ବର୍ଷକରେ ୭୮୯୭ କରୋନା ସଂକ୍ରମିତ, ୧୭ମୃତ; ଜୟପୁରରେ ସର୍ବାଧିକ ବନ୍ଦ ପଡ଼ିଛି କୋଭିଡ୍ ହସ୍ପିଟାଲ

ଜୟପୁର: ବର୍ଷକ ତଳେ କୋଭିଡ୍ ସଂକ୍ରମଣର ଭୟାବହତା ସମଗ୍ର ରାଜ୍ୟରେ ଦେଖା ଦେଇଥିଲା। ବର୍ଷକ ମଧ୍ୟରେ କୋରାପୁଟ ଜିଲ୍ଲାର ୧୪ଟି ବ୍ଲକ, ୨ଟି ପୌରାଂଚଳ, ୨ଟି ଏନ୍ଏ‌ସିରେ ୭୮୯୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। କ‌ରୋନା ସଂକ୍ରମଣରେ ଶତାଧିକ ଲୋକଙ୍କର ଯଦିଓ ମୃତ୍ୟୁ ହୋଇଥିଲେ ହେଁ ସରକାରୀ ଭାବେ ଜିଲ୍ଲାରେ ୧୭ଜଣଙ୍କର ମୃତ୍ୟୁ ହୋଇଥିବା ବିଧିବଦ୍ଧଭାବେ ଘୋଷଣା କରାଯାଇଥିଲା। ସହରରେ ସଂକ୍ରମଣ ହାର ଅଧିକା ରହିଥିବା ବେଳେ ଗ୍ରାମାଂଚଳରେ ବହୁ କମ ରହିବା ସହ କିଛି ଗାଁକୁ ଛୁଇଁପାରିନଥିଲା। ମାର୍ଚ୍ଚ ମାସରେ ପ୍ରଥମ ସଂକ୍ରମିତ ଭାବେ କଲିକତାରେ ଏକ ନର୍ସିଂହୋମ‌ରେ କାମ କରୁଥିବା ତଥା ପୋଡାଗଡ଼ ଅଂଚଳର ଜଣେ ସ୍ବାସ୍ଥ୍ୟକର୍ମୀ ଚିହ୍ନଟ ହୋଇଥିଲେ। ମେ ମାସରେ ଜୟପୁର ସହରର ବେଲରୋଡ଼ ଅଂଚଳର ଜୈନେକ ବ୍ୟବସାୟୀ ଚିହ୍ନଟ ହୋଇଥିଲେ। ସେ ସମୟରେ ପୁଲିସ, ପ୍ରଶାସନ ଯେଭଳି ଚିନ୍ତା ଓ ତତ୍ପରତା ପ୍ରକାଶ କରିଥିଲେ ତାହା ଆଜି ଆଉ ଦେଖିବାକୁ ମିଳୁନି। ଲକଡାଉନ, ସଟଡାଉନ ଓ କଣ୍ଟେନମେଣ୍ଟ ଜୋନ ମଧ୍ୟରେ ଲୋକେ ଘାଣ୍ଟିଚକୁଟି ହୋଇଥିଲେ। ପ୍ରଥମ ଚିହ୍ନଟ ପରେ ଯେଭଳି ଭୟର ବାତାବରଣ ଦେଖାଦେଇଥିଲା ଧିରେ ଧିରେ ସଂକ୍ରମିତଙ୍କ ସଂଖ୍ୟା ବି ବଢ଼ିବା ପରେ ତାହା କମିବାରେ ଲାଗିଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦୁଇଜଣ ସଂକ୍ରମିତ ଚିହ୍ନଟ ହେବା ଏହାକୁ ତିନି ଦିନ ପର୍ଯ୍ୟନ୍ତ ସଂପୁର୍ଣ୍ଣ ରୁପେ ବନ୍ଦ କରାଯାଇଥିଲା। ଏଠାରୁ ଗୁରୁତର ରୋଗୀଙ୍କୁ କେରାପୁଟ ଏସ୍ଏ‌ଲ୍ଏ‌ନ୍ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା।

