କଳାହାଣ୍ଡି ଜିଲ୍ଲାରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ କରୋନା ମୁକାବିଲା ପାଇଁ ଭବାନୀପାଟଣା ସହର ନିକଟସ୍ଥ ବାନ୍ଦପଲାସ୍ଥିତ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟଠାରେ କୋଭିଡ ହସ୍ପିଟାଲ ଆଜିଠାରୁ କାର୍ଯ୍ୟକ୍ଷମ ହୋଇଛି । ଏହାକୁ ରାଜ୍ୟସରକାରଙ୍କ ତରଫରୁ ଜିଲ୍ଲା ପ୍ରଶାସନ ପରିଚାଳନା କରୁଥିବା ବେଳେ ଓଡିଶା ଖଣି ନିଗମ ଏହି କୋଭିଡ ହସ୍ପିଟାଲ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛି ।

୨୦୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ ହସ୍ପିଟାଲରେ ୬ଟି ଭେଣ୍ଟିଲେଟର ସୁବିଧା ଥିବା ଆଇସିୟୁ ଶଯ୍ୟା ରହିଛି । କୋଭିଡ ସନ୍ଦିଗ୍ଧମାନଙ୍କୁ ରଖାଯିବା ପାଇଁ ୭୦ ଟି ସଂଗରୋଧ କୋଠରୀ ରହିଛି । ସେଠାରେ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । କୋଭିଡ଼ ହସ୍ପିଟାଲରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କ ରହିବା ଓ ଖାଇବା ବ୍ୟବସ୍ଥା ରହିଛି । ବର୍ତ୍ତମାନ ଏହି ହସ୍ପିଟାଲରେ ୧୭ ଜଣ ଡାକ୍ତର ଅଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ଡାକ୍ତର ଆଇସିୟୁ ପରିଚାଳନା ତାଲିମ ପ୍ରାପ୍ତ ଅଟନ୍ତି । ୫୧ ଜଣ ଷ୍ଟାଫ ନର୍ସ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ମଧ୍ୟରୁ ୧୦ ଜଣ ଷ୍ଟାଫ ନର୍ସ ଆଇସିୟୁ ପରିଚାଳନା ତାଲିମ ନେଇଛନ୍ତି । ୯ ଜଣ ଫାର୍ମାସିଷ୍ଟ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଫାର୍ମାସିଷ୍ଟ ଆଇସିୟୁ ତାଲିମ ପାଇଛନ୍ତି। ୮ ଜଣ ଲ୍ୟାବ ଟେକ୍ନିସିଆନ, ଜଣେ ମାଇକ୍ରୋ ବାଇଲୋଜିଷ୍ଟ, ଏବଂ ତାଙ୍କୁ ସହଯୋଗ କରିବା ପାଇଁ ସ୍ୱାସ୍ଥ୍ୟ କର୍ମଚାରୀ, ସିକ୍ୟୁରୀଟି, ସ୍ୱିପର ଅଛନ୍ତି ।

ଭବିଷ୍ୟତରେ ଆବଶ୍ୟକତା ଅନୁଯାୟୀ ବିଭିନ୍ନ ପଦବି ପୂରଣ କରାଯିବ । ଏହି କୋଭିଡ ହସ୍ପିଟାଲ ର ଅଧିକାରୀ ଭାବରେ କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ଡ଼ିଏଫଓ ଟି.ଅଶୋକ କୁମାର ଓ ଅଧିକୃତ ମେଡିକାଲ ଅଫିସର ଭାବରେ ଏଡିପିଏଚଓ ଡ଼.ନିହାରେନ୍ଦ୍ର ପଣ୍ଡାଙ୍କୁ କୋଭିଡ ହସ୍ପିଟାଲର ସମସ୍ତ ପ୍ରଶାସନିକ ପରିଚାଳନା ଦାୟିତ୍ୱ ପ୍ରଦାନ କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି ।

ସମ୍ବନ୍ଧିତ ଖବର