କୋରାପୁଟ: କରୋନା ସଂକ୍ରମଣ ଯେତିକି ବଢୁଛି ସେତିକି ମୁଣ୍ଡ ଗଡୁଛି। ବିଶେଷକରି ଗତ ୩ ଦିନ ଭିତରେ ମୃତ୍ୟୁ ସଂଖ୍ୟା ବଢି ଯାଇଛି। କିନ୍ତୁ ପ୍ରଶାସନ ପକ୍ଷରୁ ଏଥିନେଇ କୌଣସି ସୂଚନା ଦିଆଯାଉନି। ପ୍ରଶାସନ କେବଳ ମୃତକଙ୍କ ଶେଷକୃତ୍ୟ କରି ନିଜ କାମ ବଢାଇ ଦେଉଛି। ଏପଟେ ମୃତକଙ୍କୁ କୋଭିଡ ମୃତ୍ୟୁ ଭାବେ କୁହାଯାଉ ନ ଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ବଢିଛି।
ଜୟପୁରରେ ରହୁଥିବା ହୃଦାନନ୍ଦ ପଣ୍ଡାଙ୍କର ଗତକାଲି ସନ୍ଧ୍ୟାରେ କୋରାପୁଟ ଏସଏଲଏନ ମେଡିକାଲ କଲେଜରେ ମୃତ୍ୟୁ ହୋଇଥିଲା। ପ୍ରଥମେ ତାଙ୍କ ଦେହ ଅସୁସ୍ଥ ହେବାରୁ ଜୟପୁର ଡାକ୍ତରଖାନା ନିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ଏସଏଲଏନ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଏଠାରେ କୋଭିଡ ୱାର୍ଡରେ ତାଙ୍କର ଚିକିତ୍ସା ଚାଲିଥିଲା। ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇ ନ ଥିଲା।
ଆଜି ପ୍ରଶାସନ ପକ୍ଷରୁ ତାଙ୍କର ଶେଷକୃତ୍ୟ କୋରାପୁଟରେ କୋଭିଡ ଗାଇଡ ଲାଇନ ଅନୁସାରେ କରାଯାଇଛି। ତାଙ୍କର କୋଭିଡ ପଜିଟିଭ ଥିବାରୁ ମୃତଦେହ ପରିବାର ଲୋକଙ୍କୁ ଦିଆଯାଇ ନ ଥିଲା ବୋଲି ତାଙ୍କ ସଂପର୍କୀୟ ଦେବରାଜ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି। ଏହି ଘଟଣାକୁ ମିଶାଇ ଆଜି କୋରାପୁଟ ପୌରପାଳିକା ପକ୍ଷରୁ ୩ ଜଣଙ୍କର ଶେଷକୃତ୍ୟ କୋରାପୁଟରେ କରାଯାଇଥିବା ଜଣାପଡିଛି। ଏହି ସମସ୍ତ ୩ ଜଣଙ୍କର କୋଭିଡ ଗାଇଡଲାଇନ ଅନୁସାରେ ଶେଷକୃତ୍ୟ କରାଯାଇଥିଲାବେଳେ ଏଥିରେ ସାମିଲ ଥିବା ଲୋକମାନେ ପିପିଇ କିଟ ପିନ୍ଧିଥିଲେ।
ସେହିପରି ଜୟପୁର କୋଭିଡ ଡାକ୍ତରଖାନାରେ ଆଜି ଜଣଙ୍କର ମୃତ୍ୟୁ ହୋଇଛି। ତାଙ୍କର କୋଭିଡ ପଜିଟିଭ ଆସିବା ପରେ ଏଠାରେ ସେ ଚିକିତ୍ସିତ ହେଉଥିଲେ। ସେହିପରି ଗତକାଲି ଏଠାରେ ଅନ୍ୟ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏମାନଙ୍କ ଭିତରେ ୨ ଜଣ ଜୟପୁର ସହରରୁ ହୋଇଥିଲାବେଳେ ଅନ୍ୟ ଜଣଙ୍କ ଘର ଜୟପୁର ବ୍ଲକ ଅଂଚଳରେ। ଏହା ପୂବର୍ରୁ ଜୟପୁର ଡାକ୍ତରଖାନାରେ ଦଶମନ୍ତପୁର ଅଂଚଳରୁ ୨ ଜଣଙ୍କର ମୃତ୍ୟୁ ହୋଇଥିଲା। ଏମାନେ କୋଭିଡ ସଂକ୍ରମିତ ଥିବା ଜଣାପଡିଛି।
ଅପରପକ୍ଷରେ କୋରାପୁଟ ଏସଏଲଏନ ମେଡିକାଲ କଲେଜରେ ମଧ୍ୟ ନିତି ମୁଣ୍ଡ ଗଡୁଛି। ଗତକାଲି କୋରାପୁଟ ପୌର ପ୍ରଶାସନ ୨ ଜଣଙ୍କର ଶେଷକୃତ୍ୟ କୋଭିଡ ଗାଇଡ ଲାଇନ ଅନୁସାରେ କରିଛି। ତା’ ପୂର୍ବଦିନ ମଧ୍ୟ ୨ ଜଣଙ୍କର ଶେଷକୃତ୍ୟ କରିଥିଲା ପ୍ରଶାସନ। ଏମିତି ମୁଣ୍ଡ ପରେ ମୁଣ୍ଡ ଯାଉଥିଲେ ମଧ୍ୟ ପ୍ରଶାସନ ଏକଦମ ନୀରବ ରହିଛି। ବରଂ କୋଭିଡ ମୃତ୍ୟୁକୁ ଚାପିବାକୁ ମସୁଧା କରାଯାଉଛି। ଏଥିନେଇ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗକୁ ପଚାରିଲେ ସେମାନେ କିଛି ସୂଚନା ଦେବାକୁ ମନା କରି ଦେଉଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/kpt-covid-death-1.jpg)