ବୃଦ୍ଧାଙ୍କୁ କାମୁଡ଼ି କାମୁଡ଼ି ମାରିଦେଲା ଗାଈ!

ବୌଦ୍ଧ: ଗାଈ କାମୁଡ଼ାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ବାସ୍ତବରେ ବୌଦ୍ଧ ଥାନା ଅନ୍ତର୍ଗତ ହରଭଙ୍ଗା ବ୍ଲକ୍‌ ବନ୍ଧାପଥର ଗାଁରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ଗୋଟିଏ ପାଗଳା ଗାଈ ଆକ୍ରମଣରେ ବନ୍ଧାପଥର ଗାଁର ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ ବୃଦ୍ଧାଙ୍କ ନାମ ବିଶାଖା ପ୍ରଧାନ(୮୦) ବୋଲି ଜଣାପଡିଛି।

ସୂଚନାଯୋଗ୍ୟ, ବନ୍ଧାପଥର ଗାଁର ଗୋଟିଏ ଗାଈକୁ କିଛିଦିନ ତଳେ ଏକ କୁକୁର କାମୁଡ଼ି ଦେଇଥିଲା। ଫଳରେ ଉକ୍ତ ଗାଈଟି ପାଗଳ ହୋଇ ଯାଇଥିଲା। ପରେପରେ ଗାଈ ଠାରେ କୁକୁର ଭଳି ସବୁ ଲକ୍ଷଣ ଦେଖା ଦେଇଥିଲା। ଗତ କିଛି ଦିନ ହେଲା ଗାଁରେ ଉକ୍ତ ଗାଈ ପାଗଳ ହୋଇ ଲୋକଙ୍କୁ ଗୋଡାଇ ଗୋଡାଇ ଆକ୍ରମଣ କରିବା ସହ କାମୁଡି ପକାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଗତ ଶନିବାର ସନ୍ଧ୍ୟାରେ ଏହି ପାଗଳ ଗାଈ ବୃଦ୍ଧା ବିଶାଖାଙ୍କୁ କାମୁଡ଼ିବାରୁ ସେ ଗୁରୁତର ଆହତ ହୋଇଥିଲେ। ରବିବାର ସକାଳରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଗ୍ରାମବାସୀ କହିଛନ୍ତି। ସେହିପରି ଗ୍ରାମର ଆଉ କିଛି ବ୍ୟକ୍ତି ମଧ୍ୟ ଗାଈ ଆକ୍ରମଣରେ ଆହତ ହୋଇଥିବା କୁହାଯାଉଛି। ଗାଈକୁ କାବୁ କରିବା ପାଇଁ ଗ୍ରାମବାସୀ ଚେଷ୍ଟାକରି ବିଫଳ ହୋଇଥିବା ବେଳେ ଆଜି ଗାଈଟିର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର