ଗୋ ଚାଲାଣ ବୃଦ୍ଧି: ଗାଁରେ ଡ଼େରା ପକାଇଲେ ଦଲାଲ

ଜୟପୁର: ଗତ କିଛି ମାସ ହେବ ଗୋରୁ ଚାଲାଣ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। ଜିଲ୍ଲାର ବିଭିନ୍ନ ଗାଁ ଗୁଡ଼ିକରେ ଏବେ ଗାଇ ଦଲାଲମାନେ ଡ଼େରା ପକାଇ ରହୁଛନ୍ତି। ଏମାନେ ଗାଁରୁ ହିଁ ଗାଇ, ବଳଦ ଆଦିକୁ ମୁଲଚାଲ କରି କିଣି ନେଉଛନ୍ତି। କମ୍ ଦାମରେ କିଣି ଏହାକୁ ବ୍ୟବସାୟୀମାନଙ୍କୁ ଚଢ଼ାଦରରେ ବିକ୍ରି କରୁଛନ୍ତି। ଏହା ପଡ଼ୋଶୀ ରାଜ୍ୟ ତେଲେଙ୍ଗନାର ହାଇଦ୍ରାବାଦକୁ ବେଶି ମାତ୍ରାରେ ଚାଲାଣ ହେଉଛି।

ଜିଲ୍ଲାର ଖାସ୍ କରି ଜୟନ୍ତଗିରୀ ହାଟକୁ ଗୋରୁଗୁଡ଼ିକୁ ଆଣି ଜମା କରି ରଖିବା ପରେ ଏଠାକୁ ଆନ୍ଧ୍ର , ତେଲଙ୍ଗନାର ଗୋରୁ ବେପାରୀମାନେ ଆସି କିଣି ନେଉଛନ୍ତି। ଏଠାରୁ ପୁଣି ଶହ ଶହ କିଲୋମିଟର ଚଳାଇ ଚଳାଇ ଏହି ଗାଇଗୁଡ଼ିକୁ ସୀମା ପାର କରିବା ପରେ ସ୍ବତନ୍ତ୍ର କ୍ୟାବିନ୍ ଥିବା ଗାଡ଼ିଗୁଡ଼ିକରେ ଗାଇ ଚାଲାଣ ହେଉଛି । ଏହାକୁ ବିରୋଧ କରାଗଲେ ଧମକ ଚମକ ମିଳିବା ସହ ମାଲିମକଦ୍ଦମାରେ ଜଡ଼ିତ କରାଯାଇ ହଇରାଣ ହରକତ କରାଯାଉଛି ବୋଲି କହିଛନ୍ତି ସମାଜସେବୀ ନାରାୟଣ ପାତ୍ର।

ହାଇଦ୍ରାବାଦ୍ ନେଇ ଏହି ଗୋରୁ ଗାଇକୁ ହତ୍ୟା କରାଯାଇ ଏହାର ମାଂସ ଓ ଚମଢ଼ା ବିକ୍ରି କରାଯାଉଛି। ଏହାକୁ ରୋକିବା ଦିଗରେ ପ୍ରଶାସନ ବି ଆଖି ଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି। ଏହା ଫଳରେ ଦିନକୁ ଦିନ ଗ୍ରାମାଂଚଳରେ ଗୋସଂପଦ ହ୍ରାସ ପାଇଲାଣି। ଏବେ ଗ୍ରାମାଂଚଳର ଲୋକେ ବାଧ୍ୟ ହୋଇ ପ୍ୟାକେଟ୍ କ୍ଷୀର  ଓ ଦହି ବ୍ୟବହାର କରୁଛନ୍ତି। ବେଳ ଥାଉଣୁ ପ୍ରଶାସନ ପକ୍ଷରୁ ଆଶୁ ପଦକ୍ଷେପ ନେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର