ରାୟଗଡ଼ା: ଜୀବନକୁ ବାଜି ଲଗାଇ କାମ କରୁଛୁ। ବର୍ଷେ ହେଲା ଘର ଦ୍ବାର ଛାଡ଼ି ପରିବାର ଲୋକଙ୍କୁ ତ୍ୟାଗ କରି କୋଭିଡ଼୍ ହସପିଟାଲରେ ଡ୍ୟୁଟି କରୁଛୁ। କିନ୍ତୁ ଦୈନିକ ପ୍ରୋତ୍ସାହନ ରାଶି, ବୀମା ସୁବିଧା ଆଜି ଯାଏଁ ମିଳିପାରୁନି। ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ଲୋକସଭା ସାଂସଦଙ୍କୁ ଗୁହାରି କରି ଥକିଲୁଣି। କେହି ଆମ ଦୁଃଖ ଶୁଣୁନାହାନ୍ତି। ଆଜି କାଲି କହି ଦିନ ଗଡ଼ାଇ ଚାଲିଛନ୍ତି। ଯଦି ପ୍ରୋତ୍ସାହନ ରାଶି ନ ମିଳେ ତାହାହେଲେ ୱାର୍ଡରୁ ମର ଶରୀର ଉଠାଇବୁ ନାହିଁ।
ଜିଲ୍ଲା ପ୍ରଶାସନକୁ ଏମିତି ଚେତାବନୀ ଦେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଜେକେପୁର କୋଭିଡ଼୍ ହସପିଟାଲ କର୍ମଚାରୀ। ଗତକାଲି ରାତିରୁ କର୍ମଚାରୀମାନେ ଆନ୍ଦୋଳନ କରିବା ସହ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣେ ଆକ୍ରାନ୍ତଙ୍କ ମୃତଦେହକୁ ୱାର୍ଡରୁ ଉଠାଇନଥିଲେ।
ରାତି ୧୧ଟା ୪୫ ମିନିଟରେ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ମେଡ଼ିକାଲ୍ ଦାୟିତ୍ବରେ ଥିବା ଡାକ୍ତର ଚର୍ତୁଥ ଶ୍ରେଣୀ କର୍ମଚାରୀଙ୍କୁ କୋଭିଡ଼୍ ଗାଇଡ୍ ଲାଇନ୍ ଅନୁସାରେ ମୃତଦେହକୁ ୱାର୍ଡରୁ ନେଇ ପ୍ୟାକିଂ କରିବାକୁ କହିଥିଲେ। ହେଲେ ପ୍ରୋତ୍ସାହନ ରାଶି ମିଳୁନଥିବାରୁ କର୍ମଚାରୀମାନେ ମୃତଦେହକୁ ପ୍ୟାକିଂ କରିନଥିଲେ। ବହୁ ବୁଝାଶୁଝା ପରେ ମଧ୍ୟ କର୍ମଚାରୀମାନେ ନିଜ ଜିଦରେ ଅଟଳ ରହିବା ଯୋଗୁ ଡାକ୍ତର ସଂପୃକ୍ତ ୱାର୍ଡକୁ ସିଲ୍ କରି ଏ ସଂପର୍କରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଅବଗତ କରିଥିଲେ। ସକାଳେ ପୌର କର୍ମଚାରୀଙ୍କ ସହାୟତାରେ କୋଭିଡ଼୍ ହସପିଟାଲ୍ ୱାର୍ଡରୁ ମୃତଦେହକୁ ନିଆଯାଇ ଶେଷକୃତ୍ୟ କରା ଯାଇଥିବା ଜଣା ପଡିଛି। ଆନ୍ଦୋଳନରତ କର୍ମଚାରୀଙ୍କ କହିବାନୁଯାୟୀ, ବର୍ଷକ ମଧ୍ୟରେ କୋଭିଡ଼୍ ହସପିଟାଲରେ ମରିଥିବା ୪୦ ଲୋକଙ୍କ ଶବକୁ ପ୍ୟାକିଂ କରିବା ସହ ଅନ୍ୟ ସବୁ କାମ ତୁଲାଉଛନ୍ତି।
ହେଲେ ପ୍ରଶାସନ ପକ୍ଷରୁ କୌଣସି ସହାୟତା ରାଶି ମିଳୁନି। ଶବ ସତ୍କାର କରୁଥିବା ପୌର କର୍ମଚାରୀଙ୍କୁ ଗୋଟିଏ କେଶ୍ ବାବଦକୁ ୭୫୦୦ ଟଙ୍କା ମିଳୁଥିବା ବେଳେ ଆମକୁ ପ୍ରତିଶ୍ରୁତି ମୁତାବକ ୨୦୦ ଟଙ୍କା ଦେବାକୁ ପ୍ରଶାସନ ପଛଘୁଞ୍ଚା ଦେଉଛି। ବାରମ୍ବାର ଦାବି ପରେ ମଧ୍ୟ କେହି ଏଥି ପ୍ରତି କର୍ଣ୍ଣପାତ କରୁନାହାନ୍ତି। ଦୈନିକ ୨୦୦ ଟଙ୍କା ପ୍ରୋତ୍ସାହନ ରାଶି, କାର୍ଯ୍ୟରତ କର୍ମଚାରୀଙ୍କୁ ୫୦ ଲକ୍ଷ ଟଙ୍କାର ବୀମା ସହାୟତା ସୁବିଧା ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ କର୍ମଚାରୀ ଚେତାବନୀ ଦେଇଛନ୍ତି। କର୍ମଚାରୀଙ୍କ ଚେତାବନୀ ପରେ ୩ ଜଣ ନୂତନ ଆଟେଣ୍ଡାଣ୍ଟଙ୍କୁ ନିଯୁକ୍ତି କରିବା ପାଇଁ କୋଭିଡ଼୍ ହସପିଟାଲରେ ଥିବା ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖିଛନ୍ତି।