ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅଭିନବ ପ୍ରତିବାଦ, ଚା’ ବିକିଲେ ଛଟେଇ କୋଭିଡ ଷ୍ଟାଫନର୍ସ

ବଲାଙ୍ଗୀର: ବଲାଙ୍ଗୀର ଗସ୍ତରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ଆସିବା ସମୟରେ କୋଭିଡ ସମୟରେ କାର୍ଯ୍ୟ କରିଥିବା ଛଟେଇ ଷ୍ଟାଫନର୍ସମାନେ ବିରୋଧ ପ୍ରଦର୍ଶନ କରିଥିଲେ। ୟୁଜ୍‌ ଆଣ୍ଡ ଥ୍ରୋ ପଲିସି ଚଳିବ ନାହିଁ, ବରଂ ଟଙ୍କା ନିଅ ଓ ସ୍ଥାୟୀ ଚାକିରି ଦିଅ ବୋଲି ନାରାବାଜି କରିଥିଲେ। ଆଜି ଛଟେଇ ଷ୍ଟାଫ ନର୍ସମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ଧାରଣା ଦେବା ସହ ଚା’ ତିଆରି କରି ଯିବାଆସିବା ଲୋକଙ୍କୁ ବିକ୍ରି କରି ପ୍ରତିବାଦ କରିଛନ୍ତି। ଅଭିନବ ଭାବରେ ନବୀନ ବାବୁଙ୍କ ମଲ୍‌ଟିଭିଟାମିନ୍‌ ଚା’ ନାମରେ ଚା’ ତିଆରି କରି ବିକ୍ରି କରିଥିଲେ ଛଟେଇ କର୍ମଚାରୀ। ଅନ୍ୟପଟେ କୋଭିଡ କେୟାର ସେଣ୍ଟରରେ କାର୍ଯ୍ୟ କରୁଥିବା ୫ଜଣ ଷ୍ଟାଫ ନର୍ସଙ୍କୁ ଛଟେଇ କରାଯାଇଥିବାରୁ ସେମାନେ ଆସି ସିଡିଏମ୍‌ଓ କାର୍ଯ୍ୟାଳୟ ସମ୍ମୁଖରେ ହୋହଲ୍ଲା କରିଥିଲେ। ଯଦି ସେମାନଙ୍କୁ ଛଟେଇ କରିବାର ଥିଲା କାହିଁକି କିଛି ମାସ ପାଇଁ ନିଯୁକ୍ତି ଦିଆଯାଇଥିଲା ବୋଲି ପ୍ରଶ୍ନ କରିଥିଲେ। ଦିନକୁ ଦିନ ଛଟେଇ ପାରା ମେଡିକାଲ କର୍ମଚାରୀ ଓ ଷ୍ଟାଫନର୍ସଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏମାନଙ୍କୁ ସ୍ଥାୟୀ ନିଯୁକ୍ତି ଦିଗରେ ପଦକ୍ଷେପ ନେବାକୁ ସେମାନେ ଦାବି କରୁଛନ୍ତି।

ସମ୍ବନ୍ଧିତ ଖବର