ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଭୁବନେଶ୍ୱର ମହାନଗର ନିଗମ ଅପେକ୍ଷା ଗ୍ରାମାଂଚଳରେ କରୋନା ସଂକ୍ରମଣ ସଂଖ୍ୟା ଆପାତତଃ କମ୍ ରହିଛି । ଜୁଲାଇ ମାସର ପ୍ରଥମ ୪ ଦିନ କରୋନା ସଂକ୍ରମଣ ୧୦୦ ପାଖାପାଖି ରହିଥିବା ବେଳେ ୫ ତାରିଖରୁ ସଂକ୍ରମଣ ଦୁଇଅଙ୍କରେ ସ୍ଥିର ରହିଛି । ତଥାପି ପ୍ରଥମ ଲହରରେ କରୋନା ସଂକ୍ରମଣକୁ ନେଇ ଲୋକଙ୍କ ମଧ୍ୟରେ ଯେତିକି ଭୟ ଓ ଆଶଙ୍କା ରହିଥିଲା ଦ୍ୱିତୀୟ ଲହରରେ ତାହା ହ୍ରାସ ପାଇଥିଲେ ମଧ୍ୟ ଅଧିକ ଘାତକ ସାବ୍ୟସ୍ତ ହୋଇଛି ।
କରୋନା ଦ୍ୱିତୀୟ ଲହର ଅର୍ଥାତ୍, ଚଳିତ ବର୍ଷ ଏପ୍ରିଲ୍ ଠାରୁ ଜୁଲାଇ ୧୧ ଅର୍ଥାତ୍ ଆଜି ସୁଦ୍ଧା ଗ୍ରାମାଂଚଳରେ ୧୪ ହଜାର ସଂକ୍ରମିତ ହୋଇଥିବା ବେଳେ ୭୮ ଜଣଙ୍କ ମୃତ୍ୟୁ ଘଟିଛି । ପରିସଂଖ୍ୟାନ ଅନୁସାରେ, ୨୦୨୦ ଅପ୍ରିଲ୍ ଠାରୁ ୨୦୨୧ ମାର୍ଚ୍ଚ ଶେଷ ସୁଦ୍ଧା ଖୋର୍ଦ୍ଧା ଗ୍ରାମାଂଚଳରେ ୧୩,୫୦୫ ଜଣ ସଂକ୍ରମିତ ହୋଇଥିଲେ । ଏଥିରେ ୫୮ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ୭ଜଣ କରୋନା ଯୋଦ୍ଧା ଥିଲେ । ତେବେ କରୋନା ଦ୍ୱିତୀୟ ଲହରରେ ଟିକା କରୋନା ଯୋଦ୍ଧାଙ୍କୁ ଯଥେଷ୍ଟ ସୁରକ୍ଷା ଦେଇଥିବା ସ୍ପଷ୍ଟ ହୋଇଛି । ଦ୍ୱିତୀୟ ଲହରରେ ବର୍ତମାନ ସୁଦ୍ଧା ୧୫୦ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ଜଣଙ୍କ ପ୍ରାଣହାନୀ ଘଟିଛି ।
ଦ୍ୱିତୀୟ ଲହରରେ କରୋନା ଯୋଦ୍ଧା, ସମ୍ମୁଖ ସ୍ୱାସ୍ଥ୍ୟ ସେବା କର୍ମଚାରୀ ସଂକ୍ରମଣ ଦାଉରୁ ରକ୍ଷା ପାଇଥିବା ବେଳେ ସାଧାରଣ ନାଗରିକଙ୍କ ଉପରେ ଘାତକ ସାବ୍ୟସ୍ତ ହୋଇଛି । ପ୍ରଥମ ଲହରରେ ଗୋଟିଏ ବର୍ଷରେ ୧୩ ହଜାର ୫୦୫ ଜଣ ସଂକ୍ରମିତ ହୋଇଥିବା ବେଳେ ଦ୍ୱିତୀୟ ଲହରରେ ଆଜି ସୁଦ୍ଧା ୧୩,୬୮୮ ଜଣ ସଂକ୍ରମିତ ହୋଇଛନ୍ତି । ଅର୍ଥାତ୍ ପ୍ରଥମ ଲହରରେ ଦୈନିକ ୩୭ ଜଣ ସଂକ୍ରମିତ ହୋଇଥିବା ବେଳେ ଦ୍ୱିତୀୟ ଲହରରେ ଦୈନିକ ୧୩୭ ଜଣ ସଂକ୍ରମିତ ହୋଇଛନ୍ତି । ସେହିଭଳି ପ୍ରଥମ ଲହରରେ ୧ ବର୍ଷ ମଧ୍ୟରେ ୫୮ଜଣଙ୍କ ସଂକ୍ରମଣରେ ପ୍ରାଣହାନୀ ଘଟିଥିଲା, କିନ୍ତୁ ଦ୍ୱିତୀୟ ଲହରରେ ଗତ ୧୦୦ ଦିନ ମଧ୍ୟରେ ୭୮ଜଣଙ୍କ ପ୍ରାଣହାନୀ ଘଟିଛି । ଅର୍ଥାତ୍ ପ୍ରଥମ ଲହରରେ ପ୍ରତି ୬ ଦିନରେ ଜଣଙ୍କ ସଂକ୍ରମଣ ଜନିତ ମୃତ୍ୟୁ ଘଟିଥିବା ବେଳେ ଦ୍ୱିତୀୟ ଲହରରେ ପ୍ରତି ୫ ଦିନରେ ୪ ଜଣଙ୍କ ପ୍ରାଣହାନୀ ଘଟିଛିି ।
ଖୋର୍ଦ୍ଧା ଗ୍ରାମାଂଚଳରେ ଦ୍ୱିତୀୟ ଲହରରେ ବର୍ତମାନ ସୁଦ୍ଧା ସଂକ୍ରମଣ ଜନିତ ମୃତ୍ୟୁରେ ଖୋର୍ଦ୍ଧା ବ୍ଲକ ଓ ପୌରାଂଚଳରେ ସର୍ବାଧିକ ୨୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଟଣୀରେ ୧୬, ବାଲିଅନ୍ତାରେ ୩ ଓ ବାଲିପାଟଣାରେ ୨ଜଣ, ଭୁବନେଶ୍ୱର ବ୍ଲକରେ ୬, ବେଗୁନିଆରେ ଜଣେ, ବୋଲଗଡ଼ରେ ୪, ଟାଙ୍ଗୀରେ ୧୨, ଚିଲିକା-ବାଲୁଗାଁରେ ୯ଜଣ ଓ ବାଣପୁରରେ ୪ଜଣଙ୍କ ମୃତ୍ୟୁ ଘଟିଛି ।