ସ୍ନାନ ପୂର୍ଣ୍ଣିମାରେ ନିୟୋଜିତ ହେବାକୁ ଥିବା ସମସ୍ତ ସେବାୟତଙ୍କର ହେବ କରୋନା ପରୀକ୍ଷା

ପୁରୀ: ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମାରେ ନିୟୋଜିତ ହେବାକୁ ଥିବା ସବୁ ସେବାୟତଙ୍କର କରୋନା ପରୀକ୍ଷା କରାଯିବ। ଆସନ୍ତା ୨୯ଓ ୩୦ ତାରିଖରେ ସବୁ ଗରାବଡୁ ସେବାୟତଙ୍କ କରୋନା ପରୀକ୍ଷା କରାଯିବା ଲାଗି ନିଷ୍ପତ୍ତି ହୋଇଛି । ଶ୍ରୀଜିଉଙ୍କ ସେବା କରୁଥିବା ମୋଟ ୧୭୨ ଜଣଙ୍କର ନମୁନା ସଂଗ୍ରହ କରାଯିବ ଏବଂ ୩ ତାରିଖ ସୁଦ୍ଧା ରିପୋର୍ଟ ଆସିବା ଲକ୍ଷ୍ୟ ରଖାଯାଇଛି। ୫ ତାରିଖରେ ସ୍ନାନ ପୂର୍ଣ୍ଣିମା ଆଗରୁ ସବୁ ସେବାୟତଙ୍କ କରୋନା ପରୀକ୍ଷା ରିପୋର୍ଟ ଆସିବ ବୋଲି ଶ୍ରୀମନ୍ଦିର ପ୍ରଶାସନର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି । ଗରାବଡୁ ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ଏ ନେଇ ନିଷ୍ପତି ହୋଇଛି ।

ଆଜି ଅତିରିକ୍ତ ଜିଲ୍ଲାପାଳ ବିନୟ ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସିଡିଏମଓ ନୀଳକଣ୍ଠ ମିଶ୍ର ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଉପସ୍ଥିତ ଥିଲେ । ତେବେ କୋଭିଡ-୧୯ ଗାଇଡଲାଇନ୍‌ ମାନି କିଭଳି ସେବାୟତମାନେ ସ୍ନାନ ପୂର୍ଣ୍ଣିମା ନୀତି ସଂପାଦନ କରିବେ ସେ ନେଇ ବୈଠକରେ ଆଲୋଚନା କରାଯାଇଛି ।

ସ୍ନାନ ପୂର୍ଣ୍ଣିମାରେ ଗରାବଡୁ ସେବାୟତଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଶ୍ରୀଜିଉଙ୍କ ସ୍ନାନ ପାଇଁ ଗରାବଡୁ ସେବାୟତମାନେ ୧୦୮ ଗରା ସୁବାସିତ ଜଳ ଯୋଗାଇ ଦେଇଥାନ୍ତି । ତେବେ ଦେବସ୍ନାନ ପୂର୍ଣ୍ଣିମାରେ ଅଧିବାସ ଗୃହରୁ ସ୍ନାନ ମଣ୍ଡପକୁ ଜଳ ଆଣିବା ବେଳେ ସାମାଜିକ ଦୂରତା ରକ୍ଷା କରିବେ ସେବାୟତ । ଏହାସହ ମୁହଁରେ  ମାସ୍କ ପିନ୍ଧିବେ ଗରାବଡୁ ସେବାୟତ।

ଆଜିର ବୈଠକରେ ଏ ନେଇ ସଚେତନ କରାଇବା ସହ ୨୯ ଓ ୩୦ ତାରିଖ ୨ଦିନ ଧରି ଗରାବଡୁ ସେବାୟତଙ୍କ କରୋନା ପରୀକ୍ଷା କରାଯିବ ବୋଲ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି । କେବଳ ଗରାବଡୁ ନୁହେଁ ଅନ୍ୟ ସମସ୍ତ ନିଯୋଗର ସେବାୟତଙ୍କର ମଧ୍ୟ କରୋନ ଟେଷ୍ଟ କରାଯିବ। ସେବାୟତଙ୍କ ତାଲିକା ପ୍ରସ୍ତୁତ କରି ପ୍ରଶାସନକୁ ଦେବାକୁ ସଂପୃକ୍ତ ନିଯୋଗକୁ କୁହାଯାଇଛି ।

ସମ୍ବନ୍ଧିତ ଖବର