ବଡ଼ ଧରଣର ଗୋ’ ଚାଲାଣ ଯୋଜନା ପଣ୍ଡ, ୧୦୩ ଗୋରୁ ଉଦ୍ଧାର, ୬ ପିକ୍‌-ଅପ୍‌ ଭ୍ୟାନ୍‌ ଜବତ 

ଜଣେ ଗିରଫ, ୮ ସହଯୋଗୀ ଫେରାର୍

‌ବାଲେଶ୍ବର/ସିମୁଳିଆ : ଏକ ବଡ଼ ଧରଣର ଗୋ’ଚାଲାଣ ଯୋଜନାକୁ ସିମୁଳିଆ ଥାନା ପୁଲିସ ପଣ୍ଡ କରିଛି । ଚା‌ଲାଣ ବେଳେ ପୁଲିସ ୧୦୩ଟି ଗୋରୁ ଉଦ୍ଧାର କିରବା ସହ ୬ଟି ପିକ୍‌-ଅପ୍‌ ଭ୍ୟାନ୍‌କୁ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣେ ଚାଳକକୁ ଗିରଫ କରିଛି । ସେ ହେଲା ଭଦ୍ରକ ଟାଉନ୍‌ ଥାନା କଣ୍ଟାବଣିଆ ଅଞ୍ଚଳର ସେକ୍‌ ଜମ୍ମୁ(୩୦) । ସେହିପରି ୫ଜଣ ଚାଳକ ଓ ୩ଜଣ ସହଯୋଗୀ ଫେରାର୍‌ ହୋଇଯାଇଛନ୍ତି।

ପୁଲିସ ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ ବହୁ ସଂଖ୍ୟାରେ ଗୋ’ଚାଲାଣ ହେବାକୁ ଥିବା ସିମୁଳିଆ ଥାନା ପୁଲିସ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା। ଖବରପାଇବା ପରେ ଗୋ’ଚାଲାଣକୁ ରୋକିବା ପାଇଁ ଆଇଆଇସି ପର୍ଶୁରାମ ସାହୁ ନକ୍ସା ତିଆରି କରିଥିଲେ। ‌ଗୋଟିଏ ଟିମ୍‌କୁ ସିମୁଳିଆ କଲେଜ୍‌ ନିକଟ ଜାତୀୟ ରାଜପଥରେ ରହି ବ୍ଲକିଂ ପାଇଁ ନିର୍ଦେଶ ଦେଇଥିଲେ। ଆଉ ଏକ ଟିମ୍‌ ସହ ନିଜେ ଆଇଆଇସି ଜାତୀୟ ରାଜପଥରେ ପାଟ୍ରୋଲିଂ ଆରମ୍ଭ କରିଦେଇଥିଲେ ।

ରାତି ପାଖାପାଖି ୨ଟା ସମୟରେ ଗୋଟିଏ ପରେ ଗୋଟିଏ ୬ଟି ପିକ୍‌-ଅପ୍‌ ଆଗପଛ ହୋଇ ଆସୁଥିବା ଦେଖି ପୁଲିସ ସନ୍ଦେହ କରିଥିଲା । ପାଟ୍ରୋଲିଂ କରୁଥିବା ପିସିଆର୍‌ ଭ୍ୟାନ୍‌ ଗାଡ଼ି ଗୁଡ଼ିକୁ ପିଛା କରି ଅଟକାଇବାକୁ ‌ଚେଷ୍ଟା କରିଥିଲେ ମଧ୍ୟ ଗାଡ଼ି ଗୁଡ଼ିକ ଅଟକି ନଥିଲେ। ପାଲଟା ଦ୍ରୁତ ଗତିରେ ଆଗକୁ ମାଡ଼ି ଚାଲିଥିଲେ। ତୁରନ୍ତ ପାଟ୍ରୋଲିଂ ଟିମ୍‌ ଆଗରେ ବ୍ଲକିଂ କରୁଥିବା ଟିମ୍‌କୁ ଖବର ଦେଇଥିଲା। ଖବରପାଇ ବ୍ଲକିଂ ଟିମ୍‌ ସଜାଗ ହୋଇପଡ଼ି‌ଥିଲେ । ଆଗରେ ପୁଲିସ ବ୍ଲକିଂ ଦେଖି ଅଭିଯୁକ୍ତମାନେ ଗାଡ଼ିକୁ ଅଧାବାଟରେ ରଖି ଫେରାର୍‌ ଉଦ୍ୟମ କରିଥିଲେ। ପିଛା କରୁଥିବା ପିସିଆର୍‌ ଭ୍ୟାନ୍‌ରୁ ଖୋଦ୍‌ ଆଇଆଇସି ଓ ଅନ୍ୟ କର୍ମଚାରୀ ଗୋଡ଼ାଇ ଗୋଡ଼ାଇ ଜଣକୁ କାବୁ କରିଥିବା ବେଳେ ଅନ୍ୟମାନେ ‌ଫେରାର୍‌ ହେବାରେ ସକ୍ଷମ ହୋଇଥିଲେ। ସେଠାରୁ ପୁଲିସ ଜଣେ ଚାଳକକୁ ଗିରଫ କରିବା ସହ ଗୋରୁ ବୋଝେଇ ୬ଟି ପିକ୍‌-ଅପ୍‌କୁ ଜବତ କରି ଥାନାକୁ ଆଣିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁକରି ସେକ୍‌ ଜମ୍ମୁକୁ କୋର୍ଟ ଚାଲାଣ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ପାଇଁ ତନାଘନା ଜାରି ରଖିଛି । ସେହିପରି ଗୋରୁଙ୍କୁ ‌ମଇତାପୁର ସ୍ଥିତ ଗୋଶାଳା‌ରେ ଛଡ଼ାଯାଇଛି।

ସମ୍ବନ୍ଧିତ ଖବର