ଯାଜପୁର: ଦୀର୍ଘ ଦିନ ପରେ ପନୁର୍ବାର ଯାଜପୁରରେ ପ୍ରଶାସନ ପକ୍ଷରୁ କରୋନା କଟକଣା ଜାରି କରାଯାଇଛି। ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ପୁଣି ଥରେ କଟକଣା ଲାଗୁ କରାଯାଇଛି। ଏହା ଦ୍ବାରା ଜିଲ୍ଲାର ସମସ୍ତ ମନ୍ଦିର, ପର୍ଯ୍ୟଟକ ସ୍ଥଳୀ ଓ ପାର୍କକୁ ଜାନୁୁଆରି ୧୩ ତାରିଖ ଠାରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ରହିବ। ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋରଙ୍କ ନିଷ୍ପତ୍ତି କ୍ରମେ ଏହି କଟକଣା ଲାଗୁ ହୋଇଛି।

Advertisment

ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବା ବେଳେ ଦୈନିକ ଶହଶହ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଆସିବା ସହ ମା’ ବିରଜାଙ୍କ ମନ୍ଦିରରେ ଭିଡ ଲଗାଉଛନ୍ତି। ସେହିପରି ଯାଜପୁର ସହରର କୁସୁମା ପାର୍କ ମଧ୍ୟ ସଂଧ୍ୟାରେ ବହୁ ଭିଡ ପରିଲକ୍ଷିତ ହେଉଛି। ବର୍ତ୍ତମାନ ସମୟରେ ଜିଲ୍ଲାରେ କୋଭିଡ ଉପର ମୁହାଁ ଥିବା ବେଳେ  ସଂକ୍ରମଣ ୬ଶହ ପାର ହୋଇଛି।

ସେହିପରି ଜିଲ୍ଲାରେ ଓମିକ୍ରନ୍ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇଛନ୍ତି। ତେବେ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ପରିସ୍ଥିତି ଅଣାୟତ ହେବା ପୂର୍ବରୁ ପ୍ରଶାସନ କଟକଣା ଜାରି କରିଛି। ଯାହାକି ଜିଲ୍ଲା ଜରୁରୀକାଳୀନ ବିଭାଗ ଚିଠି ନଂ  ୫୬୮/୧୨.୧.୨୦୨୨ ଜରିଆରେ ଗୁରୁବାର ଠାରୁ ପରବର୍ତ୍ତୀ  ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।