ଖୋର୍ଦ୍ଧା ଜିଲ୍ଲାରୁ କମୁଛି ଗୋ ସମ୍ପଦ: ଗୋତସ୍କରୀ ଓ ଚାରଣ ଭୂଇଁ ଉପରେ ଖଣି ମାଫିଆଙ୍କ ରାଜୁତି

୨୦୧୯ରୁ ୨୦୨୧ ମଧ୍ୟରେ ୨ଲକ୍ଷରୁ ଉର୍ଦ୍ଧ୍ବ ଗାଈ-ମଇଁଷି ହ୍ରାସ

ଖୋର୍ଦ୍ଧା: ରାଜ୍ୟ ରାଜଧାନୀର ଜିଲ୍ଲା ଖୋର୍ଦ୍ଧା। ରାଜ୍ୟର ସର୍ବନିମ୍ନ ଗୋ ଓ ପଶୁ ସମ୍ପଦ ଥିବା ଜିଲ୍ଲା ଗୁଡ଼ିକ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଅନ୍ୟତମ। ଲୋକଙ୍କ ଦୂରଦୃଷ୍ଟିହୀନତା ଓ ସରକାରଙ୍କ ଅପରାଗତାରୁ ଜିଲ୍ଲାର ଅନେକ ସ୍ଥାନୀୟ ପଶୁ ଅଭିଜାତି (ଇନ୍ଡିଜେନସ ବ୍ରିଡ୍) ବର୍ତ୍ତମାନ ବିଲୁପ୍ତ। ଏଭଳି ସ୍ଥିତିରେ, ଜିଲ୍ଲାରେ ଗୋ ତସ୍କରୀ ଓ ଚାରଣ ଭୂଇଁ ଉପରେ ଖଣି ମାଫିଆଙ୍କ କବ୍ଜା ଗୋସମ୍ପଦ ଉପରେ ବିପଦକୁ ଆହୁରି ବଢ଼ାଇଦେଇଛି। ଗତ ଦୁଇବର୍ଷ ମଧ୍ୟରେ ଜିଲ୍ଲାରୁ ପ୍ରାୟ ୨ଲକ୍ଷ ଗାଈ, ମଇଁଷି ୭୦ହଜାର ଛେଳି, ମେଣ୍ଢା ହ୍ରାସ ପାଇଛନ୍ତି। ୨୦୧୮-୧୯ ପଶୁ ସମ୍ପଦ ବିଭାଗର ପରିସଂଖ୍ୟାନ ଅନୁସାରେ, ଜିଲ୍ଲାରେ ୩ଲକ୍ଷ ୧୩ହଜାର ୨୫୧ଟି ଗାଈ-ମଇଁଷି ଏବଂ ୧ଲକ୍ଷ ୪୪୬ଟି ମେଣ୍ଢା- ଛେଳି, ୧୮୭୫ଟି ଘୁଷୁରି ଆଦି ଗୃହପାଳିତ ପଶୁ ଥିଲେ।

୨୦୨୦- ୨୧ ପରିସଂଖ୍ୟାନରେ, ଏହା ହ୍ରାସ ପାଇ ୧ଲକ୍ଷ ୬୬୦୮ଟି ଗାଈ-ମଇଁଷି, ୩୨ ହଜାର ୯୩୨ଟି ଛେଳି-ମେଣ୍ଢା, ୩୩ ହଜାର୦୧୩ଟି ବଳଦ, ଘୋଡ଼ା ଆଦି ଅଛନ୍ତି। ଗତ ଦୁଇବର୍ଷ ମଧ୍ୟରେ ଜିଲ୍ଲାରୁ ୧୮୭୫ ଘୁଷୁରି ସଂପୂର୍ଣ୍ଣ ଭାବେ ନିଶ୍ଚିହ୍ନ ହୋଇଯାଇଛନ୍ତି। ଏହି ଆକଳନ ଅନୁସାରେ, ୨୦୧୯ରୁ ୨୦୨୧ ମଧ୍ୟରେ ପ୍ରାୟ ୨ଲକ୍ଷ ଗାଈ ମଇଁଷି, ୭୦ହଜାର ଛେଳି-ମେଣ୍ଢା ଆଦି ହ୍ରାସ ପାଇଛନ୍ତି। କେବଳ ଏହାନୁହେଁ, ଚିଲିକା ଆଦି ଦେଶୀୟ ଅଭିଜାତି ଗାଈଗୁଡ଼ିକ ସଂପୂର୍ଣ୍ଣ ଭାବେ ଲୋପ ପାଇଯାଇଛନ୍ତି। ପଶୁ ସମ୍ପଦ ବିଭାଗର ପରିସଂଖ୍ୟାନ ଅନୁସାରେ, ଜିଲ୍ଲାରେ ଚଳିତବର୍ଷ ୨୨ଜଣଙ୍କ ପିଛା ଗୋଟିଏ ଗାଈ-ମଇଁଷି ଅଛନ୍ତି। ଅପରପକ୍ଷରେ, ପଶୁ ସମ୍ପଦର ସୁରକ୍ଷା ଓ ବିସ୍ତାର ପାଇଁ କେନ୍ଦ୍ର ସରକାରଙ୍କ ପଶୁ ଆଧାର ପରିସଂଖ୍ୟାନକୁ ଦୃଷ୍ଟିକୁ ନେଲେ ୨୦୧୭ ଠାରୁ ଆଜି ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରେ ୨ଲକ୍ଷ ୭୪ହଜାର ୪୮୪ଟି ବିଭିନ୍ନ କିସମର ଗୃହପାଳିତ ପଶୁଙ୍କ ପଂଜୀକରଣ କରାଯାଇଛି। ୨୦୨୦-୨୧ରେ ଏହି ପଂଜୀକରଣ ୨ଲକ୍ଷ ୮ହଜାର ୩୨୭ ଥିବା ବେଳେ ୨୦୨୧-୨୨ରେ ଏହା ହ୍ରାସ ପାଇଁ ୩୪ହଜାର କୁ ପହଂଚିଛି। ସେହିଭଳି ଗୃହପାଳିତ ପଶୁ ରଖିଥିବା ସଂଖ୍ୟା ଜିଲ୍ଲାରେ ୫୬ହଜାର ଜଣ ଅଛନ୍ତି। ବାସ୍ତବରେ ସରକାରଙ୍କ ପକ୍ଷରୁ ପଶୁ ସମ୍ପଦର ସୁରକ୍ଷା ପାଇଁ କୌଣସି ଆନ୍ତରିକତା ଦେଖିବାକୁ ମିଳୁନାହିଁ।

