କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସମ୍ଭାବନା !

କୋଭିଡ୍ ହସ୍ପିଟାଲକୁ ଆଗୁଆ ପ୍ରସ୍ତୁତ କଲା ପ୍ରଶାସନ

ଜୟପୁର: ସଂପ୍ରତି ଦ୍ବିତୀୟ ପର୍ଯ୍ୟାୟ କରୋନା ସଂକ୍ରମଣ ଭାରତର ୬ଟି ରାଜ୍ୟରେ ଦେଖା ଦେଇଛି। ଏହି କ୍ରମରେ ଓଡିଶାରେ ବି ସଂକ୍ରମଣ ବ୍ୟାପିବା ସମ୍ଭାବନାକୁ ଏଡ଼ାଇ ହେବନି। ପ୍ରଥମ ପର୍ଯ୍ୟାୟ ପରେ ରୋଗୀଙ୍କ ସଂଖ୍ୟା କମିବା ପରେ କୋଭିଡ୍ କେୟାର ସେଣ୍ଟାର ଓ କୋଭିଡ୍ ହସ୍ପିଟାଲକୁ ବନ୍ଦ କରି ଦିଆଯାଇଥିଲା। ତେବେ ଗତ କିଛି ଦିନର କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଗୁଆ ଜୟପୁର ଠାରେ ଥିବା ଦେଢ଼ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲକୁ ପ୍ରସ୍ତୁତି କରି ରଖିବା ଆରମ୍ଭ କରିଛି।

ଅନ୍ୟ ପକ୍ଷରେ ସଂପ୍ରତି କୋଭିଡ୍ ଟୀକାଦାନା କାର୍ଯ୍ୟକ୍ରମ ଜିଲ୍ଲାରେ ଜୋର ଧରିଛି। ସରକାରଙ୍କ ନିର୍ଦେଶକ୍ରମେ ଆସନ୍ତାକାଲି ୧ତାରିଖରୁ ୪୫ବର୍ଷରୁ ଉର୍ଦ୍ଧ୍ବ ବୟସବର୍ଗର ଲୋକଙ୍କୁ ଟୀକା ଦିଆଯିବ। ଦିନକୁ ଜିଲ୍ଲାରେ ୬୫୦୦ଜଣଙ୍କୁ ଦେବାର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ସିଡିଏମଓ ଡ.ମକରନ୍ଦ ବେଉରା।

୬୦ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଦିନକୁ ୩୨୦୦ଦିଆଯାଉଥିବା ବେଳେ ଏହାର ଡବଲ ଦିଆଯିବ। ସେଭଳି ୬୦ବର୍ଷରୁ ଉର୍ଦ୍ଧ୍ବ ବର୍ଗର ଲୋକଙ୍କର ୨ୟ ଡୋଜ୍ ଜିଲ୍ଲାରେ ପହଞ୍ଚିସାରିଥିବା ସୂଚନା ଦେଇଛନ୍ତି ସିଡିଏମଓ। ଅତି ଶୀଘ୍ର ଏମାନଙ୍କର ୨ୟ ଡୋଜ ସହ କୋଭିଡ୍ ଯୋଦ୍ଧା ସ୍ବାସ୍ଥ୍ୟ ବିଭାଗର ଯେଉଁମାନେ ଟୀକା ନେଇ ନଥିଲେ ସେ କର୍ମଚାରୀ, ଅଗ୍ନିଶମ, ପରିବହନ , ବିଦ୍ୟୁତ ବିଭାଗ ଆଦିର କର୍ମଚାରୀଙ୍କୁ ବି ପ୍ରଥମ ଡୋଜ ଟୀକା ଦେବା ଆରମ୍ଭ ହୋଇଥିବା କହିଛନ୍ତି ସିଡିଏମଓ।

ଯଦିଓ ୪୫ବର୍ଷରୁ ଉର୍ଦ୍ଧ୍ବ ବୟସବର୍ଗର ଲୋକଙ୍କର ଆସନ୍ତାକାଲି ଠାରୁ ସରକାରୀ ଭାବେ ଆରମ୍ଭ କରିବାକୁ ଘୋଷଣା ହୋଇଥିଲେ ହେଁ ଆସନ୍ତାକାଲି ଓ ପଅରଦିନ ଛୁଟି ରହିଥିବାରୁ ୩ତାରିଖରୁ ଏହି ପ୍ରକ୍ରିୟା ଜୋର ଧରିବ ବୋଲି କହିଛନ୍ତି ସିଡିଏମଓ। ଦିନେ ଦୁଇ ଦିନ ଅନ୍ତରାଳରେ ଜିଲ୍ଲାରେ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ରାଜ୍ୟସରକାର କେତେବେଳେ ବି ସଂକ୍ରମଣ ବୃଦ୍ଧି ପାଇଲେ ଡାକ୍ତରଖାନା ଆରମ୍ଭ କରିବାକୁ ନିର୍ଦେଶ ଦେଇ ପାରନ୍ତି। ତେଣୁ ବେଳଥାଉଣୁ ହିଁ କୋଭିଡ୍ ହସ୍ପିଟାଲକୁ ସଂପୁର୍ଣ୍ଣ ପ୍ରସ୍ତୁତ କରି ରଖାଯାଉଛି ବୋଲି କହିଛନ୍ତି ସିଡିଏମଓ ଡ.ବେଉରା।

ସମ୍ବନ୍ଧିତ ଖବର