Sambad

ସେ ସମୟରେ କେରଳ, ମହାରାଷ୍ଟ୍ର, ତେଲଙ୍ଗନା, ଆନ୍ଧ୍ର ଓ କର୍ଣ୍ଣାଟକରେ ସଂକ୍ରମଣର ପ୍ରଭାବ ବେଶି ରହିଥିବା ବେଳେ ସେଠାରୁ ବହୁ ପ୍ରବାସୀ ଘରକୁ ଫେରୁଥିବାରୁ ଜିଲ୍ଲାରେ ଏକ ଭିନ୍ନ ବାତାବରଣ ଏବଂ ଭୟ ରହିଥିଲା। ସେଠାରୁ ଫେରନ୍ତା ପ୍ରବାସୀ ସଂକ୍ରମିତ ବି ଚିହ୍ନଟ ହୋଇଥିଲେ। ‌ସଂକ୍ରମିତଙ୍କୁ ରଖି ସ୍ବାସ୍ଥ୍ୟ ସେବା ଯୋଗାଇବା ପାଇଁ ଜୟପୁରର ପୁରୁଣା ଉପଖଣ୍ଡ ଡାକ୍ତରଖାନାକୁ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ କରାଯାଇଥିଲା। ଏଥି ପାଇଁ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବି ଖର୍ଚ୍ଚ କରାଯାଇଥିଲା।

ଭେଣ୍ଟିଲେଟର ଓ କୋଭିଡ୍ ମୁକାବିଲା ଔଷଧ ଓ ସାମଗ୍ରୀ ଆଣିବା ପାଇଁ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ନିଜ ପାଣ୍ଠିରୁ କୋଟିଏ ଏବଂ ସାଂସଦ ସପ୍ତଗିରୀ ଶଙ୍କର ଉଲ୍ଲାକା ନିଜ ସାଂସଦ ପାଣ୍ଠିରୁ ୫୦ ଲକ୍ଷ ଦେଇଥିଲେ। ଯଦିଓ ପରିସ୍ଥିତି ସାମାନ୍ୟ ସ୍ବାଭାବିକ ଓ ସଂକ୍ରମିତଙ୍କ ସଂଖ୍ୟା କମିବା ପରେ ଜିଲ୍ଲାରେ ଖୋଲାଯାଇଥିବା ୩ ଟି ଯାକ କୋଭିଡ୍ କେୟାର ସେଣ୍ଟର ଓ କୋଭିଡ୍ ହସ୍ପିଟାଲକୁ ବନ୍ଦ କରାଯାଇଛି। ଏବେ କେବଳ କୋରାପୁଟ ଏସ୍ଏ‌ଲ୍ଏ‌ନ୍ ମେଡିକାଲ କଲେଜରେ ହିଁ ଏହା ଚାଳିଛି। ସଂକ୍ରମିତ କମ୍ ରହିଥିବାରୁ ଏବେ ଏହାକୁ ୭୦ଶଯ୍ୟାରୁ ୩୫ଶଯ୍ୟାକୁ କମାଇ ଦିଆଯାଇଛି। ଅନ୍ୟପକ୍ଷରେ ଜୟପୁର କୋଭିଡ୍ କେୟାର ସେଣ୍ଟରରେ ପକାଯାଇଥିବା ୭୦ଟି ଶଯ୍ୟା କୋଭିଡ୍ ହସ୍ପିଟାଲରେ ଆଣି ଜମା କରି ରଖାଯାଇଛି ବୋଲି କହିଛନ୍ତି ସିଡିଏମ୍ଓ‌ ଡଃ. ମକରନ୍ଦ ବେଉରା।