ଲୋକଙ୍କ ମଧ୍ୟରେ ପଶୁପାଳନ ଆଦି ପ୍ରତି ଆକୃଷ୍ଟ କରିବା ପାଇଁ ଆବଶ୍ୟକ ଭିତ୍ତିଭୂମିର ବ୍ୟବସ୍ଥା ନାହିଁ। ଜିଲ୍ଲାରେ ପଶୁ ଚିକିତ୍ସା ପାଇଁ ୨୦ଟି ପଶୁ ଚିକିତ୍ସାଳୟ, ୯୮ (ଏଲ୍ଏସି) ଓ ୪୨ଟି ଗୋମିତ୍ର କେନ୍ଦ୍ର ରହିଛି ସତ କିନ୍ତୁ ଏଥିରେ ୨୨ ଜଣ ପଶୁ ଚିକିତ୍ସକ, ୫୮ ଜଣ ଲାଇଭଷ୍ଟକ୍ ନିରୀକ୍ଷକ ନିୟୋଜିତ ଅଛନ୍ତି। ଅପରପକ୍ଷରେ, ଜିଲ୍ଲାରେ କ୍ରମାଗତ ଭାବେ ବଢ଼ୁଥିବା ଗୋତସ୍କରୀକୁ ନିୟନ୍ତ୍ରଣ କରିବାକୁ ମଧ୍ୟ ପୁଲିସ-ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ରାଜ୍ୟରେ ଖୋର୍ଦ୍ଧା ବେଆଇନ ଗୋ ଚାଲାଣର ଅନ୍ୟତମ ପ୍ରମୁଖ ରାସ୍ତା ହୋଇଥିବା ବେଳେ ଆଖି ଦୃଶିଆ ଭାବେ ବର୍ଷକୁ ଗୋଟିଏ ଗାଡ଼ି ଧରି ପୁଲିସ ନିଜର ଦାୟିତ୍ୱ ଖସାଇଦେଉଛି। ବେଗୁନିଆ, ଖୋର୍ଦ୍ଧା ବ୍ଲକ, ଟାଙ୍ଗୀ, ଜଟଣୀର ନିର୍ଦ୍ଦିଷ୍ଟ ସ୍ଥାନରୁ ଦୈନିକ ଶହଶହ ଗାଈଗୋରୁ ଚାଲାଣ ହେଉଥିବା ଖବର ରହିଥିଲେ ମଧ୍ୟ ପୁଲିସ ପକ୍ଷରୁ ପଦକ୍ଷେପ ନିଆଯାଉନାହିଁ। ସେହିଭଳି ଜିଲ୍ଲାରେ ଥିବା ଶତାଧିକ ହେକ୍ଟର ପଶୁ ଚାରଣ ଜମିକୁ ପଥର ମାଫିଆ କବ୍ଜା କରିରଖିଛନ୍ତି। ଏନେଇ ଦୈନିକ ଆପତ୍ତି, ଅଭିଯୋଗ ଜିଲ୍ଲାପାଳଙ୍କ ନିକଟରେ ପହଂଚୁଥିଲେ ମଧ୍ୟ ପ୍ରଶାସନ ନିଷ୍କ୍ରିୟ ହୋଇରହିଛି।

ସମ୍ବନ୍ଧିତ ଖବର