ନୂଆପଡ଼ା ଜିଲ୍ଲା‌ରେ ଆରମ୍ଭ ହେଲା ୧୬୫ ଶଯ୍ୟାର କୋଭିଡ୍ ଡାକ୍ତରଖାନା

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ କରୋନା ସଂକ୍ରମଣକୁ ଦେଖି ୧୬୫ ଶଯ୍ୟାବିଶିଷ୍ଟ କୋଭିଡ ଡାକ୍ତରଖାନା ଆରମ୍ଭ ହୋଇଛି। ଏଥିରେ ୫ଟି ଆଇସିୟୁର ବ୍ୟବସ୍ଥା ଥିବା ସୂଚନା ମିଳିଛି। ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁସାରେ, ନୂଆପଡ଼ା ଜିଲ୍ଲାର ସିଲଦାଠାରେ ଗୁରୁବାର ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି କୋଭିଡ୍ ଡାକ୍ତରଖାନା ଖୋଲାଯାଇଛି। ଏହି ଡାକ୍ତରଖାନରେ ୧୬୫ ଶଯ୍ୟା ସହ ୫ଟି ଆଇସିୟୁ ରଖାଯାଇଛି ‌ ବୋଲି ସିଡିଏମଓ କାଳୀପ୍ରସାଦ ବେହେରା ସୂଚନା ଦେଇଛନ୍ତି।

ପ୍ରକାଶ ଯେ ନୂଆପଡ଼ା ଜିଲ୍ଲାରେ ମାର୍ଚ୍ଚ ମାସରେ କରୋନା ସଂକ୍ରମଣ ଜିଲ୍ଲାରେ ବଢ଼ିବାରେ ଲାଗିଥିଲା। ମାର୍ଚ୍ଚ ୨୫ ତାରିଖ ଦିନ ସିନାପାଲି ବ୍ଲକ୍‌ ବ୍ରାହ୍ମଣପଡ଼ାରେ ୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପରେ କୋମନା ବ୍ଲକ୍‌ କୋନାବିରା ଗାଁରୁ ୨୫ ଜଣ ଚିହ୍ନଟ ହୋଇଥିଲେ। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରୁ ଅଧିକ ଲେଖାଏଁ ହେଉଥିବାରୁ ଏହା ଜିଲ୍ଲା ପ୍ରଶାସନର ମୁଣ୍ଡବ୍ୟଥା ହୋଇଥିଲା। ଆକ୍ରାନ୍ତମାନଙ୍କୁ ଘରେ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ହେଲେ ଅନେକ ଆକ୍ରାନ୍ତଙ୍କ ଘରେ ସଙ୍ଗରୋଧ ସୁବିଧା ନଥିବାରୁ ସମସ୍ୟା ଦେଖାଦେଇଥିଲା।

ଜିଲ୍ଲାରେ ଆଜି ସୁଦ୍ଧା ଜିଲ୍ଲାରେ ୩୮୧ଜଣ ସଂକ୍ରମିତ ସଙ୍ଗରୋଧରେ ରହିଛନ୍ତି। ତେଣୁ ଏହି ଆକ୍ରାନ୍ତ ବ୍ୟକ୍ତିଙ୍କୁ ‌କୋଭିଡ ଡାକ୍ତରଖାନାରେ ରଖାଯିବା ସହ ଗୁରୁତର ବ୍ୟକ୍ତିଙ୍କୁ ଆଇସିୟୁରେ ରଖାଯିବାର ବ୍ୟବସ୍ଥା ରହିଛି। ସେହିପରି ଖରିଆର ଆଇଟିଆଇଠାରେ କୋଭିଡ କେୟାର ସେଣ୍ଟର ଖୋଲାଯାଇଛି। ଗୁରୁବାର ନୂଆପଡ଼ା କୋଭିଡ୍ ଡାକ୍ତରଖାନାକୁ ଦକ୍ଷିଣାଞ୍ଚଳ ଆର୍‌ଡିସି ଟି. ଆପଲଆଓ, ନୂଆପଡ଼ା ସିଡିଏମଓ କାଳୀଚରଣ ବେହେରା, ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ, ଉପଜିଲ୍ଲାପାଳ ତରଣୀସେନ ନାଏକ, କୋଭିଡ୍ ଡାକ୍ତରଖାନା ଅଧିକାରୀ ଗୋପାଳ ଚନ୍ଦ୍ର ମଲ୍ଲିକ ପ୍ରମୁଖ ପରିଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର