ଖୋର୍ଦ୍ଧା : ଖୋର୍ଦ୍ଧା ଗ୍ରାମାଂଚଳରେ ଆଜି ଦ୍ୱିତୀୟ ପର୍ଯ୍ୟାଳୟ କୋଭିଡ୍-୧୯ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି ।
ଆଜି ଜିଲ୍ଲାର (ଭୁବନେଶ୍ୱର ମହାନଗର ନିଗମ ବ୍ୟତୀତ) ୧୨ଟି ସ୍ଥାନରେ ଏହି ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ କାର୍ଯ୍ୟକ୍ରମରେ ଦ୍ୱିତୀୟ ପର୍ଯ୍ୟାୟର କୋଭିଡ୍ ଯୋଦ୍ଧା ଯେଭଳି ପୁଲିସ, ପ୍ରାଶାସନିକ ଅଧିକାରୀ, କର୍ମଚାରୀମାନେ ସାମିଲ ହୋଇଛନ୍ତି । ଖୋର୍ଦ୍ଧା ସଦର ମହକୁମାରେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ, ସଂସ୍କୃତି ଭବନ, ବ୍ଲକ କାର୍ଯ୍ୟାଳୟରେ ଏହି ଟିକା ଦିଆଯାଇଥିଲା । ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟସ୍ଥ ସଂସ୍କୃତି ଭବନ ଠାରେ ଜିଲ୍ଲାପାଳ ସନତ କୁମାର ମହାନ୍ତି ପ୍ରଥମେ କୋଭିଡ୍ ଟିକା ନେଇଥିଲେ ।

Advertisment

ଏହା ପରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅନୁଜ କୁମାର ଦାସପଟ୍ଟନାୟକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଦିଗନ୍ତ ରାଉତରାୟ, ଉପଜିଲ୍ଲାପାଳ ଅଶୋକ କୁମାର ବେଉରିଆଙ୍କ ସମେତ ଜିଲ୍ଲାପାଳ କାର୍ଯ୍ୟାଳୟର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ଟିକା ନେଇଥିଲେ ।

ଏନେଇ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟାଧିକାରୀ ଡଃ ବିଶ୍ୱ ରଂଜନ ପତି କହିଛନ୍ତି ଯେ ଗ୍ରାମାଂଚଳରେ ୧୨ଟି ଟିକାଦାନ କେନ୍ଦ୍ରରେ ୧୦୫୨ଜଣ କର୍ମଚାରୀ ଟିକା ନେଇଛନ୍ତି । ଆଜି ୧୩୬୦ଜଣଙ୍କୁ ଟିକା ଦେବା କାର୍ଯ୍ୟକ୍ରମ ରହିଥିବା ବେଳେ ଟୀକାଦାନ କାର୍ଯ୍ୟକ୍ରମ ଶେଷ ହେବା ଯାଏଁ ୭୭ ପ୍ରତିଶତ କର୍ମଚାରୀ ଟିକା ଗ୍ରହଣ କରାଯାଇଛି । ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଦ୍ୱାରିକା ମୋହନ ଶତପଥି କହିଛନ୍ତି ସଂସ୍କୃତି ଭବନରେ ଜିଲ୍ଲାପାଳଙ୍କ ସମେତ ୫୩ଜଣ ଟିକା ନେଇଥିବା ବେଳେ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ୧୨୭ଜଣ, ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କ ସମେତ ୬୦ଜଣ କର୍ମଚାରୀ ଟିକା ନେଇଛନ୍ତି ।