ପିଆରଏମ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ: କରୋନା ଯୋଦ୍ଧା ଚିକିତ୍ସକ ସାଜିପାରନ୍ତି କୋଭିଡ୍ ଭୂତାଣୁର ସୁପରସ୍ପ୍ରେଡର୍
ବାରିପଦା: ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର କର୍ତ୍ତୃପକ୍ଷଙ୍କ ଖାମଖିଆଲି ଓ ଦୂରଦୃଷ୍ଟିହୀନ ଯୋଜନା କାରଣରୁ ଡାକ୍ତରମାନେ କୋଭିଡ୍ ଭୂତାଣୁର ସୁପରସ୍ପ୍ରେଡର୍ ହେବାର ଆଶଙ୍କା ସୃଷ୍ଟି ହୋଇଛି । ହସ୍ପିଟାଲ ପରିସରରେ ରହିଥିବା ଶିଶୁ ବିଭାଗର କୋଭିଡ୍ ୱାର୍ଡରେ ପ୍ରତ୍ୟେକ ଦିନ ରୋଟେସନ ଭିତ୍ତିରେ ଡାକ୍ତରମାନଙ୍କ ଡିଉଟିର ରାଉଣ୍ଡ ଚାଟ୍ ବିଭାଗୀୟ ମୁଖ୍ୟ ଡ. ପ୍ରଭାକର ମିଶ୍ର ଜାରି କରିଛନ୍ତି ।
ଡ. ବିଭୂଦତ୍ତ ନାୟକ ମାସର ପ୍ରତ୍ୟେକ ସୋମବାର, ଡ. ନିମାଇଁ ଚରଣ ନାୟକ ପ୍ରତ୍ୟେକ ମଙ୍ଗଳବାର, ଡ. ମାନସ ରଞ୍ଜନ ମଲ୍ଲିକ ପ୍ରତ୍ୟେକ ବୁଧବାର, ଡ. ପଙ୍କଜ କୁମାର ସାହୁ ପ୍ରତ୍ୟେକ ଗୁରୁବାର, ଡ. ଭଗୀରଥ ଦାସ ପ୍ରତ୍ୟେକ ଶୁକ୍ରବାର, ଡ. ଦେବୁଦତ୍ତ ଦାସ ପ୍ରତ୍ୟେକ ଶନିବାର ଏବଂ ଡ଼. ପଙ୍କଜ ସାହୁଙ୍କର ଦ୍ୱିତୀୟ ଓ ତୃତୀୟ ରବିବାର ୱାର୍ଡରେ ରାଉଣ୍ଡରେ ଡିଉଟି ପକାଯାଇଛି । ଏହି ସମସ୍ତ ଚିକିତ୍ସକମାନେ ଶିଶୁ ବିଭାଗର କୋଭିଡ୍ ୱାର୍ଡରେ ଡିଉଟି ଶେଷ କରିବାର ପରଦିନ ପୁନର୍ବାର ହସ୍ପିଟାଲର ଜେନେରାଲ ୱାର୍ଡ, ଆଉଟଡୋର୍ ଆଦିରେ ସାଧାରଣ ରୋଗୀମାନଙ୍କୁ ପରୀକ୍ଷା ନିରୀକ୍ଷା କରୁଛନ୍ତି । ଏହି ସମସ୍ତ ଡାକ୍ତରଙ୍କ ମଧ୍ୟରୁ ଯଦି କୌଣସି ଡାକ୍ତର କରୋନା ସଂକ୍ରମିତ ହୁଅନ୍ତି ତେବେ ସେ ସୁପର ସ୍ପ୍ରେଡର୍ ହେବାର ସମ୍ଭାବନା ସୃଷ୍ଟି କରାଉଛି ।
କୋଭିଡ୍ ନିୟମ ଅନୁସାରେ କରୋନା ୱାର୍ଡରେ ଡିୟୁଟି କରୁଥିବା ଜଣେ ଡାକ୍ତର ପରେ କ୍ୱାରାଣ୍ଟିନ୍ରେ ରହିବା ପରେ ତାଙ୍କର କରୋନା ପରୀକ୍ଷା କରାଯିବା ପରେ ପୁନର୍ବାର ଡିଉଟିରେ ଯୋଗ ଦେବାକଥା । ମାତ୍ର ଏହାକୁ ପିଆରଏମ୍ କର୍ତ୍ତୃପକ୍ଷ ଏବଂ ଶିଶୁ ବିଭାଗ ମୁଖ୍ୟ ଅଣଦେଖା ପ୍ରଦର୍ଶନ କରୁଥିବା ବିଷୟକୁ ନେଇ ଜନସାଧାରଣରେ ସମାଲୋଚନା ହେଉଛି। ଏନେଇ ଶିଶୁ ବିଭାଗ ମୁଖ୍ୟ ଡ. ପ୍ରଭାକାର ମିଶ୍ରଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ଯୋଗାଯୋଗ କରାଯାଇଥିଲା । ମାତ୍ର ଡ. ମିଶ୍ର ନିଜ ମୁଣ୍ଡରୁ ସବୁ ଦାୟିତ୍ବ ଖସାଇ ହସ୍ପିଟାଲ ଅଧୀକ୍ଷକଙ୍କ ମୁଣ୍ଡରେ ବୋଳି ଦେଇଛନ୍ତି । ହସ୍ପିଟାଲ ଅଧୀକ୍ଷକ ଏନେଇ କିଛି ଶୁଣୁ ନାହାନ୍ତି ।
ହସ୍ପିଟାଲରେ ଡାକ୍ତରମାନେ ପ୍ରଶ୍ନ ଉଠାଇବା ପରେ ଏ ବିଷୟରେ ଅଧୀକ୍ଷକଙ୍କ ସହିତ ଆଲୋଚନା କରିଥିଲେ । ଆଜି ହସ୍ପିଟାଲରେ ହୋଇଥିବା ବୈଠକରେ ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ । ପରବର୍ତ୍ତୀ ବୈଠକରେ ମଧ୍ୟ ପୁଣି ଥରେ ଏହି ପ୍ରସଙ୍ଗକୁ ଉପସ୍ଥାପନ କରିବେ। ତେବେ ଅଧୀକ୍ଷକ ବୁଝିବା ଦରକାର ବୋଲି ବୋଲି ଡ. ମିଶ୍ର କହିଥିଲେ । ଏନେଇ ଅଧୀକ୍ଷକଙ୍କ ପ୍ରତିକ୍ରୟା ଜାଣିବା ନିମନ୍ତେ ଯୋଗାଯୋଗ ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନଥିଲା। ଯଦି ଶିଶୁ ବିଭାଗ ମୁଖ୍ୟ ଡ. ମିଶ୍ର ଦେଇଥିବା ସୂଚନା ସତ୍ୟ ହୋଇଥାଏ, ତେବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏହା ଉପରେ ଗୁରୁତ୍ୱ ପ୍ରଦାନ କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି କରାଯାଇଛି ।