ଓକିଲଙ୍କୁ କୋଭିଡ୍ ଟୀକା ଓ ସିଟି ହସ୍ପିଟାଲ୍ ସ୍ଥାପନ କରିବାକୁ ଦାବି କରି ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେଲେ ଜିଲ୍ଲା ଆଇନଜୀବୀ ସଂଘ

ଜୟପୁର: ଓକିଲଙ୍କୁ କୋଭିଡ୍ ଭ୍ୟାକ୍ସିନ୍ ଟୀକା ଦେବା , ପୁରୁଣା ଉପଖଣ୍ଡ ଡାକ୍ତରଖାନା ପରିସରରେ ଥିବା କୋଭିଡ୍ ହସ୍ପିଟାଲରେ ସିଟି ହସ୍ପିଟାଲ ଆରମ୍ଭ କରିବାକୁ ଅନୁରୋଧ କରି ଜିଲ୍ଲା ଆଇନଜୀବୀ ସଂଘ ଜୟପୁର ପକ୍ଷରୁ ଏକ ସ୍ମାରକପତ୍ର ଜିଲ୍ଲାପାଳ ମହମ୍ମଦ ଅବଦାଲ ଆଖତରଙ୍କୁ ଦିଆଯାଇଛି। ଆଇନଜୀବୀ ସଂଘର ଏକ ଦଳ ନୂଆରେ ଯୋଗଦେଇଥିବା ଜିଲ୍ଲାପାଳଙ୍କୁ ଭେଟିଥିଲେ।ସଭାପତି ସରୋଜ ଦାଶ, ସଂପାଦକ ଆନନ୍ଦ ରଥ, ଉପସଭାପତି ହରିଶ୍ଚନ୍ଦ୍ର ମୁଦୁଲି, କୋଷାଧ୍ୟକ୍ଷ ଗୋପବନ୍ଦୁ ସାନ୍ତ୍ରା, ବରିଷ୍ଠ ଆଇନଜୀବୀ ଶଶାନନ୍ଦ ମିଶ୍ର, ରବିନ୍ଦ୍ର କୁମାର ପାତ୍ର, ଗିରିଧର ଖରା ଭାଗ ନେଇଥିଲେ।

ସହରବାସୀଙ୍କ ଜରୁରୀ ସମୟରେ ୫କିଲୋମିଟର ଦୂରରେ ରହିଥିବା ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ଯିବା ପାଇଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେଭଳି ଆଗାମୀ ଦିନରେ କୋଭିଡ୍ ହସ୍ପିଟାଲ୍ ବନ୍ଦ ହୋଇଗଲେ ପୁରୁଣା ଡାକ୍ତରଖାନା ଭୁତକୋଠି ପାଲଟିବ। ତେଣୁ ଏହାକୁ ସିଟି ହସ୍ପିଟାଲ କରିବାକୁ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାର କୋଣ ଅନୁକୋଣରୁ ଆସୁଥିବା ମହକିଲଙ୍କ ସହ ଆଇନଜୀବୀ ମାନେ ସିଧାସଳଖ ମିଶୁଥିବାରୁ କୋଭିଡ୍ ସଂକ୍ରମିତ ହେବାର ସମ୍ଭାବନା ରହିଛି। ଏବଂ କିଛି ଆଇନଜୀବୀ ସଂକ୍ରମିତ ହୋଇଥିବା ବେଳେ ଏଥିରେ ୨ଜଣ ଆଇନଜୀବୀଙ୍କର ମୃତ୍ୟୁ ବି ହୋଇଛି।

ତେଣୁ ଆଇନଜୀବୀଙ୍କୁ ବି କୋଭିଡ୍ ଭ୍ୟାକ୍ସିନ୍ ଟୀକା ଦେବା ଆବଶ୍ୟକ ବୋଲି ଅନୁରୋଧ କରିଥିଲେ। ସେଭଳି ସିଭିଲ୍ କୋର୍ଟରେ ବିଭିନ୍ନ ଜମିଜମା ମାମଲା ହେଉଥିବାରୁ ଜଣେ ରାଜସ୍ବ ଅମିନ ରହିଲେ ମାମଲା ଗୁଡ଼ିକ ତ୍ବରିତ ଭାବେ ଶୁଣାଣୀ ହୋଇ ପାରିବ ବୋଲି କହିଥିଲେ। ନିର୍ମାଣାଧୀନ ଥିବା ନୂଆ ତହସିଲ କାର୍ଯ୍ୟାଳୟ ପରିସରରେ ଜୟପୁର ଓକିଲ ସଂଘ ପାଇଁ ଗୋଟିଏ ରୁମ ପ୍ରଦାନ କରିବାକୁ ବି ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲ୍ଲାପାଳ ଏସବୁ ଦିଗରେ ଦୃଷ୍ଟି ଦେବେ ଏବଂ ରାଜ୍ୟ ସରକାରଙ୍କୁ ବି ଅବଗତ କରିବେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର