ଗୁଣପୁରରେ କୋଭିଡ଼୍ ହସପିଟାଲ୍ ପ୍ରତିଷ୍ଠା ଦାବି ଜୋର୍ ଧରିଲା

ରାୟଗଡ଼ା: ଗୁଣପୁରରେ ସରକାରୀ କୋଭିଡ଼୍ ହସପିଟାଲ୍ ପ୍ରତିଷ୍ଠା ପାଇଁ ଦାବି ଜୋର୍ ଧରିଛି। କରୋନା ସଂକ୍ରମଣ ବୃଦ୍ଧି ପରେ ସ୍ଥାନୀୟ ଅଞ୍ଚଳର ସଂକ୍ରମିତଙ୍କୁ ଠିକ୍ ସମୟରେ ଚିକିତ୍ସା ସେବା ମିଳୁନଥିବାରୁ ସ୍ବତନ୍ତ୍ର ହସପିଟାଲ୍ କାର୍ଯ୍ୟକାରୀ ଦାବି ହୋଇ ଆସୁଥିବା ବେଳେ ଆଜି ଅଞ୍ଚଳବାସୀଙ୍କ ସହ ସ୍ବର ମିଳାଇଛନ୍ତି ପଦ୍ମଶ୍ରୀ ଶାନ୍ତି ଦେବୀ। ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଶାନ୍ତି ଦେବୀ ଦାବି କରିଛନ୍ତି।

ପ୍ରତିଦିନ ଗୁଣପୁର ଉପଖଣ୍ଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଆକ୍ରାନ୍ତଙ୍କ ଅନୁଯାୟୀ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇ ପଡିଛନ୍ତି। ପ୍ରଶାସନ ପକ୍ଷରୁ କୋଭିଡ଼୍ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଗୁଣପୁର ଆଦର୍ଶ ବିଦ୍ୟାଳୟରେ କୋଭିଡ଼୍ କେୟାର ସେଣ୍ଟର୍ ଖୋଲାଯାଇଛି। କିନ୍ତୁ ଗୁରୁତର ରୋଗୀଙ୍କୁ କୋଭିଡ଼୍ କେୟାର ସେଣ୍ଟରରେ ଉପଯୁକ୍ତ ଚିକିତ୍ସା ମିଳୁନଥିବାରୁ ୭୦ କିମି ଦୂର ରାୟଗଡ଼ା ଜେକେପୁର କୋଭିଡ଼୍ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିବାକୁ ପଡୁଛି। ବହୁ ସମୟରେ ଆମ୍ବୁଲାନସ୍ ଅସୁବିଧା ଯୋଗୁ ଗୁରୁତର ରୋଗୀଙ୍କୁ ମେଡ଼ିକାଲ୍ ସ୍ଥାନାନ୍ତର ସମୟରେ ବିଳମ୍ବ ମଧ୍ୟ ହେଉଛି। ଫଳରେ କିଛି ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି। କରୋନାର ଦ୍ବିତୀୟ ଲହରୀରେ ଗୁଣପୁର ଅଞ୍ଚଳରୁ ୧୫ରୁ ଉର୍ଧ୍ବ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାରୁ ଗୁଣପୁରରେ ସରକାରୀ କୋଭିଡ଼୍ ହସପିଟାଲ୍ ଖୋଲିବାକୁ ଦାବି ଜୋରଦାର୍ ହୋଇଛି।

୭ଟି ବ୍ଲକକୁ ନେଇ ଗଠିତ ଗୁଣପୁର ଉପଖଣ୍ଡରେ କୋଭିଡ଼୍ ହସପିଟାଲ୍ କାର୍ଯ୍ୟକ୍ଷମ ହେଲେ ଗୁଣପୁର, ପଦ୍ମପୁର, ଗୁଡାରି, ରାମନାଗୁଡା ବ୍ଲକବାସୀ ଉପକୃତ ହୋଇପାରନ୍ତେ ବୋଲି ପଦ୍ମଶ୍ରୀ ଶାନ୍ତି ଦେବୀ କହିଛନ୍ତି। ଅନ୍ୟପକ୍ଷରେ ଗୁଣପୁରରେ କୋଭିଡ଼୍ ହସପିଟାଲ୍ ପ୍ରତିଷ୍ଠା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରିବାକୁ ଅଞ୍ଚଳବାସୀ ନିଷ୍ପତ୍ତି ନେଇଛନ୍ତି। ସ୍ଥାନୀୟ ଲିମାମଡା ଅଞ୍ଚଳ ଲୋକେ ପ୍ରଥମ କରି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ପଠାଇଛନ୍ତି। ବରିଷ୍ଠ ଆଇନଜୀବୀ ଫଣୀ ଭୁଷଣ ପଟ୍ଟନାୟକ କହିଛନ୍ତି ଗୁଣପୁରରେ ଭେଣ୍ଟିଲେଟର ସୁବିଧା ଥିବା ଏକ ହସପିଟାଲ ନିହାତି ହେବା ଜରୁରୀ।

ଆଇନଜୀବୀ ରାଜେନ୍ଦ୍ର ପ୍ରସାଦ ସାହୁ ସମାନ ଦାବି ଦୋହରାଇଛନ୍ତି। ହସପିଟାଲ୍ ପ୍ରତିଷ୍ଠା ଲାଗି ବିଭିନ୍ନ ମହଲରେ ହେଉଥିବା ଦାବିକୁ ସମର୍ଥନ ଜଣାଇଛନ୍ତି ବରିଷ୍ଠ ବିଜେପି ନେତା ଭୃଗୁ ବକ୍ସିପାତ୍ର। ଏଥି ସହିତ ଲାଇଫ୍ ସର୍ପୋଟ୍ ଆମ୍ବୁଲାନସ୍ ଗୁଣପୁରକୁ ଦେବା ପାଇଁ ଅଞ୍ଚଳବାସୀ ଦାବି କରିଥିବା ବେଳେ ଜିଲ୍ଲା ପ୍ରଶାସନ-ସ୍ବାସ୍ଥ୍ୟ ବିଭାଗର ଆଲୋଚନାକ୍ରମେ ଗୁଣପୁରକୁ ଲାଇଫ୍ ସର୍ପୋଟ୍ ଆମ୍ବୁଲାନସ୍ ଆଜି ମିଳିଛି।

ସମ୍ବନ୍ଧିତ ଖବର