ଡାକ୍ତର ଅଭାବରୁ ବଢ଼ି ପାରୁନି ଆଇସିୟୁ ବେଡ୍ :ଘରୋଇ ହସ୍ପିଟାଲକୁ ଚିଠି ଲେଖିଲେ ସୁନ୍ଦରଗଡ଼ ଜିଲ୍ଲାପାଳ

ବଢ଼ିବ ୧୦୦ ଆଇସିୟୁ ବେଡ୍, ପହଞ୍ଚିଲା ୧୦୦ ଭେଣ୍ଟିଲେଟର

ରାଉରକେଲା: ସୁନ୍ଦରଗଡ଼ରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ଜିଲ୍ଲାରେ ସ୍ମାର୍ଟସିଟି ରାଉରକେଲାର ସ୍ଥିତି ସଙ୍ଗିନ୍। ଗତ ୨୪ ଘଣ୍ଟାରେ ଜିଲ୍ଲାରେ ୭୪୫ ଜଣ ଆକ୍ରାନ୍ତ ହୋଇଛନ୍ତି। ତିନି ଜଣଙ୍କର ଜୀବନ ଯାଇଛି। ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ପ୍ରତ୍ୟେକ ଦିନ ବେଦବ୍ୟାସ ଶ୍ମଶାନ ଘାଟରେ ଜୁଇ ଲିଭୁନି। ଦୈନିକ ପ୍ରାୟ ୧୦ରୁ ୧୨ଟି ଶବ ଜଳାଯାଉଛି। କୋଭିଡ୍‌ ହସ୍ପିଟାଲରୁ ଶବ ନେବାକୁ ପରିବାର ଓ ପରିଜନକୁ ୧୦ରୁ ୧୨ଘଣ୍ଟା ଅପେକ୍ଷା କରିବାକୁ ପଡୁଛି। ଜିଲ୍ଲାରେ ଦିନକୁ ଦିନ ବଢ଼ୁଥିବା ସଂକ୍ରମଣକୁ ରୋକିବାକୁ ଜିଲ୍ଲା ପ୍ରଶାସନ ପୁରା ଦମ୍‌ରେ କାମ କରୁଛି। ବିଭାଗୀୟ ଅଧିକାରୀଙ୍କୁ ନେଇ ଜିଲ୍ଲାପାଳ ଘନଘନ ବୈଠକ କରି ସ୍ଥିତିର ସମୀକ୍ଷା କରୁଛନ୍ତି।

କୋଭିଡ ସ୍ଥିତି ନେଇ ଉଦିତନଗରସ୍ଥିତ ଆର୍‌ଏମ୍‌ସି ପାଠାଗାର ସମ୍ମିଳନୀ କକ୍ଷରେ ଜିଲ୍ଲା ପ୍ରଶାସନର ରୁଦ୍ଧଦ୍ବାର ବୈଠକ ଅନୁଷ୍ଠିତ ହୋଇଥିଲା। ସୁନ୍ଦରଗଡ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ଅଧ୍ୟକ୍ଷତା କରିଥିଲେ। ଉପସ୍ଥିତ ଥିଲେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ, ଆର୍‌ଏମ୍‌ସି କମିସନର ଦିବ୍ୟଜ୍ୟୋତି ପରିଡାଙ୍କ ସମେତ କୋଭିଡ୍‌ ପରିଚାଳନା ଦାୟିତ୍ବରେ ଥିବା ବରିଷ୍ଠ ଡାକ୍ତର ଓ ଅନ୍ୟ ବିଭାଗୀୟ ଅଧିକାରୀ। ଜିଲ୍ଲାର ସ୍ଥିତିକୁ ନେଇ ପ୍ରାୟ ୨ ଘଣ୍ଟାରୁ ଅଧିକ ସମୟ ସମୀକ୍ଷା କରାଯାଇଥିଲା। ଜିଲ୍ଲାରେ ଚାରିଟି କୋଭିଡ ହସ୍ପିଟାଲ ଖୋଲଯାଇଥିଲେ ହେଁ ଆଇସିୟୁ ବେଡ୍‌ର ଅଭାବ ରହିଛି। ଡାକ୍ତର ଅଭାବରୁ ଅଧିକ ଆଇସିୟୁ ବେଡ୍ ଖୋଲିବାରେ ସମସ୍ୟା ସୃଷ୍ଟି ‌ହେଉଛି ବୋଲି ଜିଲ୍ଲାପାଳ ଶ୍ରୀ କଲ୍ୟାଣ ସ୍ବୀକାର କରିଛନ୍ତି। ଏଥିପାଇଁ ଡାକ୍ତର ଆବଶ୍ୟକତା ରହିଛି। ଡାକ୍ତର ପାଇଁ ଘରୋଇ ହସ୍ପିଟାଲକୁ ଚିଠି କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି।

