ମୟୂରଭଞ୍ଜରେ ଥମୁନି କରୋନା; ୧୨ ଘଣ୍ଟା ଭିତରେ ଆଖି ବୁଜିଲେ ବାପ-ପୁଅ

ଗାଁଅମର୍ଦା: କରୋନାରେ ଆକ୍ରାନ୍ତ ହୋଇ ୧୨ ଘଣ୍ଟା ଭିତରେ ଆରପାରିକୁ ଚାଲିଗଲେ ବାପପୁଅ। ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ୍‌ ଗଡ଼ିଘାଟି ପଞ୍ଚାୟତ ତମ୍ବାଖୁରୀ ଗାଁରେ ଘଟିଛି ଏହି ହୃଦୟ ବିଦାରକ ଘଟଣା। ଦିନ କେଇଟା ଆଗରୁ ହସଖୁସିରେ ଉଛୁଳୁଥିବା ପରିବାରରେ ଏବେ ବିଷାଦର ଛାୟା। ପୁଅବୋହୂ, ନାତିନାତୁଣୀଙ୍କୁ ନେଇ ହସଖୁସିରେ ଚାଲୁଥିଲା ତମ୍ବାଖୁରୀ ଗ୍ରାମର ପ୍ରିୟନାଥ କବି (୮୧)ଙ୍କ ପରିବାର। ଗତ ସପ୍ତାହରେ ପରିବାରର ଅଧିକାଂଶ ସଦସ୍ୟଙ୍କ ଦେହ ଖରାପ ହେଲା। ଜ୍ବର ଲାଗି ରହିବାରୁ ସମସ୍ତେ କରୋନା ପରୀକ୍ଷା କରିଥିଲେ। ୮ ଜଣଙ୍କ ମଧ୍ୟରୁ ପ୍ରିୟନାଥ (୮୧), ତାଙ୍କ ପତ୍ନୀ, ପୁଅ ସୁବର୍ଣ୍ଣେଶ୍ବର (୪୪) ଓ ବୋହୂ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସ୍ବାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ହେବାରୁ ସମସ୍ତଙ୍କୁ ବାଲେଶ୍ୱର ଜ୍ୟୋତି କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଏହାମଧ୍ୟରେ ଶାଶୂ, ବୋହୂ ସୁସ୍ଥ ହୋଇ ଘରକୁ ଫେରିଥିଲେ। ହେଲେ ଗତକାଲି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ ପ୍ରିୟନାଥ। ସେପଟେ ପୁଅ ସୁବର୍ଣ୍ଣେଶ୍ବରଙ୍କ ସ୍ଥିତି ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସନ୍ଧ୍ୟାରେ ସେ ଆଖି ବୁଜିଥିଲେ। ଦିନକରେ ଘରର ୨ ବରିଷ୍ଠ ସଦସ୍ୟଙ୍କୁ ହରାଇ ସମସ୍ତେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଏଥିସହ ଗଡ଼ିଘାଟି ପଞ୍ଚାୟତରେ କରୋନାକୁ ନେଇ ଆତଙ୍କ ଖେଳିଯାଇଛି। ପଞ୍ଚାୟତକୁ ସାନିଟାଇଜ୍‌ କରିବା ସହ ସମସ୍ତଙ୍କର କରୋନା ଟେଷ୍ଟ କରିବା ପାଇଁ ଦାବି ହୋଇଛି।

ସମ୍ବନ୍ଧିତ ଖବର