଦୋକାନରେ ସାମାଜିକ ଦୂରତ୍ୱ ପାଇଁ ବ୍ୟବସ୍ଥା କରିବା ଦେଖାଯାଇଥିଲା । ଏନେଇ ଉପଜିଲ୍ଲାପାଳ ଶ୍ରୀ ବେଉରିଆ କହିଛନ୍ତି ଯେ ଖୋର୍ଦ୍ଧା ଗ୍ରାମାଂଚଳରେ ସଂକ୍ରମଣର ସ୍ଥିତି ଭୁବନେଶ୍ୱର ମହାନଗର ଭଳି ହୋଇନାହିଁ । ତେବେ ଲୋକମାନେ ଏନେଇ ସଚେତନ ରହିବା ଆବଶ୍ୟକ । ଅନ୍ତତଃ କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ସତର୍କ ରହିବା ଆବଶ୍ୟକ ।

ଜିଲ୍ଲା ଆପାତ୍ତକାଳୀନ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଆଜି ଖୋର୍ଦ୍ଧା ଗ୍ରାମାଂଚଳର ୧୦ଟି ପରୀକ୍ଷଣ କେନ୍ଦ୍ରରେ ୬୦୭ ରାପିଡ୍ ଆଂଟିଜେନ୍ ଟେଷ୍ଟ(ରାଟ୍) ଓ ୨୯୮ଟି ଆର୍ଟିପିସିଆର୍ ପରୀକ୍ଷଣ ହୋଇଛି । ଏହା ମଧ୍ୟରୁ ୫ଜଣ ନୂତନ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଚିହ୍ନଟମାନଙ୍କ ମଧ୍ୟରେ ବାଲିଅନ୍ତାରୁ ଜଣେ, ଜଟଣୀରୁ ୨ଜଣ ଓ ଖୋର୍ଦ୍ଧାରୁ ଏବଂ ଚିଲିକା-ବାଲୁଗାଁରୁ ଜଣେ ଚିହ୍ନଟ ହୋଇଛନ୍ତି ।

ଟିକାକରଣ ଅଭିଯାନରେ ଆଜି ସୁଦ୍ଧା ୪୫ ଓ ୬୦ ବର୍ଷରୁ ଉଦ୍ଧ୍ୱର୍ ୬୫୦୨୨ଜଣ ଟିକା ନେଇଛନ୍ତି । ଆଜି ଗୋଟିଏ ଦିନରେ ୨୬୫୨ଜଣ ୪୫ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତି ଟିକା ନେଇଥିବା ବେଳେ ୧୬୫୬ ୬୦ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତି ଟିକା ନେଇଛନ୍ତି । ଆଜି ୪୬୨୭ଜଣଙ୍କୁ ଟିକା ଦେବା ଲକ୍ଷ୍ୟ ରଖାଯାଇଥିଲା । ସଂଧ୍ୟାସୁଦ୍ଧା ୪୭୩୫ଜଣଙ୍କୁ ଅର୍ଥାତ୍ ୧୦୨.୩ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇଥିବା ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟାଧିକାରୀ ଡା ବିଶ୍ୱରଂଜନ ପତି ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର