୭ ତାରିଖରୁ କାର୍ଯ୍ୟକ୍ଷମ ହେବ ମଞ୍ଜରୀ କୋଭିଡ଼ କେୟାର ସେଣ୍ଟର

ବାଲିଅନ୍ତା: ସ୍ଥାନୀୟ ପୂରଣପଧାନ ପଞ୍ଚାୟତ ସ୍ଥିତ ମଞ୍ଜରୀ କୋଭିଡ଼ କେୟାର ସେଣ୍ଟର ଆସନ୍ତା ୭ ତାରିଖ ସୁକ୍ରବାର ଠାରୁ କାର୍ଯ୍ୟକ୍ଷମ ହେବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି କୋଭିଡ଼ କେୟାର ସେଣ୍ଟରରେ ୪ ଶହ ସଂକ୍ରମିତଙ୍କ ଲାଗି ଶଯ୍ୟା ତଥା ଆନୁଷଙ୍ଗିକ ବ୍ୟବସ୍ଥା ହୋଇଥିବା ଜଣାଯାଇଛି। ୫ ତଳ ବିଶିଷ୍ଟ ବିଲ୍ଡିଂରେ ଶଯ୍ୟା ପକାଯାଇଛି। ପ୍ରଥମ ମହଲାରେ ମହିଳାଙ୍କ ଲାଗି ଶହେ ଶଯ୍ୟା ପକାଯାଇଛି। ଶୁକ୍ରବାର ଦିନ ରୋଗୀଙ୍କୁ ରଖିବା ପୂର୍ବରୁ ସ୍ଥାନୀୟ ପ୍ରଶାସନ ସହ ଜିଲ୍ଲା ପ୍ରଶାସନିକ ଅଧିକାରୀମାନେ ପହଞ୍ଚି କାର୍ଯ୍ୟ ତଦାରଖ କରିବେ ବୋଲି ସୂଚନା ମିଳିଛି। ଏଥିସହିତ କୋଭିଡ଼ ସଂକ୍ରମିତଙ୍କ ଲାଗି ଆନୁଷଙ୍ଗିକ ଭିତ୍ତିଭୂମି ସୁବିଧାସୁଯୋଗ ଯଥା , ଟଏଲେଟ, ଗାଧୁଆଘର ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସାଙ୍ଗକୁ ସ୍ପିଙ୍କଲର ପାଇପ ଜଳଯୋଗାଣ ଆଦି ରୋଗୀଙ୍କ ଲାଗି ସବୁ ପ୍ରକାରର ସୁରକ୍ଷା ଉପଲବ୍ଧ ହେବ। ଏନେଇ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ପୂର୍ବାହ୍ନରେ ହସ୍ପିଟାଲର ପହଞ୍ଚି କାର୍ଯ୍ୟ ତଦାରଖ କରିଥିଲେ।

ରୋଗୀଙ୍କ ଲାଗି ଉଦ୍ଦିଷ୍ଟ ୱାର୍ଡ଼ ଓ ଶଯ୍ୟା ପ୍ରବେଶ ଓ ପ୍ରସ୍ଥାନ ଆଦି ସମସ୍ତ ପ୍ରସ୍ତୁତି କାର୍ଯ୍ୟ ବୁଲି ଦେଖି ସନ୍ତୋଷ ପ୍ରକାଶ କରିଥିଲେ। ଏହି ଅବସରରେ ଜିଲ୍ଲାପାଳଙ୍କ ସହ ଖୋର୍ଧା ଏଡିଏମ ମନୋଜ ପାଢ଼ୀ, ତନୁଜ ଦାଶ ପଟ୍ଟନାୟକ (ରାଜସ୍ବ) ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା, ଅତିରିକ୍ତ ତହସିଲଦାର ସଂଯୁକ୍ତା ସ୍ବାଇଁ, ନୀଳାଚଳ କୋଭିଡ଼ ହସ୍ପିଟାଲ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ରାଉତ, ଚେୟାରମ୍ୟାନ ପ୍ରଦୋଷ ପଟ୍ଟନାୟକ ଓ ଭାଇସ ଚେୟାର ମ୍ୟାନ ଜ୍ୟୋତ୍ସ୍ନା ଦାଶ, ସଂପାଦକ ଶରତ ଚନ୍ଦ୍ର ବିଶ୍ବାଳ ଓ ସହ ସଂପାଦକ ଜଜେସ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର