କୋରାପୁଟରେ କୋଭିଡ କେୟାର କେନ୍ଦ୍ର ଉଦ୍‌ଘାଟିତ, ସୁନାବେଡାରେ ହେବ କୋଭିଡ କେୟାର କେନ୍ଦ୍ର

କୋରାପୁଟ: କୋରାପୁଟ ଜିଲ୍ଲାରେ ଆଜି ତୃତୀୟ କୋଭିଡ କେୟାର କେନ୍ଦ୍ରକୁ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଉଦ୍‌ଘାଟନ କରିଛନ୍ତି। ଅ‌ନ୍ବେଷା ହଷ୍ଟେଲରେ ହୋଇଥିବା ଏହି କେନ୍ଦ୍ରରେ ୭୦ଟି ଶଯ୍ୟା ରହିଛି। ଅଳ୍ପ ଲକ୍ଷଣ କିମ୍ବା ବିନା ଲକ୍ଷଣ ‌କରୋନା ଆକ୍ରାନ୍ତଙ୍କୁ ଏଠାରେ ଚିକିତ୍ସା କରାଯିବ। ଏହା କୋରାପୁଟ ସହରର ଦ୍ବିତୀୟ କୋଭିଡ କେୟାର କେନ୍ଦ୍ର ହୋଇଥିଲାବେଳେ ଜିଲ୍ଲାର ତୃତୀୟ କେନ୍ଦ୍ର। ଏହା ପୂର୍ବରୁ କୋରାପୁଟ ମହିଳା କଲେଜ ହଷ୍ଟେଲରେ ଗୋଟିଏ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ କେୟାର କେନ୍ଦ୍ର କାର୍ଯ୍ୟକ୍ଷମ ‌ଅଛି।

ସେହିପରି ଜୟପୁରଠାରେ କିଛି ଦିନ ‌ତଳେ ୭୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର କେନ୍ଦ୍ର ଉଦ୍‌ଘାଟିତ ହୋଇଛି। ଏସବୁ ମିଶାଇ ଏବେ ଜିଲ୍ଲାରେ କୋଭିଡ କେୟାର କେନ୍ଦ୍ରଗୁଡିକରେ ୩୪୦ ଶଯ୍ୟା ରହିଛି। ସେହିପରି ଜୟପୁରରେ ଥିବା କୋଭିଡ ଡାକ୍ତରଖାନାରେ ୧୫୦ ଶଯ୍ୟା ରହିଛି। ଆଗକୁ କୋରାପୁଟରେ ଆଉ ଏକ କୋଭିଡ କେୟାର କେନ୍ଦ୍ର କରାଯିବ ବୋଲି ଜଣାପଡିଛି।

ସେହିପରି ସୁନାବେଡା ଏରୋନେଟିକ୍ସ କଲେଜ ପାଖରେ ଥିବା କଲ୍ୟାଣ ମଣ୍ଡପରେ ୫୦ ଶଯ୍ୟା ବିଶିଷ୍ଟ ଏକ କୋଭିଡ କେୟାର କେନ୍ଦ୍ର କରାଯିବ। ଏଥିପାଇଁ ହାଲ ତରଫରୁ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ହାଲ ପକ୍ଷରୁ ଚିଠି ଲେଖି କୋରାପୁଟ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ଫଳରେ ଜିଲ୍ଲାରେ ଖୁବଶୀଘ୍ର ଆଉ ଦୁଇଟି କୋଭିଡ କେୟାର କେନ୍ଦ୍ର କାର୍ଯ୍ୟକ୍ଷମ ହେବ। ଏହି ସବୁ ସ୍ଥାନରେ ଅଳ୍ପ, ମଧ୍ୟମ ଲକ୍ଷଣ ଓ ବିନା ଲକ୍ଷଣ କରୋନା ରୋଗୀଙ୍କୁ ରଖି ଚିକିତ୍ସା କରାଯିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର