ଖୋର୍ଦ୍ଧା: ଜିଲ୍ଲାରେ ପୁଣି କରୋନା ସଂକ୍ରମଣ ଉପରମୁହାଁ ହୋଇଛି। ଏହାକୁ ନିୟନ୍ତ୍ରଣ କରିବାକୁ ପୂଜା ସମୟରେ କୋଭିଡ କଟକଣା କଡ଼ାକଡ଼ି ପାଳନ କରାଯିବ। ପୂଜା ସମୟରେ ଶାନ୍ତିଶୃଙ୍ଖଳା, ଟ୍ରାଫିକ, ମନ୍ଦିର, ଦୋକାନ ବଜାରରେ ଗହଳି ଆଦିର ନିୟନ୍ତ୍ରଣ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ଏକ ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ୱସୱାନ୍ କକ୍ଷରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି ବୈଠକରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ବୈଠକରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ ପକ୍ଷରୁ ଜାରି କରାଯାଇଥିବା ନିୟମାବଳୀ ସମ୍ପର୍କରେ ଆଲୋଚନା ହୋଇଥିଲା। ଜିଲ୍ଲାପାଳ ପୂଜା ସମୟରେ ଅଧିକ ସତର୍କତା ଓ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ।
ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ପୂଜା ପାଇଁ କମିଟି ଗୁଡ଼ିକ ଉପଜିଲ୍ଲାପାଳଙ୍କ ଠାରୁ ଅନୁମତି, ସର୍ବସାଧାରଣଙ୍କ ଦର୍ଶନର କଟକଣା, ମୂର୍ତ୍ତିର ଉଚ୍ଚତା ଆଦି ଯେଭଳି ପାଳନ କରାଯିବ ସେନେଇ ଆଲୋଚନା ହୋଇଥିଲା। ଚଳିତବର୍ଷ ମଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭସାଣୀ ଶୋଭାଯାତ୍ରା ଅନୁଷ୍ଠିତ ହେବନାହିଁ। ଏଥିପାଇଁ ମନ୍ଦିର ଓ ପୂଜା ମଣ୍ଡପ ଗୁଡ଼ିକରେ ଆବଶ୍ୟକ ପୁଲିସ ମୁତୟନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ଆଲୋଚନା ହୋଇଥିଲା। ତେବେ ପୂଜା ସମୟରେ କୋଭିଡ ପରୀକ୍ଷା, ଟିକାକରଣ ଆଦି ନିୟମିତ ଭାବେ ଚାଲିବ। ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅନୁଜ ଦାସପଟ୍ଟନାୟକ, ଆରକ୍ଷୀ ଅଧୀକ୍ଷକ ରାଜ କିଶୋର ଦୋରା, ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ବିଶ୍ୱରଂଜନ ପତି, ସ୍ୱାସ୍ଥ୍ୟ ଅଧିକାରୀ ଡଃ. ପ୍ରଶାନ୍ତ କୁମାର ଦାଶ, ପିଡି ଡିଆର୍ଡିଏ ଦିଗନ୍ତ ରାଉତରାୟ, ଉପଜିଲ୍ଲାପାଳ (ଖୋର୍ଦ୍ଧା) ଆଇ ଗୌରବ ଶିବାଜୀ, ଉପଜିଲ୍ଲାପାଳ (ଭୁବନେଶ୍ୱର) ଦେବବ୍ରତ ସାହୁ, ଡିଆରଡିଏ (ଏପିଡି) ଶକ୍ତିକାନ୍ତ ରାୟ, ୧୦ଟି ବିଡିଓ, ତହସିଲଦାର, ସ୍ୱାସ୍ଥ୍ୟ ଅଧିକାରୀ, ନିର୍ବାହୀ ଅଧିକାରୀ ଓ ଥାନା ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/Covid-meeting-Khordha.jpeg)