ଗ୍ରାମାଞ୍ଚଳରେ ଘାତକ ହେଉଛି ସଂକ୍ରମଣ , ଝାଙ୍ଗିଡି ଗ୍ରାମର ୧୬ ଶିଶୁ କରୋନା ସଂକ୍ରମିତ

ରାୟଗଡ଼ା : ରାୟଗଡ଼ା ଗ୍ରାମାଞ୍ଚଳରେ ଘାତକ ହେବାରେ ଲାଗିଛି କରୋନା। ବୟସ୍କ, ଯୁବପିଢ଼ିଙ୍କ ପରେ ଏବେ ଶିଶୁଙ୍କୁ ସଂକ୍ରମଣ ବ୍ୟାପିବାରେ ଲାଗିଛି। ରାୟଗଡ଼ା ବ୍ଲକ୍ ଜେମାଦେଇପେଣ୍ଠ ପଞ୍ଚାୟତ ଝାଙ୍ଗିଡି ଗ୍ରାମର ୧୬ ଶିଶୁ କରୋନାରେ ସଂକ୍ରମିତ ହେବା ଘଟଣା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇଛି। ସ୍ବାସ୍ଥ୍ୟ ବିଭାଗ ଘଟଣାକୁ ଗୁରୁତର ସହ ନେଇ ସଂକ୍ରମିତ ଶିଶୁଙ୍କୁ ସଙ୍ଗରୋଧରେ ରଖି ଚିକିତ୍ସା ଆରମ୍ଭ କରିଛି। ସଂକ୍ରମିତ ଶିଶୁଙ୍କ ମଧ୍ୟରେ ୩ ଜଣ ୫ ବର୍ଷରୁ କମ ବୟସର ବୋଲି ଜଣାପଡିଛି। ସେହିପରି ୧୮ରୁ କମ ବୟସର ୨୦ରୁ ଉର୍ଧ୍ବ କରୋନା ପଜିଟିଭ ହୋଇ ଚିକିତ୍ସିତ ହେଉଛନ୍ତି। ସମସ୍ତ ଆକ୍ରାନ୍ତ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି। ରାୟଗଡ଼ା ବ୍ଲକ୍ ଭଳି ଅନ୍ୟ ବ୍ଲକର ଗ୍ରାମଞ୍ଚଳରେ ମଧ୍ୟ କିଛି ଶିଶୁ କରୋନାର ଶିକାର ହୋଇଛନ୍ତି। କରୋନାର ତୃତୀୟ ଲହରୀ ଶିଶୁଙ୍କୁ ଆକ୍ରାନ୍ତ କରିବା ନେଇ ବିଶେଷଜ୍ଞ ମତ ପ୍ରକାଶ କରିଥିବା ବେଳେ ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା ଜିଲ୍ଲାରେ ବଢ଼ିବାରେ ଲାଗିଛି। ସଂକ୍ରମଣ ବ୍ୟାପିବା ପୂର୍ବରୁ ସ୍ବାସ୍ଥ୍ୟ ବିଭାଗ ସମେତ ଜିଲ୍ଲା ପ୍ରଶାସନ ସଚେତନତା ମୂଳକ ପଦକ୍ଷେପ ନେବାର ଆବଶ୍ୟକ ରହିଛି। ଗ୍ରାମାଞ୍ଚଳରେ ଶିଶୁମାନେ ଏକାଠି ହୋଇ ଖେଳାଖେଳି କରୁଥିବାରୁ ସଂକ୍ରମଣ ଜଣଙ୍କଠୁ ଅନ୍ୟ ଜଣଙ୍କୁ ବ୍ୟାପିଥିବା ସ୍ବାସ୍ଥ୍ୟ ବିଭାଗ ସନ୍ଦେହ କରୁଛି। ଓଡ଼ିଶାରେ ସଂକ୍ରମଣ କମିବାରେ ଲାଗିଥିବା ବେଳେ ରାୟଗଡ଼ା କିନ୍ତୁ କରୋନା ସଂକ୍ରମଣ ତାଲିକାରେ ରେଡ୍ ଜୋନରେ ରହିଛି। ଆଜି ସୁଦ୍ଧା ଜିଲ୍ଲାର ସଂକ୍ରମଣ ହାର ୧୪ ପ୍ରତିଶତରୁ ଅଧିକ ରହିଛି। ସେହିପରି ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗି ପାରୁନି। ଆଜି ଜିଲ୍ଲାରୁ ୧୨୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାୟଗଡ଼ା ସହରାଞ୍ଚଳରୁ ୧୭, ଗ୍ରାମାଞ୍ଚଳରୁ ୩, ରାମନାଗୁଡାରୁ ୨୦, ପଦ୍ମପୁରରୁ ୨, ମୁନିଗୁଡାରୁ ୫, କୋଲନରାରୁ ୩୧, କାଶୀପରରୁ ୫, କଲ୍ୟାଣସିଂପୁରରୁ ୧୩, ଗୁଣୁପର ସହରାଞ୍ଚଳ ଓ ଗ୍ରାମାଞ୍ଚଳରୁ ୬, ଗୁଡାରିରୁ ୭, ବିଷମକଟକରୁ ୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂତନ ସଂକ୍ରମିତଙ୍କୁ ମିଶାଇ ଜିଲ୍ଲାରୁ ଆଜି ସୁଦ୍ଧା ୧୭ ହଜାର ୩୯୮ ଆକ୍ରାନ୍ତ ଚିହ୍ନଟ ହେଲେଣି। ୧୫ ହଜାର ୭୯୭ ସୁସ୍ଥ ହୋଇଥିବା ବେଳେ ୧୪୮୩ ଚିକିତ୍ସାଧୀନ ଅଛନ୍ତି। ସରକାରୀ ଭାବେ ୧୧୮ ଜଣଙ୍କ ମୃତ୍ୟୁ ହୋଇଛି।

 

ସମ୍ବନ୍ଧିତ ଖବର