କରୋନା କଟକଣା ନିୟମକୁ ଫୁ, ୧୮ ନମ୍ବର ଜିଲ୍ଲାପରିଷଦ ଜୋନରେ ଶତାଧିକ ପ୍ରାର୍ଥୀଙ୍କ ସହ ପ୍ରଚାର କଲେ ସାଂସଦ

ବାଲିଅନ୍ତା: ବା‌ଲିଅନ୍ତା ବ୍ଲକ ଅଞ୍ଚଳର ସବୁଜୋନରେ ଏବେ ରାଜନୈତିକ ଉଷ୍ମତା ଜୋର ଧରିଛି। ଦଳୀୟ ସମର୍ଥିତ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ବିଜୟୀ କରିବା ଲାଗି ହେବିୱେଟ ନେତାମାନେ ଏବେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ହେଲେ କରୋନା କଟକଣା ନିୟମକୁ ଉଲ୍ଲଂଘନ କରି ବିଜେପି ପକ୍ଷରୁ ପଦଯାତ୍ରା, ବାଇକ ଶୋଭାଯାତ୍ରା ଏବଂ ଖୋଲାଯିପରେ ପ୍ରଚାରକୁ ସବୁ ମହଲରେ ନାପସନ୍ଦ କରାଯାଇଛି। ଶ୍ରୀମତୀ ଷଡ଼ଙ୍ଗୀ ନିୟମ ଲଲ୍ଲଂଘନ କରି ନିଜର ସମର୍ଥିତ ପ୍ରାର୍ଥୀଙ୍କ ସହ ବିଭିନ୍ନ ପଞ୍ଚାୟତରେ ଆଜି ଭୋଟ ପ୍ରଚାର କରିଥିଲେ। କୋଭିଡ଼ କଟକଣା କାଳରେ ପ୍ରାର୍ଥୀମାନେ ସର୍ବାଧିକ ୫ ଜଣ ସମର୍ଥକଙ୍କ ସହ ଘର ଘର ବୁଲି ଭୋଟ ପ୍ରଚାର କରିବା ପାଇଁ ନିୟମ କରାଯାଇଥିବା ବେଳେ ଆଜି ସ୍ଥାନୀୟ ୧୮ ନମ୍ବର ଜୋନରେ ଏହାର ଉଲ୍ଲଂଘନ କରାଯାଇଛି। ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଦଳୀୟ ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ କୁମାର ବେହେରାଙ୍କ ସପକ୍ଷରେ ବିଭିନ୍ନ ଗ୍ରାମରେ ଭୋଟ ପ୍ରଚାର କରିଛନ୍ତି। ଏହି ଅବସରରେ ଶ୍ରୀମତୀ ଷଡ଼ଙ୍ଗୀ ପୂର୍ବାହ୍ନ ୧୦ଟା ସମୟରେ କେନ୍ଦୁବିଲ୍ବ ସ୍ଥିତ ଜୟଦେବ ପୀଠରେ ପହଞ୍ଚି ଜୟଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରିବା ସହ ପ୍ରଦୀପ ପ୍ରଜ୍ଜ୍ବଳନ କରି ପ୍ରଚାର ଅଭିଯାନର ଶୁଭାରମ୍ଭ କରିଥିଲେ।

Sambad

ସେଠାରୁ ଶ୍ରୀମତୀ ଷଡ଼ଙ୍ଗୀ ମହୁଖଣ୍ଡା, କୋଳଥପିଠା, ନୂଆସାହି, ପ୍ରତାପରୁଦ୍ରପୁର, କାକରୁଦ୍ରପୁର, ଜଗନ୍ନାଥପୁର, ଖମଙ୍ଗ, ଶଠିଲୋ, ଗଣ୍ଡିଲୋ, ସୁଧଷଡ଼ଙ୍ଗୀ, ସରକଣା ଓ ବାଲିଗୁଣ୍ଡି ଆଦି ଗ୍ରାମରେ ଶ୍ରୀ ବେହେରା ସହ ଭୋଟଭିକ୍ଷା କରିଥିଲେ। ଶ୍ରୀମତୀ ଷଡ଼ଙ୍ଗୀଙ୍କ ପ୍ରଚାର ସମୟରେ ବିଭିନ୍ନ ସ୍ଥାନରେ କଲ୍ୟାଣଯୋଜନାରୁ ବଞ୍ଚିତ ବ୍ୟକ୍ତି ଏବଂ ଗ୍ରାମବାସୀ ଆଞ୍ଚଳିକ ସମସ୍ୟା ନେଇ ତାଙ୍କ ଦୃଷ୍ଟି ଆର୍କଷଣ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦଙ୍କ ନିର୍ବାଚନମଣ୍ଡଳୀସ୍ତରୀୟ ପ୍ରତିନିଧି ତାପସ ଜେନା, ଶିବ ମଲ୍ଲିକ, ରିମାପାଣୀ, ବସନ୍ତ ନାୟକ, ନନ୍ଦ କିଶୋର ଦାଶ, ସଞ୍ଜୟ ତ୍ରିପାଠୀ, ରିମା ପାଣୀ, ଭରତ ଦାଶ, ଯଶୋବନ୍ତ ପଟ୍ଟନାୟକଙ୍କ ସମେତ ଚୌଧୁରୀ ବିଜୟରାମ ଦାଶ ପ୍ରମୁଖ ନେତୃତ୍ବ ନେଇଥିଲେ। ଏହି ପରିପ୍ରେକ୍ଷୀରେ ଶତାଧିକ କର୍ମୀ ଓ ସମର୍ଥକ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର