କାଶୀପୁର ଗ୍ରାମାଞ୍ଚଳରେ ବ୍ୟାପିଛି ଜ୍ବର, ୪ ଗାଁରେ ପହଞ୍ଚିଲେ ମେଡ଼ିକାଲ୍ ଟିମ୍

 ୬୨ ଆଣ୍ଟିଜେନ୍ ଟେଷ୍ଟ ପରେ ୧୦ ପଜିଟିଭ୍ ଚିହ୍ନଟ

ଟିକିରି/ରାୟଗଡ଼ା : କାଶୀପୁର ଗ୍ରାମାଞ୍ଚଳରେ ଜ୍ବର ବ୍ୟାପିବା ପରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଆଜି ମେଡ଼ିକାଲ୍ ଟିମ୍ ପହଞ୍ଚିଛନ୍ତି। ବ୍ଲକର ସିନ୍ଦୂରଘାଟି, ସୁଙ୍ଗେର, ପୋଡାପଦର, ଯୋଡ଼ାମ୍ବରେ ୩ଟି ମେଡ଼ିକାଲ୍ ଟିମ୍ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରିଛନ୍ତି। ୪ଟି ଗାଁର ୮୨ ଜଣଙ୍କ ସ୍ବାବ ପରୀକ୍ଷା କରାଯାଇଥିବା ବେଳେ ୧୦ ଜଣଙ୍କ ସ୍ବାବ ରିପୋର୍ଟ କରୋନା ପଜିଟିଭ୍ ଆସିଛି। ୨୦ଟି ଆରଟିପିସିଆର ରିପୋର୍ଟ ପରୀକ୍ଷା ଲାଗି ବ୍ରହ୍ମପୁର ମେଡ଼ିକାଲ୍ କଲେଜକୁ ପଠାଯାଇଛି। ପଜିଟିଭ୍ ଚିହ୍ନଟ ଆକ୍ରାନ୍ତଙ୍କୁ ମେଡ଼ିସିନ୍ ପ୍ରଦାନ କରାଯାଇ ଗୃହ ସଙ୍ଗରୋଧରେ ରହିବାକୁ କୁହାଯାଇଛି।

ବ୍ଲକର ସିନ୍ଦୂରଘାଟି, କଣ୍ଟାମାଳ, ପୋଡାପଦର, ଯୋଡ଼ାମ୍ବରେ ଗତ ୨ ମାସ ହେଲା ଜ୍ବର, କାଶ, ଥଣ୍ଡା ଭଳି ରୋଗ ଲୋକଙ୍କୁ ଲାଗି ରହିଛି। ଉପଯୁକ୍ତ ଚିକିତ୍ସା ଅଭାବରୁ ଗତ ୩ ମାସରେ ୨୫ରୁ ଉର୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ପ୍ରକାଶ ପରେ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି। କେବଳ ମେ ମାସରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅଧିକାଂଶ ବାର୍ଧକ୍ୟଜନିତ କାରଣରୁ ମୃତ୍ୟୁବରଣ କରିଥିବା ସ୍ବାସ୍ଥ୍ୟ ବିଭାଗ ପ୍ରକାଶ କରିଛି। କାଶୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ନେତ୍ରାନନ୍ଦ ନାୟକଙ୍କ ତତ୍ତ୍ୱାବଧାନରେ ଆଜି ମେଡ଼ିକାଲ୍ ଟିମ୍ ସମସ୍ତ ଗାଁକୁ ଯାଇ ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ତେବେ ମେଡ଼ିକାଲ୍ ଟିମକୁ ଦେଖି ଗ୍ରାମବାସୀ ଭୟରେ କବାଟ ପକାଇ ଘରେ ରହି ଯାଇଥିଲେ। ସୁଙ୍ଗେର ସରପଞ୍ଚ ସୀତାରାମ ମାଝି ଲୋକଙ୍କୁ ବୁଝାଶୁଝା କରିବା ପରେ ୪ ଗ୍ରାମବାସୀ ସ୍ବାବ ପରୀକ୍ଷା ପାଇଁ ରାଜି ହୋଇଥିଲେ। ଡା. ପ୍ରକାଶ ନାୟକ ସହ ପୁରୁଷ ସ୍ବାସ୍ଥ୍ୟକର୍ମୀ ଚୈତନ୍ୟ ନାୟକ, ଏଏନଏମ ଦମୟନ୍ତୀ ସାହୁ, ସୁଶାନ୍ତ ବେହେରା ପ୍ରମୁଖ  ସିନ୍ଦୂରଘାଟି ଗାଁକୁ ଯାଇ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ୨୬ ଜଣଙ୍କ ଆଣ୍ଟିଜେନ ଟେଷ୍ଟ କରିଥିଲେ। ସେଥି ମଧ୍ୟରୁ ୧୦ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା। ସେହିପରି ଡା. ରାମ ପ୍ରସାଦ ମହାପାତ୍ରଙ୍କ ନେତୃତ୍ବରେ ଯାଇଥିବା ଟିମ ସୁଙ୍ଗେର ପଞ୍ଚାୟତର ଲଦାଖମଣ, କଣ୍ଟାମାଳ ଗାଁକୁ ପୀଡିତଙ୍କ  ଚିକିତ୍ସା କରିବା ସହ ୩୦ ଜଣଙ୍କ ଆଣ୍ଟିଜେନ ଟେଷ୍ଟ କରିଥିଲେ। ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଥିଲା।   ଡା. ପୁଣ୍ୟପ୍ରଭା ମହାନ୍ତି, ଡା. ଆର୍. ଆର୍. ରାଓ, ଫାର୍ମାସିଷ୍ଟ ସୁନୀଲ କୁମାର ସାହୁଙ୍କ ସମେତ ରାପିଡ୍ ରେସପନସ୍ ଟିମ୍ ଅଡ଼ାଜୋର ପଞ୍ଚାୟତର ଅଡ଼ାଜୋର, ଯୋଡ଼ାମ୍ବ, ପୋଡ଼ାପଦର ଗାଁକୁ ଯାଇ ଲୋକଙ୍କ ନିକଟରୁ ସ୍ବାବ ସଂଗ୍ରହ କରିଛନ୍ତି। ଥଣ୍ଡା, କାଶ ଭଳି ରୋଗରେ ଗ୍ରାମବାସୀ ପୀଡିତ ଥିବାରୁ ସ୍ବାବ ସଂଗ୍ରହ କରାଯାଇଛି। ଏଥି ସହିତ ୩୬ ଗ୍ରାମବାସୀଙ୍କ ମ୍ୟାଲେରିଆ ଟେଷ୍ଟ ମଧ୍ୟ କରାଯାଇଛି। ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ରହିଛି।

 

ସମ୍ବନ୍ଧିତ ଖବର