୩ ଟ୍ରକ ଗୋମାଂସ ଜବତ, ୬ ଅଟକ

ଖୋର୍ଦ୍ଧା: ଆଜି ସକାଳେ ୧୬ ନମ୍ବର ଜାତୀୟ ରାଜପଥର ବାଟମଙ୍ଗଳା ବାଇପାସ୍ ନିକଟରୁ ୩ଟି ତାମିଲନାଡ଼ୁ ପଂଜୀକୃତ କଣ୍ଟେନର ଭର୍ତ୍ତି ଗୋମାଂସ ଜବତ ହୋଇଛି । ସୂଚନାନୁସାରେ, ଆଜି ଭୋର ସାଢ଼େ ୪ଟା ବେଳେ ଖୋର୍ଦ୍ଧା ଗୋ ସୁରକ୍ଷା ମଂଚର ସଦସ୍ୟମାନେ ସନ୍ଦେହରେ କୋଲକାତାରୁ ଚେନ୍ନାଇ (ତାମିଲନାଡ଼ୁ)ଯାଉଥିବା ୩ଟି କଣ୍ଟେନରକୁ ଗଡ଼ଖୋର୍ଦ୍ଧା ଛକ ନିକଟରେ ଅଟକାଇଥିଲେ । ତେବେ ଟ୍ରକ ଚାଳକମାନେ ଗାଡ଼ି ଅଟକାଇବା ପରିବର୍ତ୍ତେ ସେମାନଙ୍କ ଉପରେ ମାଡ଼ି ଚାଲିଯିବାକୁ ଚେଷ୍ଟା କରିଥିଲେ ।

ଶେଷରେ ବାଟମଙ୍ଗଳା ବାଇପାସ୍ ନିକଟରେ ଅଣଓସାରିଆ ରାସ୍ତାରେ ଟ୍ରକ୍ ତିନିଟିକୁ କୌଣସି ମତେ ଅଟକାଇ ଶିଳ୍ପାଞ୍ଚଳ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ପହଂଚି (ଟିଏନ ୯୩ ବି ୪୭୯୯, ଟିଏନ୍ ୮୮ଏ ୮୭୯୩ ଓ ଟିଏନ୍ ୯୩ଡି ୯୫୯୯) ଗାଡ଼ି ଜବତ କରିବା ସହ ୬ଜଣ ଟ୍ରକ ଚାଳକଙ୍କୁ ଅଟକ ରଖିଛି । ତେବେ ପ୍ରାଥମିକ ଯାଂଚରେ ଟ୍ରକର ସମସ୍ତ ମାଂସକୁ ନେଇ ପ୍ରସ୍ତୁତ କରାଯାଇଥିବା କାଗଜପତ୍ର ଜାଲ ଥିବା ଓ ପୋଢ଼ ମାଂସ ନାମରେ ଗୋମାଂସ ଚାଲାଣ ହେଉଥିବା ଜଣାଯାଇଛି । ଏନେଇ ଖୋର୍ଦ୍ଧା ଟାଉନ ଥାନାର ଭାରପ୍ରାପ୍ତ ଅଧିକାରୀ ତାରିକ ଅହମ୍ମଦ କହିଛନ୍ତି ଯେ ଯାଂଚ ପାଇଁ ମାଂସର ନମୁନା ପଠାଯାଇଛି । ଟ୍ରକଗୁଡିକ ଆଇଆରବି ବାଟାଲିଅନ ପଡ଼ିଆରେ ରଖାଯାଇଛି । ଯାଂଚ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

ସମ୍ବନ୍ଧିତ ଖବର