କୋଭିଡ୍‌ ପର୍ଯ୍ୟବେକ୍ଷକଙ୍କ ମୟୂରଭଞ୍ଜ ଗସ୍ତ, ବେତନଟୀରେ ଥିବା କୋଭିଡ୍‌ କେୟାର ସେଣ୍ଟର୍‌ ନିରୀକ୍ଷଣ କଲେ

ବାରିପଦା : ମୟୂରଭଞ୍ଜରେ କରୋନାର ୨ୟ ଲହର ତାଣ୍ଡବ ସୃଷ୍ଟି କରିଛି। ଦିନକୁ ଦିନ ବଢ଼ିଚାଲିଛି ସଂକ୍ରମିତଙ୍କ ସଂଖ୍ୟା। ଏହି ଅବସରରେ ଆଜି ମୟୂରଭଞ୍ଜ କୋଭିଡ ପର୍ଯ୍ୟବେକ୍ଷକ ଶ୍ରୀକାନ୍ତ ପୃଷ୍ଟି ଜିଲ୍ଲା ଗସ୍ତରେ ଆସି ସ୍ଥିତିର ସମୀକ୍ଷା କରିଛନ୍ତି। ଶ୍ରୀ ପୃଷ୍ଟି ଏହି ଅବସରରେ ବେତନଟୀ ବ୍ଲକ୍‌ କେସିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ହୋଇଥିବା କୋଭିଡ୍‌ କେୟାର ସେଣ୍ଟର୍‌ ପରିଦର୍ଶନ  କରିଥିଲେ। ସେଠିକାର ପରିଚାଳନା ବ୍ୟବସ୍ଥା ସହିତ ରୋଗୀଙ୍କ ସ୍ବାସ୍ଥ୍ୟସେବାକୁ ନେଇ ମେଡିକାଲ୍‌ ଅଧିକାରୀ ଏବଂ ବରିଷ୍ଠ ଅଧିକାରୀଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ଏହି ‌୧୦୦ ଶଯ୍ୟାବିଶିଷ୍ଟ ସିସିସିରେ କରୋନା ଆକ୍ରାନ୍ତଙ୍କୁ ଯେପରି ସମସ୍ତ ସୁବିଧା ଉପଲବ୍ଧ ହୋଇପାରିବ ସେନେଇ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ଶ୍ରୀ ପୃଷ୍ଟି । ପରେ ବେତନଟୀରେ ଥିବା ଏମପିସି ଉଚ୍ଚବିଦ୍ୟାଳୟରେ ହୋଇଥିବା କ୍ଲଷ୍ଟର୍‌ ସଙ୍ଗରୋଧ କେନ୍ଦ୍ର(ଟିଏମସି) ପରିଦର୍ଶନ କରିଥିଲେ ଶ୍ରୀ ପୃଷ୍ଟି। କୋଭିଡ ପର୍ଯ୍ୟବେକ୍ଷକ ପଶ୍ଚିମବଙ୍ଗ ଫେରନ୍ତା ଅନ୍ତେବାସୀମାନଙ୍କୁ ଡାକି ସେମାନେ ପଶ୍ଚିମବଙ୍ଗର କେଉଁ ଅଞ୍ଚଳକୁ ଯାଇଥିଲେ, କଣ କାମ କରୁଥିଲେ କାହିଁକି ଯାଇଥିଲେ ଆଦି ପଚାରି ବୁଝିଥିଲେ। ଏହି ଅବସରରେ ଅନ୍ତେବାସୀମାନେ କାମ ଅନ୍ବେଷଣରେ ଯାଇଥିବା ଏବଂ ସେଠିକାର ଦୁଃସ୍ଥିତି ସମ୍ପର୍କରେ ପ୍ରକାଶ କରିଥିବା ଜଣାପଡ଼ିଛି। ସେଠିକାର ଭୋକ ଏବଂ ସ୍ବାସ୍ଥ୍ୟସେବାର ଅବ୍ୟବସ୍ଥାକୁ ନେଇ ଅନ୍ତେବାସୀମାନେ ସୂଚନା ଦେଇଥିଲେ। ଏହି ଗସ୍ତ ଅବସରରେ ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ ବେହେରା, ସିଡିଏମଓ ଡା. ରୁପଭାନୁ ମିଶ୍ର, କେସିପୁର ମେଡିକାଲ ଅଧିକାରୀ ଡ. ମହେଶ୍ବର ମାଝୀ, ବେତନଟୀ ବିଡିଓ ସ୍ମୃତିରଞ୍ଜନ ମଲ୍ଲିକ, ବେତନଟୀ ତହସିଲଦାର ସଂଗ୍ରାମ କେଶରୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ବିଡିଓ ସ୍ମୃତିରଞ୍ଜନ ମଲ୍ଲିକ ଟିଏମସିର ବ୍ୟବସ୍ଥା ବାବଦରେ ତଥ୍ୟ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟିଏମସି ପରିଚାଳନା ଦାୟୀତ୍ୱରେ ପିଇଓ ରବିନାରାୟଣ ପୃଷ୍ଟି, ପିଇଓ ଯୁଧିଷ୍ଠିର ମହାନ୍ତ, ପିଇଓ ଶମ୍ଭୁନାଥ ସେଠୀ, ପିଇଓ ସତ୍ୟରଞ୍ଜନ ପାତ୍ର, ଅଙ୍ଗନୱାଡି କର୍ମୀ ସାବିତ୍ରୀ ମାରାଣ୍ଡି, ରଙ୍ଗଲତା ମହାନ୍ତ, ଜେଏସ ରାଜେଶ କୁମାର ସାଓ ପ୍ରମୁଖ ଉପସ୍ଥିତ ଥିଲେ। ବାରିପଦା ଫେରିବା ପରେ ସର୍କିଟ୍‌ ହାଉସ୍‌ରେ କୋଭିଡ୍‌ ପର୍ଯ୍ୟବେକ୍ଷକ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଏଡିଏମ(ଜେନେରାଲ) ରୁଦ୍ରନାରାୟଣ ମହାନ୍ତି, ଏଡିଏମ(ରାଜସ୍ବ) ପ୍ରକାଶ ବେହେରା, ପିଡି ଡିଆରଡିଏ ଭବେଶ କୁମାର ନାୟକଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକରେ ଜିଲ୍ଲାର କରୋନା ସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିଲେ। ଜିଲ୍ଲାପ୍ରଶାସନ କରୋନା ମୁକାବିଲା ନେଇ କରିଥିବା ପ୍ରସ୍ତୁତି ସମ୍ପର୍କ‌ରେ ତଦାରଖ କରିଥିଲେ ପର୍ଯ୍ୟବେକ୍ଷକ ଶ୍ରୀ ପୃଷ୍ଟି।

 

ସମ୍ବନ୍ଧିତ ଖବର