ସେଭଳି ଅନ୍ୟ କୋଭିଡ୍ କେୟାର ସେଣ୍ଟରର ଶଯ୍ୟା ମଧ୍ୟରୁ କୋଟିଆରେ ହୋଇଥିବା ନୂଆ ଡାକ୍ତରଖାନାକୁ କିଛି ପଠାଯାଇଛି। ଆଉ କିଛି ଜିଲ୍ଲାର ବିଭିନ୍ନ ସିଏଚ୍ସି‌, ପିଏଚ୍ସି‌ର ଆବଶ୍ୟକତା ଅନୁଯାୟୀ ଦିଆଯାଉଛି। ଆଉ କିଛି ବେଡ ରହିଛି ବୋଲି କହିଛନ୍ତି ସିଡିଏମ୍ଓ‌। ସେଭଳି କୋଭିଡ୍ ହସ୍ପିଟାଲ ଜୟପୁରରେ ଥିବା ଭେଣ୍ଟିଲେଟର ମେସିନ୍ ଗୁଡ଼ିକ ସେଭଳି ଏହାରି ପରିସରରେ ଖତ ଖାଇ ସେଭଳି ପଡ଼ି ରହିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାନଅଭାବ ଯୋଗୁଁ ସେଠାକୁ ନିଆଯାଇନି ବୋଲି କହିଛନ୍ତି ସିଡିଏମ୍ଓ‌। ସଂପ୍ରତି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା କମିଯାଇଥିବା ବେଳେ ଏବେ କେବଳ ୪ ଜଣ ସଂକ୍ରମିତ ଗୃହ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି, କେହି ଗୁରୁତର ନଥିବାରୁ ମେଡିକାଲ କଲେଜରେ ଭର୍ତ୍ତି ହୋଇ ନାହାନ୍ତି ବୋଲି କହିଛନ୍ତି ସିଡିଏମ୍ଓ‌ । ଜିଲ୍ଲାରେ ଏବେ ବି ୨୦୦ଆରଟିପିସିଆର ଓ ୧୩୦୦ ରାପିଡ୍ ଆଣ୍ଟିଜେନ୍ କିଟ୍ ଦ୍ବାରା ପରୀକ୍ଷା ଜାରୀ ରହିଛି। ମେଡିକାଲ କଲେଜରେ ହିଁ ଆର୍ଟି‌ପିସିଆର୍ ପରୀକ୍ଷା କରାଯାଉଛି। ସେଭଳି ଜିଲ୍ଲାରୁ ୩ ଥର ୧୨ଶହ ଜଣଙ୍କର ଆଣ୍ଟିବୋଡ଼ି ପରୀକ୍ଷା ପାଇଁ ପଠାଯାଇଥିଲା ବୋଲି କହିଛନ୍ତି ସିଡିଏମ୍ଓ‌। ଜିଲ୍ଲା‌ର ଦେଢ଼ଲକ୍ଷ ବରିଷ୍ଠ ନାଗରିକ, ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ, ସମ୍ମୁଖ କରୋନା ଯୋଦ୍ଧା ମାନଙ୍କର ଟୀକାକରଣ ବି ପର୍ଯ୍ୟାୟକ୍ରମେ ଚାଳିଛି। ପ୍ରତିଦିନ ୩୩୦୦ଜଣକା ହିସାବରେ ଏପ୍ରିଲ୍ ୧୫ ତାରିଖ ସୁଦ୍ଧା ଏହା ସାରିବା ସହ ମେ ୧୫ରୁ ୧୮ରୁ ଉର୍ଦ୍ଧ୍ବ ବୟସ ବର୍ଗର ଲୋକଙ୍କର ଟୀକାକରଣ କରାଯିବାର ‌କାର୍ଯ୍ୟକ୍ରମ ରହିଛି ବୋଲି କହିଛନ୍ତି ସିଡିଏମ୍ଓ‌।

ସମ୍ବନ୍ଧିତ ଖବର