ବାଲିକୁଦା: ବାଲିକୁଦା ବ୍ଲକ ଖାଲଗାଁ ପଞ୍ଚାୟତରେ ଗତ ଦଶ ଦିନ ମଧ୍ୟରେ ୫ଟି ଗାଈ ଅଜଣା ରୋଗରେ ପ୍ରାଣ ହରାଇଥିବା ଘଟଣା ସମ୍ପର୍କରେ ‘ସମ୍ବାଦ’ରେ ପ୍ରକାଶିତ ହେବା ପରେ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ବୀର କିଶୋର ପରିଡାଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁ ଘଟିଥିବା ଗାଈ ମାଲିକଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟ ଗୋରୁଗାଈଙ୍କୁ କିପରି ପ୍ରତିଷେଧକ ଚିକିତ୍ସା ଯୋଗାଇ ଦିଆଯିବ ସେନେଇ ପରାମର୍ଶ ଦେଇଛନ୍ତି। ଆଜି ଏହି ଟିମ୍ରେ ବ୍ଲକ୍ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ସଂଯୁକ୍ତା ଦେବୀ, ନହରଣା ପ୍ରାଣୀଧନ ନିରୀକ୍ଷକ ଜିତେନ୍ଦ୍ର ଦାସ, ମରିଚପୁର ଅଶୋକ ଗୁରୁ, ଗୋମିତ୍ର ରବୀନ୍ଦ୍ର ମାଦେଳି, ପ୍ରାଣୀମିତ୍ର ସବିତା ସ୍ୱାଇଁ ପ୍ରମୁଖ ଶୋଭା ଗାଁରେ ପହଞ୍ଚି ପୀଡ଼ିତ ଗୋ ଚାଷୀଙ୍କ ସହ ଆଲୋଚନା କରି ସବିଶେଷ ବିବରଣୀ ସଂଗ୍ରହ କରିଥିଲେ। ପ୍ରାଣୀ ଚିକିତ୍ସାଧିକାରୀ କହିଛନ୍ତି ଏହି ରୋଗର ନାମ ଥାଇଲେରିଆ। ଏହାଦ୍ବାରା ଗୋରୁଙ୍କୁ ଜ୍ୱର ହେବା ସହ, ଆଣ୍ଠୁ ଗଣ୍ଠି ଫୁଲିବା, ଆଖିରେ ନେନ୍ଦେରା ଲାଗିବା, ଖାଦ୍ୟ ପ୍ରତି ରୁଚି କମିବା ଓ ଆଦୌ ନଖାଇବା ଆଦି ଲକ୍ଷଣ ଦେଖାଦେଇଥାଏ।
ଏହି ଲକ୍ଷଣ ଦେଖା ଦେଲେ ତୁରନ୍ତ ଗାଈର ରକ୍ତ ନମୁନା ପରୀକ୍ଷା କରାଇବା ସହ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ପ୍ରଦାନ କଲେ ଗାଈଙ୍କୁ ସ୍ବାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବା ସମ୍ଭବ ହେବ। ଏହି ରୋଗରେ ମୃତ ଗୋରୁଗାଈଙ୍କୁ ଏଣେ ତେଣେ ନ ଫୋପାଡ଼ି ବଡ଼ ଗାତଖୋଳି ଲୁଣ ଓ ଚୂନ ଦେଇ ପୋତିଲେ ତାହା ଆଉ ସଂକ୍ରମଣର ରୂପ ନେବ ନାହିଁ। ପୀଡିତ ମୃତ ଗାଈଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇ ନଦୀ କିମ୍ବା ଖୋଲା ସ୍ଥାନରେ ଫୋଫାଡି ଦିଆଯିବା ଦ୍ବାରା ଜଳ ଓ ବାୟୁ ପ୍ରଦୂଷିତ ହେବା ଆଶଙ୍କା ରହିଥିବାରୁ ଚାଷୀମାନେ ଏଦିଗରେ ଯତ୍ନବାନ ହେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଟିକାକରଣ ପ୍ରସଙ୍ଗରେ ଉତ୍ତର ରଖି ଡା. ପରିଡ଼ା କହିଥିଲେ ବାଲିକୁଦା ବ୍ଲକକୁ ରାଜ୍ୟ ସରକାର ୩୦ ହଜାର ଥାଇଲେରିଆ ଟିକା ପ୍ରଦାନ କରିଛନ୍ତି। ସେଥିମଧ୍ୟରୁ ୨୦ ହଜାରରୁ ଊର୍ଦ୍ଧ୍ବ ଆକ୍ରାନ୍ତ ଗାଈଗୋରୁଙ୍କୁ ଟିକାକରଣ ବ୍ୟବସ୍ଥା ହୋଇଛି। ବାଲିକୁଦା ବ୍ଲକରେ ସମୁଦାୟ ୨୫ ହଜାର ୫ ଶହ ଗୋରୁ ଗାଇ ଥିବା ବେଳେ ଗର୍ଭ ଧାରଣ ଓ ଅନ୍ୟାନ ସମସ୍ୟା ନେଇ ଆଉ ୫ ହଜାରରୁ ଅଧିକ ଗୋରୁଗାଈଙ୍କୁ ଟିକା ଦିଆଯାଇ ପାରିନାହିଁ। ଏହି ରୋଗ ସାଧାରଣତଃ ମଶା, ମାଛି,ଟିଙ୍କ ଓ ଡାନ୍ସ କାମୁଡିବା ଦ୍ୱାରା ବ୍ୟାପିଥାଏ। ଏଣୁ ପ୍ରତ୍ୟେକ ଗୋପାଳକ ନିଜ ଗୁହାଳରେ ଲିମ୍ବ ପତ୍ରର ଧୂଆଁ ଦେବା ଆବଶ୍ୟକ। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ବିଭାଗ ପକ୍ଷରୁ ଏଥିପାଇଁ ଏକ ପ୍ରଚାର ଗାଡି ବ୍ଲକର ୩୦ ପଞ୍ଚାୟତର ସମସ୍ତ ଗାଁ ବୁଲିବ। ଡାକବାଜି ଯନ୍ତ୍ର ଜରିଆରେ ସମସ୍ତ ଚାଷୀଙ୍କୁ ସଚେତନତା କାରାଯିବ।