ଦାଖଲ ହୋଇନାହିଁ କୋଭିଡ୍ ଭତ୍ତା ବିନିଯୋଗ ପ୍ରମାଣପତ୍ର

ଖୋର୍ଦ୍ଧା: କୋଭିଡ୍ ମହାମାରୀ ସମୟରେ ସରକାର କେନ୍ଦ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନା (ଏନ୍ଏଫ୍ଏସ୍ଏ) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍ଏଫ୍ଏସ୍ଏ)ର ହିତାଧିକାରୀଙ୍କୁ ୧ହଜାର ଟଙ୍କା ଲେଖାଏଁ ଭତ୍ତା ଦେଇଥିଲେ । ଏହି ଭତ୍ତା ବଂଟନର ପ୍ରାୟ ୫ ମାସ ବିତିଯାଇଛି କିନ୍ତୁ ଏଯାଏଁ ଏହାର ବିନିଯୋଗ ପ୍ରମାଣପତ୍ର ପ୍ରଦାନ କରାଯାଇନାହିଁ ।

ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲାରେ ଉଭୟ କେନ୍ଦ୍ର ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଜିଲ୍ଲାର ୩ଲକ୍ଷ ୯୩ହଜାର ୮୧୨ଟି ପରିବାର ସାମିଲ ହୋଇଛନ୍ତି । ଅର୍ଥାତ୍ ଜିଲ୍ଲାର ମୋଟ ୪ଲକ୍ଷ ୯୪ ହଜାର୨୧୨ଟି ପରିବାର ମଧ୍ୟରୁ ୭୯.୬୮ ପ୍ରତିଶତ ପରିବାର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ଅଟନ୍ତି । ଏହା ମଧ୍ୟରୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଖୋର୍ଦ୍ଧା ଜିଲ୍ଲାର ୫୬୬୪ ପରିବାରର ୧୮,୨୩୩ ସଦସ୍ୟ ରହିଥିବା ବେଳେ କେନ୍ଦ୍ର ଖାଦ୍ୟ ସୁରକ୍ଷା ଯୋଜନାରେ ୩ଲକ୍ଷ ୪୯ ହଜାର ୮୦୧ ପରିବାରର ୧୨ଲକ୍ଷ ୪୯ହାଜର ୮୧୬ ଜଣ ସଦସ୍ୟ ସମ୍ପୃକ୍ତ ଅଛନ୍ତି । ପ୍ରତିମାସରେ ସେମାନଙ୍କୁ ୪୪,୮୭୨.୨୫ କ୍ୱିଂଟାଲ୍ ଚାଉଳ ଓ ୧୭,୨୮୫.୨୧ କ୍ୱିଂଟାଲ୍ ଗହମ ପ୍ରଦାନ କରାଯାଉଛି । କୋଭିଡ ସମୟରେ ଅତିରିକ୍ତ ଚାଉଳ ମାଗଣା ପ୍ରଦାନ କରାଯାଇଥିଲା, ବର୍ତମାନ କେନ୍ଦ୍ର ସରକାର ଏହାକୁ ଅତିରିକ୍ତ ୬ ମାସ ପାଇଁ ବୃଦ୍ଧି କରିଛନ୍ତି । ଏହାସହ କୋଭିଡ୍ ସମୟରେ ଲୋକଙ୍କ ଆର୍ଥିକ ଅବସ୍ଥାରେ କିଛି ପରିମାଣରେ ସୁଧାର ଆଣିବାକୁ ସରକାର ଏନ୍ଏଫ୍ଏସ୍ଓ ଓ ଏସ୍ଏଫ୍ଏସ୍ଏର ହିତାଧିକାରୀଙ୍କୁ ପରିବାର ପିଛା ୧ ହଜାର ଟଙ୍କା ଲେଖାଏଁ ଦେଇଥିଲେ ।

ଏହି ଯୋଜନାରେ ଖୋର୍ଦ୍ଧା ଜିଲ୍ଲାକୁ ୨୦ଡିସେମ୍ବର ୨୦୧୨ ଓ ୨୧ ଡିସେମ୍ବର ୨୦୧୨ ଦୁଇଟି କିସ୍ତିରେ ଯଥାକ୍ରମେ ୨୫ କୋଟି ୨ଲକ୍ଷ ୩୪,୭୯୯ ଟଙ୍କା ଓ ୧୪ କୋଟି ୩ ୫ଲକ୍ଷ ୭୭, ୩୦୦ ଟଙ୍କା, ଏଭଳି ମୋଟ ୩୯ କୋଟି ୩୮ଲକ୍ଷ ୧୨ ହଜାର ଟଙ୍କା ମିଳିଥିଲା । ଏହି ଟଙ୍କା ନଗଦ ଆକାରରେ ସୁଲଭମୂଲ୍ୟ କେନ୍ଦ୍ର ଦ୍ୱାରା ବଂଟନ କରାଯାଇଥିଲା । ଏହି ବଂଟନ ସମୟରେ ଅନେକ ସ୍ଥାନରେ ଦଳୀୟ ସ୍ୱାର୍ଥ ଓ ରାଜନୈତିକ ନେତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବଂଟନ କରାଯାଇଥିବା ଓ ଅନେକ ହିତାଧିକାରୀଙ୍କୁ ଏଥିରୁ ବଂଚିତ କରାଯାଇଥିବା ଅଭିଯୋଗ ହୋଇଥିଲା ।
ବର୍ତମାନ ଏହି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଦାଖଲ ହୋଇନାହିଁ । ଏନେଇ ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଚିଠି ଲେଖି ପ୍ରତିହିତାଧିକାରୀ ୱାରୀ ଆବଂଟନ ତାଲିକା ଓ ବିନିଯୋଗ ପ୍ରମାଣପତ୍ର ପଠାଇବାକୁ ନିଦେ୍ର୍ଦଶ ଦେଇଛନ୍ତି ।

ସମ୍ବନ୍ଧିତ ଖବର