ସେ କହିଛନ୍ତି, ଘରୋଇ ହସ୍ପିଟାଲରୁ ଡାକ୍ତର ଆସିବା ମାତ୍ରେ କୋଭିଡ୍‌ ହସ୍ପିଟାଲରେ ଆଇସିୟୁ ବେଡ୍‌ ବୃଦ୍ଧି କରାଯିବ। ତଥାପି ଗୁରୁତର ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଖୁବ୍‌ ଶୀଘ୍ର ଆହୁରି  ୧୦୦ ଆଇସିୟୁ ବେଡ୍‌ର ବ୍ୟବସ୍ଥା କରାଯିବ। ଏବେ ୨୦୦ ଭେଣ୍ଟିଲେଟର ମହଜୁଦ ରହିଛି। ଆଜି ରାତି ସୁଦ୍ଧା ଆହୁରି ୧୦୦ ଭେଣ୍ଟିଲେଟର ପହଞ୍ଚିବ। ଆବଶ୍ୟକତାଠାରୁ ଢ଼େର ଅଧିକ ଅମ୍ଲଜାନ ସିଲିଣ୍ଡର ମହଜୁଦ ରହିଛି। ଦୈନିକ ଅମ୍ଲଜାନ ରିଫିଲିଂକୁ ବଢ଼ାଯାଇଛି। ପ୍ରବାସୀଙ୍କ ପାଇଁ ରାଉରକେଲା ସହରରେ ତିନିଟି ଟିଏମ୍‌ସି ଖୋଲାଯାଇଛି। ଷ୍ଟେସନ, ସୀମାନ୍ତରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଇଛି।  ସହରରେ ଆଗାମୀ ଦିନରେ କେତେକ ପ୍ରମୁଖ ମାର୍କେଟକୁ ବନ୍ଦ କରାଯିବାର ଯୋଜନା ରହିଛି ବୋଲି କହିଛନ୍ତି ଜିଲ୍ଲାପାଳ ।

ସୂଚନାଯୋଗ୍ୟ, ସୁନ୍ଦରଗଡ ଏନ୍‌ଟିପିସି ‌କୋଭିଡ୍‌ ହେଲ୍‌ଥ ସେଣ୍ଟରରେ ୧୦୦ ସାଧାରଣ ବେଡ୍ ରହିଛି। ଶାନ୍ତି ମେମୋରିଆଲ ହସ୍ପିଟାଲ ୧୦୫ ସାଧାରଣ ଓ ୨୦ଟି ଆଇସିୟୁ ଓ ଜୟ ପ୍ରକାଶ ହସ୍ପିଟାଲରେ ୧୨୦ ସାଧାରଣ ଓ ୮୦ ଆଇସିୟୁ ବେଡ୍‌ ରହିଛି। ହାଇଟେକ୍‌ କୋଭିଡ୍‌ ହସ୍ପିଟାଲ ୨୦୦  ବେଡ୍‌ରୁ ୧୨୫ ସାଧାରଣ ଓ ୨୫ଟି ଆଇସିୟୁ ବେଡ୍‌ ରହିଛି। ଏଥିସହ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ୬୦ରୁ ଅଧିକ ଆଇସିୟୁ ବେଡ୍‌ର ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧିତ ଖବର